ରାଜ୍ୟ କଂଗ୍ରେସର ନବକଳେବର : ନିରଞ୍ଜନ ପିସିସି ସଭାପତି ନିଯୁକ୍ତ

ନୂଆଦିଲ୍ଲୀ : ୨୦୧୩ ମସିହା ଅକ୍ଷୟ ତୃତୀୟାରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ହାତରୁ ପିସିସି ସଭାପତି ପଦ ଛଡାଇ ନେଇଥିଲେ ହାଇକମାଣ୍ଡ। ଠିକ୍‌ ପାଞ୍ଚ ବର୍ଷ ପରେ ଅର୍ଥାତ୍‌ ଅକ୍ଷୟତୃତୀୟା ପରଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ପୁଣି ଥରେ ଶ୍ରୀ ପଟ୍ଟନାୟକଙ୍କ ଉପରେ ଆସ୍ଥା ସ୍ଥାପନ କରିବା ସହିତ ତାଙ୍କୁ ଓଡ଼ିଶା କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏଥିସହିତ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କଂଗ୍ରେସର ନବ କଳେବର ହୋଇଛି।

କଂଗ୍ରେସ ସଂଗଠନ ସଂପାଦକ ଅଶୋକ ଗେହଲଟ୍‌ଙ୍କ ଦସ୍ତଖତରେ ଏଆଇସିସି ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି, ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ରୂପେ ବିଧାୟକ ନବକିଶୋର ଦାସ, ବିଧାୟକ ଚିରଂଜୀବୀ ବିଶ୍ୱାଳ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କାର୍ଯ୍ୟ କରିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ପ୍ରଚାର କମିଟି ଅଧ୍ୟକ୍ଷ ରହିବେ ଓ ଓଡ଼ିଶା କଂଗ୍ରେସର ସଂଯୋଜକ କମିଟିର ଅଧ୍ୟକ୍ଷ ଭାବେ ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଦାୟିତ୍ୱ ତୁଲାଇବେ। ଏହି କମିଟିର ଆବାହକ ଭାବେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଛି।

ସେହିପରି ପିସିସି କୋର୍‌ କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ପିସିିସି ସଭାପତି ଜୟଦେବ ଜେନା ଓ ଆବାହକ ଭାବେ ଶରତ ପଟ୍ଟନାୟକଙ୍କୁ ହାଇକମାଣ୍ଡ ନିଯୁକ୍ତି ଦେଇଛନ୍ତି। ରାଜ୍ୟ କଂଗ୍ରେସର ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କାର୍ଯ୍ୟ କରିବେ। କଂଗ୍ରେସ ନେତା ଶରତ ରାଉତଙ୍କୁ ଏଥିରେ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ଏହାବାଦ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି ରାହୁଲ ଗାନ୍ଧୀ।

କଂଗ୍ରେସର ଏହି ନବକଳେବର ଆଜି ରାଜ୍ୟ କଂଗ୍ରେସ ନେତାଙ୍କ ମଧ୍ୟରେ ପୁଣି ଥରେ ଉତ୍ସାହ ଭରି ଦେଇଛି। ରାଜ୍ୟ କଂଗ୍ରେସ ଭବନରେ ତୁରନ୍ତ କର୍ମୀ ଏକାଠି ହୋଇ ଉତ୍ସବ ମନାଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀର କଂଗ୍ରେସ କର୍ମୀ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ଗତ ଦେଢ ବର୍ଷ ଧରି ଶ୍ରୀ ହରିଚନ୍ଦନଙ୍କୁ ନେଇ କଂଗ୍ରେସ ଶିବିରରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ନେତାମାନେ ବାରମ୍ବାର ଏନେଇ ହାଇକମାଣ୍ଡଙ୍କୁ ଜଣାଇଥିଲେ। ପରେ ବର୍ତମାନ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଆସିଥିବା କମିଟି ଆଗରେ ଏ ଦାବି ଜୋର ଧରିଥିଲା। ବିଳମ୍ବରେ ହେଲେ ବି ଶ୍ରୀ ଗାନ୍ଧୀ ଜିତେନ୍ଦ୍ରଙ୍କୁ ଓଡ଼ିଶା ଦାୟିତ୍ୱ ଦେବା ସହିତ କଂଗ୍ରେସ ନେତା ଓ କର୍ମୀଙ୍କ ଚାପକୁ ଗ୍ରହଣ କରି ଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସ ମୁଖ୍ୟ ଭାବେ ଅବସ୍ଥାପିତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାଙ୍କ ସରକାରୀ ବାସଭବନରେ ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ୩ ଜଣ ସମ୍ପାଦକ ଅନୀଲ ଚୌଧୁରୀ, ସେକ୍‌ ମସ୍ତାନ, ରୁଦ୍ର ରାଜୁ ଓ ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମାଙ୍କ ସହ ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଭକ୍ତଚରଣ ଦାସ, ପ୍ରଦୀପ ମାଝୀ, ବିଧାୟକ ନବକିଶୋର ଦାସ ଓ ବିଧାୟକ ଚିରଂଜୀବୀ ବିଶ୍ୱାଳ ପ୍ରମୁଖ ଏକାଠି ହୋଇ ପାଖାପାଖି ଦେଢ଼ଘଣ୍ଟା ଧରି ଆଲୋଚନା କରିଥିଲେ। ଆଲୋଚନା ବେଳେ କଂଗ୍ରେସ ସଂଗଠନ ସାଧାରଣ ସଂପାଦକ ଅଶୋକ ଗେହଲଟ୍‌ ମଧ୍ୟ ଉପସ୍ଥିତ ଥିଲେ।

