ମହାମେଣ୍ଟ ସଂପର୍କରେ ନିଷ୍ପତ୍ତି ନେବାକୁ ଅଧିକ ସମୟ ଦରକାର: ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳମାନଙ୍କ ଦ୍ୱାରା ଗଠିତ ମହାମେଣ୍ଟରେ ଯୋଗଦେବା ପୂର୍ବରୁ ବିଜେଡ଼ି ଭଲ ଭାବରେ ଚିନ୍ତା କରିବ। ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଛନ୍ତି। ମହାମେଣ୍ଟରେ ଯୋଗ ଦେବା ପୂର୍ବରୁ ଚିନ୍ତା କରିବାକୁ ଅଧିକ ସମୟ ଦରକାର ବୋଲି ନବୀନ କହିଛନ୍ତି।

ଦିଲ୍ଲୀରେ କୃଷକ ଅଧିକାର ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ରକୁ ବହୁବାର କୁହାଯାଇଛି କିନ୍ତୁ କୌଣସି ଲାଭ ହୋଇ ନାହିଁ। ରାଜ୍ୟ ସରକାରଙ୍କ ଗୃହ କମିଟି କେନ୍ଦ୍ରସରକାରଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛି। ଓଡ଼ିଶା ସରକାରଙ୍କ ଦାବି କେନ୍ଦ୍ର ସରକାର ନଶୁଣିବାରୁ ବାଧ୍ୟ ହୋଇ ଦିଲ୍ଲୀ ଆସିବାକୁ ପଡ଼ିଛି।

ରାଜ୍ୟ ସରକାର ବର୍ତ୍ତମାନର ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କାରୁ ୨୯୩୦ ଟଙ୍କା କରିବାକୁ ଦାବି କରୁଛି। ବିଜେଡିର ୧୨ ଜଣିଆ ଟିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ଚାଷୀଙ୍କୁ ସମ୍ବୋଧନ କରି ନବୀନ କହିଛନ୍ତି, ମୋଦୀ ସରକାର ୨୦୧୪ରେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରନ୍ତୁ। ବିରୋଧ ରାଲିରେ ବିଜେଡିର ନେତାମାନେ ମୋଦି ସରକାରଙ୍କ ବିରୋଧରେ ଶ୍ଲୋଗାନ ଦେଇଥିଲେ।

ପଟ୍ଟନାୟକ କହିଛନ୍ତି, ତାଙ୍କ ସରକାର କୃଷକଙ୍କ ଆର୍ଥିକ ବିକାଶ ପାଇଁ କାମ କରୁଛି। କାଳିଆ ଯୋଜନାରେ ଚାଷୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଆର୍ଥିକ ସହାୟତା ଦେବ। ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଚାଷୀମାନେ ବୀମା ସହାୟତା ପାଇପାରିବେ। ଏହି ଯୋଜନାରେ କ୍ଷୁଦ୍ର ଓ ଭୂମିହୀନ ଚାଷୀମାନେ ମଧ୍ୟ ଉପକୃତ ହେବେ। ଓଡ଼ିଶା ସରକାର ବିଗତ ୪ ବର୍ଷ ମଧ୍ୟରେ ୩୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ କାଳିଆ ଯୋଜନାରେ ୩ ବର୍ଷ ପାଇଁ ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବ।

ସମ୍ବନ୍ଧିତ ଖବର