ବ୍ରଜ କିଶୋର ତ୍ରିପାଠୀ ଓ ଖାରବେଳ ସ୍ୱାଇଁ ଗଢ଼ିଲେ ନୂଆ ରାଜନୈତିକ ମଞ୍ଚ ‘ଓଡିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’

ଭୁବନେଶ୍ବର:  ଓଡ଼ିଶା ରାଜନୀତିରେ ଜନ୍ମ ନେଇଛି ଏକ  ନୂଆ ରାଜନୈତିକ ସାମ୍ମୁଖ୍ୟ ।  ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ମିଳିତ ଭାବେ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିବାକୁ ଘୋଷଣା କରିଛନ୍ତି । ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଏହି ଦୁଇ ନେତା ।

ବ୍ରଜ କିଶୋର ତ୍ରିପାଠୀ ଓ ଖାରବେଳ ସ୍ୱାଇଁ କହିଛନ୍ତି, ୨୦୧୯ରେ ବିଜେଡିକୁ କ୍ଷମତାରୁ ଗାଦିଚ୍ୟୁତ କରିବା ଏହି ସାମ୍ମୁଖ୍ୟର ଲକ୍ଷ୍ୟ ହେବ। ସାମ୍ମୁଖ୍ୟ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବ ଓ ବିଜୟୀ ହୋଇ ସରକାର ଗଢ଼ିବ ବୋଲି ଦାବି କରିଛନ୍ତି ଦୁଇ ନେତା। ନବୀନ ବିରୋଧୀଙ୍କୁ  ଏକାଠି ହେବାକୁ ଆହ୍ବାନ କରିଛି ସାମ୍ମୁଖ୍ୟ।  ସାମ୍ମୁଖ୍ୟ ଅଭିଯୋଗ କରିଛି, ବିଜେଡି ଓଡ଼ିଶାକୁ ଦରିଦ୍ରରୁ ଦରିଦ୍ର କରିଛି । ବିଭିନ୍ନ କ୍ଷେତ୍ରରେ ମାନବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଲୋକେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଉଛନ୍ତି ।

କୃଷିକ୍ଷେତ୍ର ମଧ୍ୟ ଅବହେଳିତ ହୋଇ ରହିଛି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ସାମ୍ମୁଖ୍ୟର ନେତାମାନେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ରାଜ୍ୟର ସମସ୍ତ ବିଜେଡି ବିରୋଧୀ ଶକ୍ତି ଗଣତାନ୍ତ୍ରିକ ସାମ୍ମୁଖ୍ୟରେ ଯୋଗଦେବାକୁ ବ୍ରଜ ଓ ଖାରବେଳ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର