ଆଜି ରାହୁଲଙ୍କ ସହ ନିରଂଜନ ଟିମ୍‌ଙ୍କ ସାକ୍ଷାତ ଆଲୋଚନା

ନୂଆଦିଲ୍ଲୀ : ଆସନ୍ତାକାଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବେ ପିସିସି ସଭାପତି, କ୍ୟାର୍ଯ୍ୟକାରୀ ସଭାପତି ତଥା ଏଆଇସିସିର ଓଡ଼ିଶା ପ୍ରଭାରୀ, ଏଆଇସିସିର ତିନି ଜଣ ସମ୍ପାଦକ ଓ ଜଣେ ଯୁଗ୍ମ ସମ୍ପାଦକ। ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ସକାଳ ୧୧.୩୦ରେ ରାହୁଲ୍‌ଙ୍କ ତୋଗଲକ ରୋଡ୍‌ ସ୍ଥିତ ସରକାରୀ ବାସଭବନରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ତିନି କାର୍ଯ୍ୟକାରୀ ସଭାପତି ବିଧାୟକ ଚିରଂଜୀବ ବିଶ୍ୱାଳ,ବିଧାୟକ ନବକିଶୋର ଦାସ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝି, ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଏଆଇସିସି ସମ୍ପାଦକ ତଥା ସହ ପ୍ରଭାରୀ ରୁଦ୍ରରାଜୁ, ଶେଖ୍‌ ମସ୍ତାନ ଅଲ୍ଲୀ, ଅନୀଲ ଚୌଧୁରୀ ତଥା ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ପ୍ରଥମ ସମୀକ୍ଷା ବୈଠକରେ ଯୋଗଦେବେ ଓ ଓଡ଼ିଶପାଇଁ ନୂଆ ଟିମ୍‌ ଗଠନ ହେବାପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପାର୍ଟି ଓ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପାର୍ଟି ହାଇକମାଣ୍ଡ୍‌ଙ୍କୁ ଅବଗତ କରାଇବା ସହ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ପ୍ରଥମ ସମୀକ୍ଷା ବୈଠକରେ ରାଜ୍ୟରେ ଦଳର ସ୍ଥିତି ସମ୍ପର୍କରେ ଫିଡ୍‌ବ୍ୟାକ୍‌ ଦେବା ସହ ରାଜ୍ୟ କଂଗ୍ରେସର ନୂତନ କାର୍ଯ୍ୟକର୍ତ୍ତା (ନୂଆ ଟିମ୍‌) ତଥା ଜିଲ୍ଲା କଂଗ୍ରେସ କମିଟି ଗୁଡ଼ିକର ପୁର୍ନଗଠନ ସମ୍ପର୍କରେ ନାମ ଗୁଡ଼ିକର ଚୁଡ଼ାନ୍ତ ପାଇଁ କଂଗ୍ରେସ ସଭାପତିଙ୍କ ଅନୁମୋଦନ ନେବେ ବୋଲି ଜଣାପଡ଼ିଛି। ତେବେ ଆସନ୍ତା କାଲି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବାପରେ ଦିନେ ଦୁଇଦିନ ଭିତରେ ଜିଲ୍ଲା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା କରାଯିବ ତଥା ସପ୍ତାହ ଭିତରେ ପିସିସି ଟିମ୍‌ର ଘୋଷଣା କରାଯିବ।

ସମ୍ବନ୍ଧିତ ଖବର