ବିଜେପିକୁ ଓଡ଼ିଶାବାସୀ ବିଶ୍ୱାସ କରନ୍ତି ନାହିଁ: ନିରଞ୍ଜନ

ଭୁବନେଶ୍ୱର : ଅନେକ ରାଜ୍ୟରେ ସଂଖ୍ୟାଗରିଷ୍ଠତା ନଥାଇ ଅର୍ଥବଳରେ ସରକାର ଗଠନ କରିଛି ବିଜେପି। ଏବେ ସେଠାରେ ଅସନ୍ତୋଷ ବଢିଲାଣି। କେବଳ ସେତିକି ନୁହେଁ, ଏନଡିଏର ସହଯୋଗୀ ଦଳଗୁଡିକ ମଧ୍ୟ ବିଜେପିଠାରୁ ଦୂରେଇବା ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ଓଡ଼ିଶା ଉପରେ ବିଜେପିର ନଜର ପଡିଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦଳର ସଭାପତି ଅମିତ ଶାହା, ଅନ୍ୟ ମନ୍ତ୍ରୀମାନେ ବାରମ୍ବାର ଓଡ଼ିଶା ଆସିବାରେ ଲାଗିଛନ୍ତି। ହେଲେ ସେମାନେ ଓଡ଼ିଶାବାସୀଙ୍କୁ ଯେତେ ଭେଳିକି ଦେଖାଇଲେ ବି ସେଥିରୁ କିଛି ସୁଫଳ ମିଳିବ ନାହିଁ। ସେମାନଙ୍କ ପ୍ରକୃତ ଚେହେରା ପଦାରେ ପଡିସାରିଛି। ଭୋଟରମାନେ ଉପଯୁକ୍ତ ସମୟରେ ସେମାନଙ୍କର ନିଷ୍ପତ୍ତି ଜଣାଇବେ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ପ୍ରେସ ବିବୃତିରେ କହିଛନ୍ତି।

ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବିରୋଧରେ ଲମ୍ବା ଅଭିଯୋଗ ଉପସ୍ଥାପନ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର କେନ୍ଦ୍ରରେ ଚାରିବର୍ଷ ପୂରଣ କରିଥିଲେ ହେଁ ସବୁକ୍ଷେତ୍ରରେ ବିଫଳ ହୋଇଛି। ପ୍ରଧାନମନ୍ତ୍ରୀ ଦେଶର ସବୁ ଗାଁକୁ ବିଦ୍ୟୁତ ଯୋଗାଣ ନିମନ୍ତେ ଘୋଷଣା କରିଥିଲେ। କୋଣସି ଗାଁ, କୋଣସି ଘର ଅନ୍ଧାର ରହିବ ନାହିଁ ବୋଲି କହିଥିଲେ। ହେଲେ ସପ୍ତାହକ ତଳେ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ଜଣେ ଯୁଗ୍ମ ସଚିବ କହିଲେ, ଗାଁକୁ ଖୁଣ୍ଟ ପୋତି ତାର ଟାଣିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର। କିନ୍ତୁ ଚବିଶଘଣ୍ଟିଆ ବିଦ୍ୟୁତ ଯୋଗାଣ ପାଇଁ କେନ୍ଦ୍ର ସରକାର ଗ୍ୟାରେଣ୍ଟି ଦେଇପାରିବେ ନାହିଁ। ଏହି ଦାୟିତ୍ୱ ବିଦ୍ୟୁତ ଆବଣ୍ଟନକାରୀ କମ୍ପାନିର। ଅର୍ଥାତ୍‌ ରାଜ୍ୟ ସରକାରଙ୍କର ଏହି ଦାୟିତ୍ୱ ବୋଲି କହି କେନ୍ଦ୍ର ସରକାର ଠକିବା ଆରମ୍ଭ କରିଛନ୍ତି।

କେନ୍ଦ୍ରର ବିଜେପି ସରକାର ଭଲ ଭାଷଣ ଦେଇଜାଣିଛନ୍ତି ବୋଲି ସୂଚାଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏଥିରେ କାହାର ପେଟ ପୁରେନାହିଁ କି ସମସ୍ୟା ସମାଧାନ ହୁଏନାହିଁ। ମହାନଦୀରେ ଛତିଶଗଡର ବିଜେପି ସରକାର ବନ୍ଧ ବାନ୍ଧି ପାଣିକୁ ଅଟକାଇଲେ। ଖରାଦିନେ ଓଡ଼ିଶାରେ ମହାନଦୀ ଶଯ୍ୟା ଶୁଖିଲା ପଡିଲା। ଏବେ ତେଲ ନଦୀରେ ବନ୍ଧ ବନ୍ଧାଚାଲିଛି। କେନ୍ଦ୍ର ସରକାର ନିରବ ରହି ଛତିଶଗଡକୁ ପ୍ରକଳ୍ପ କାମ ଶେଷ କରିବାରେ ସାହାଯ୍ୟ କଲେ।

ସେହିପରି ଜୁନ୍‌ ମାସ ସରି ଜୁଲାଇ ମାସ ହେଲା, ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ହୋଇପାରିଲା ନାହିଁ ବୋଲି ଅଭିଯୋଗ ଆଣିବା ସହିତ ସହ କଳାଟଙ୍କା ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ପିସିସି ମୁଖିଆ ସମାଲୋଚନା କରିଛନ୍ତି। କହିଛନ୍ତି, କ୍ଷମତାକୁ ଆସୁ ଆସୁ ମୋଦି ବିଦେଶରେ ଥିବା କଳାଟଙ୍କା ସ୍ୱଦେଶ ଫେରାଇ ଆଣିବାକୁ ଘୋଷଣା କରିଥିଲେ। ରାତିଅଧିଆ ନିଷ୍ପତ୍ତି ନେଇ ବିମୁଦ୍ରାକରଣ କଲେ। କଳାଟଙ୍କା ଫେରାଇ ଆଣିବା ତ ଦୂରର କଥା, ଗରିବ, ନିମ୍ନ ମଧ୍ୟବିତ୍ତ ଲୋକ ସେମାନଙ୍କ ସଞ୍ଚିତ ଅର୍ଥ ପାଇବାକୁ ଘଣ୍ଟା ଘଣ୍ଟା ଧରି ବ୍ୟାଙ୍କ ଆଗରେ ଲାଇନ୍‌ରେ ଛିଡାହେଲେ। ଏହା ପରବର୍ତୀ ସମୟରେ ସ୍ୱିସ୍‌ ବ୍ୟାଙ୍କରେ ସାତହଜାର କୋଟି ଟଙ୍କାର କଳାଧନ ଜମା ହୋଇଥିବା ଜଣାପଡୁଛି।

ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ ହେଁ, ଏ ଦିଗରେ ତାଙ୍କ ପ୍ରତିଶ୍ରୁତି ପାଳନ କରିନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ବରଂ ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ବୋଲି ପିିସିସି ସଭାପତି କହିଛନ୍ତି।

ସମ୍ବନ୍ଧିତ ଖବର