ମିଳିଥିବା ସୂଚନା ଅନୁସାରେ, ରାହୁଲ ଗାନ୍ଧୀ ରାଜ୍ୟର ନେତାମାନଙ୍କ ସହ ୪ଟି ପର୍ଯ୍ୟାୟରେ ଆଲୋଚନା କରିଥିଲେ। ପାର୍ଟିର ପୁନର୍ଗଠନ ଓ ସଙ୍ଗଠନ ମଜବୁତ୍‌ କରିବାକୁ ନେଇ କଂଗ୍ରେସ ସଭାପତି ସମସ୍ତ ନେତାଙ୍କ ସହ ବିଚାରବିମର୍ଶ କରିବା ଆଳରେ କିଛି ମତାମତ ମଧ୍ୟ ନେଇଥିବା ଜଣାଯାଇଛି। ସେମାନଙ୍କ ସହ ରାହୁଲ ଅଲଗା ଅଲଗା ଭାବେ ମଧ୍ୟ ଆଲୋଚନା କରିଥିଲେ। ସମସ୍ତ ନେତାମାନଙ୍କୁ ଏକାଠି କରି ସଂଗଠନ କାର୍ଯ୍ୟରେ ତଥା ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାପାଇଁ ରାହୁଲ ନେତାମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ପ୍ରସାଦ ହରିଚନ୍ଦନଙ୍କୁ ମଧ୍ୟ ରାହୁଲ ନୂଆ ଟିମ୍‌ ସମ୍ପର୍କରେ ଅବଗତ କରିଥିଲେ।

ସୁତ୍ର ଅନୁଯାୟୀ ନୂଆ ଟିମ୍‌ ସହିତ ପ୍ରସାଦ ହରିଚନ୍ଦନ ପୂର୍ଣ୍ଣ ରୂପେ ସହଯୋଗ କରିବେ ବୋଲି ରାହୁଲଙ୍କୁ ଆଶ୍ୱସ୍ତ କରିଥିଲେ। ପ୍ରଥମ ପର୍ଯ୍ୟାୟ ବୈଠକ ପରେ ତଥା ନୂଆ ଟିମ୍‌ ସମ୍ପର୍କରେ ଅବଗତ ହେବାପରେ ପ୍ରସାଦ ହରିଚନ୍ଦନ ବୈଠକରୁ ଚାଲି ଆସିଥିଲେ। ବୈଠକ ଶେଷ ହେବା ଜିତେନ୍ଦ୍ର ସିଂହ ଗଣମାଧ୍ୟମକୁ କହିଥିଲେ,ରାଜ୍ୟ କଂଗ୍ରେସର ସଂଗଠନ ସମ୍ପର୍କରେ ଆଲୋଚନା ହୋଇଛି ଓ ଖୁବ୍‌ ଶୀଘ୍ର ପାର୍ଟି ପୁନର୍ଗଠନକୁ ନେଇ ପ୍ରେସ ରିଲିଜ୍‌ ଜରିଆରେ ଘୋଷଣା କରାଯିବ।

ଏହାପରେ ଏଆଇସିସି କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିଯୁକ୍ତି ସଂପର୍କରେ ସୂଚନା ଦେଇଥିଲେ। ୩ଜଣ କାର୍ଯ୍ୟକାରୀ ସଭାପତି ତଥା ଅନ୍ୟ ନିଯୁକ୍ତି ଗୁଡ଼ିକ ସମ୍ପର୍କରେ ମଧ୍ୟ ସେ ଅବଗତ କରାଇଥିଲେ। ଜିତେନ୍ଦ୍ର ସିଂହ କହିଥିଲେ ଯେଉଁ ଅଭିଜ୍ଞ, ବରିଷ୍ଠ ଓ ଯୁବ ନେତାଙ୍କୁ ନେଇ ନୂଆ ଟିମ୍‌ ଘୋଷଣା କରାଯାଇଛି, ଏହାଦ୍ୱାରା କଂଗ୍ରେସ ମଜବୁତ୍‌ ହେବ ଏବଂ ୨୦୧୯ରେ ରାଜ୍ୟରେ ସରକାର ଗଠନ କରିବ। ବିଜେପି ଓ ବିଜେଡି ସହ କଂଗ୍ରେସର ଲଢ଼େଇ ହେବ। ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଘୋଷଣା ସମୟରେ ନବନିଯୁକ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ତିନିଜଣ କାର୍ଯ୍ୟକାରୀ ସଭାପତି ତଥା ପ୍ରଚାର କମିଟିର ଅଧ୍ୟକ୍ଷ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର