ତେଜିଲା କର୍ଣ୍ଣାଟକର ରାଜନୈତିକ ନାଟକ, ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ସିଦ୍ଧରାମାୟାଙ୍କ ଘୋଷଣା

ବାଙ୍ଗାଲୁରୁ  : ବିଧାନସଭା ନିର୍ବାଚନ ହେବା ପରଠାରୁ  କର୍ଣ୍ଣାଟକରେ ରାଜନୈତିକ ନାଟକ ସରୁନାହିଁ । ପ୍ରଥମେ ଏକ ଅତି ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ନିର୍ବାଚନ, ତାପରେ ସରକାର ଗଠନକୁ ନେଇ ବିଭିନ୍ନ କସରତ, ବଳ କଷାକଷି, ବିଧାୟକଙ୍କୁ ହୋଟେଲରେ ତାଲା ପକାଇ ରଖିବା ଆଦି ନାଟକ  କୌଣସି ବଲିଉଡ ଫିଲ୍ମଠାରୁ କମ ନାଟକୀୟ ନଥିଲା ।  ତେବେ ବହୁ ଛକା ପଞ୍ଝା, ନାକଟବାଜି ପରେ ଏବେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମିିଳିତ ସରକାର ଏବେ ଶାସନ କରୁଛି ।  କିନ୍ତୁ ଆପଣ ଯଦି ଭାବୁଛନ୍ତି ସବୁକିଛି ଠିକଠାକ ହୋଇଗଲା, ତବେ ଆପଣ ଭୁଲ କରୁଛନ୍ତି । ଏବେବି ସେଠାରେ ରାଜନୈତିକ ଅସନ୍ତୋଷ କୁହୁଳୁଛି । ନିକଟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ଏକ ବକ୍ତବ୍ୟକୁ ନେଇ ପୁଣି ଅଙ୍କକଷା ଆରମ୍ଭ ହୋଇଯାଇଛି । ସିଦ୍ଧରାମାୟା କହିଛନ୍ତି ଯେ ତାଙ୍କର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ଆଶା ରହିଛି ଓ ସେ ନିଶ୍ଚିତ ମୁଖ୍ୟମନ୍ତ୍ରୀ ହେବେ । ନିର୍ବାଚନ ପରେ ତାଙ୍କ ବିରୋଧୀମାନଙ୍କ ଚକ୍ରାନ୍ତ ଯୋଗୁଁ ସେ ହୋଇପାରିନଥିଲେ । କିନ୍ତୁ ସବୁକିଛି ଶେଷହୋଇଯାଇନାହିଁ, ସେ ପୁଣି ଶୀର୍ଷକୁ ଫେରିବେ । ରାଜ୍ୟ କଂଗ୍ରେସରେ ଏବେ  ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଳ କଷାକଷି ଚାଲିଛି । ଏହି ଦୁଇ ଗୋଷ୍ଠୀ ହେଉଛନ୍ତି ସିଦ୍ଧରାମାୟା ଓ ତାଙ୍କ ଅନୁଗତ ଏବଂ ଅନ୍ୟ ଗୋଷ୍ଠୀଟି ହେଉଛି ନବ ନିଯୁକ୍ତ ଉପ-ମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱର ଓ ତାଙ୍କ ଅନୁଗତ । ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଗତ ୨୦୧୩ରୁ ବିବାଦ ଚାଲିଛି । ସିଦ୍ଧରାମାୟା ଅଭିଯୋଗ କରିଛନ୍ତି ପରମେଶ୍ୱରଙ୍କ ଯୋଗୁଁ ହିଁ ତାଙ୍କର ଅନୁଗତ ଅନେକ ବିଧାୟକ ମନ୍ତ୍ରୀ ହୋଇପାରିନାହାନ୍ତି । ଆହୁରି ଅନେକ ବିଧାୟକଙ୍କୁ ଅଣଦେଖା କରାଯାଉଛି । ଅନ୍ୟପକ୍ଷରେ ପରମେଶ୍ୱର ଅଭିଯୋଗ କରିଛନ୍ତି ଯେ ପ୍ରଥମ ଗୋଷ୍ଠୀଟି ଜାଣିଶୁଣି ତାଙ୍କୁ ସହଯୋଗ କରୁନାହାନ୍ତି ଓ ଶାସନରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ଏପରି ଛକାପଞ୍ଝା ମଧ୍ୟରେ ମିଳିତ ସରକାର କେତେ ଦିନ ଚାଲୁଛି ତାହା  ଦେଖିବା କଥା ।

 

ସମ୍ବନ୍ଧିତ ଖବର