ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଓଡ଼ିଶାବାସୀ ନିରାଶ: ନିରଞ୍ଜନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଓ ତାଙ୍କର ଭାଷଣ ଶୁଣିଲା ପରେ ଓଡ଼ିଶାବାସୀ ନିରାଶ ହୋଇଛନ୍ତି। ତାଙ୍କ ଉପରେ ବହୁତ ଆଶା ଥିଲା, ମହାନଦୀ ପ୍ରସଙ୍ଗରେ ସେ ଆଶ୍ୱାସନା ଦେବେ। ପ୍ରତ୍ୟକ୍ଷରେ ସେ ଛତିଶଗଡ଼ ସରକାରଙ୍କୁ ସଂପୂର୍ଣ୍ଣ ସମର୍ଥନ କଲେ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ନେଇ ସେ ତାଙ୍କ ପ୍ରତିକ୍ରିୟାରେ କହିଲେ, ମହାନଦୀ ବିଷୟରେ ସେ ଯାହା କହିଲେ ତାହା ସମସ୍ତେ ଜାଣନ୍ତି। ହୀରାକୁଦର ତଳମୁଣ୍ଡକୁ ପାଣି ବୋହି ସମୁଦ୍ରକୁ ଯାଉଛି। ରାଜ୍ୟ ସରକାର କିଛି ପଦକ୍ଷେପ ନେଉନାହାନ୍ତିି। ଏହା ସତ୍ୟ। କିନ୍ତୁ ଆଜିର ସମସ୍ୟା ଭିନ୍ନ। ଆଜିର ସମସ୍ୟା ହେଉଛି ଛତିଶଗଡ଼ ସରକାର ମହାନଦୀ ପାଣି ରୋକିଦେଉଛି। ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେବା ପରିବର୍ତେ ଯାହା କହିଲେ ତାହା ମିଥ୍ୟା। ସେ କହିଲେ, ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ଓଡ଼ିଶା ସରକାର ରାଜି ହେଲେନି। ଆମେ ଏହା ଗଠନ ପାଇଁ ପଦକ୍ଷେପ ନେଲୁ। ବରଂ ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ଟ୍ରିବ୍ୟୁନାଲ୍‌ ଗଠନ ହୋଇଛି। ଟ୍ରିବ୍ୟୁନାଲ୍‌କୁ କେନ୍ଦ୍ର କାର୍ଯ୍ୟକ୍ଷମ କରୁନାହିଁ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତିି।

ସେହିପରି ପାରାଦୀପ ଆଇଓସିଏଲ୍‌ ତାଙ୍କ ସରକାର ପ୍ରତିଷ୍ଠା କରିଥିବା ନେଇ ପ୍ରଧାନମନ୍ତ୍ରୀ ଯାହା କହିଲେ, ତାହା ମିଥ୍ୟା। ସେ(ପିସିସି ସଭାପତି) ଶିଳ୍ପମନ୍ତ୍ରୀ ଥିବା ବେଳେ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇଥିଲା। ପରବର୍ତୀ ସମୟରେ ଉପା ସରକାର ଅର୍ଥ ବ୍ୟବସ୍ଥା କରିଥିଲେ। କିନ୍ତୁ ଏହାକୁ ଉଦ୍‌ଘାଟନ କଲେ ମୋଦି। ସେ କେବଳ ଗୋଟିଏ କାମ କରିଛନ୍ତି। ପାରାଦୀପ କେନ୍ଦ୍ର ସରକାରଙ୍କ ବନ୍ଦର। ଏହି ବନ୍ଦରକୁ ଗ୍ୟାସଲାଇନ ପାଇପ ବିଛାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ସେ ନିଷ୍ପତ୍ତି ବଦଳାଇ ସେହି ପ୍ରକଳ୍ପକୁ ଆଦାନୀ ପରିଚାଳନାରେ ଥିବା ଧାମରା ବନ୍ଦରକୁ ସ୍ଥାନାନ୍ତର କଲେ।

ସେହିପରି ଜଳସେଚନ ପ୍ରକଳ୍ପ ନିମନ୍ତେ ଓଡ଼ିଶାକୁ ୮୦ ହଜାର କୋଟି ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଲେ। କାରଣ ସାରା ଭାରତରେ ୯୦ଟି ଅସଂପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ପାଇଁ ୮୦ ହଜାର କୋଟିର ମଂଜୁର କରାଯାଇଛି। ସେଥିମଧ୍ୟରୁ ଓଡ଼ିଶାର ମାତ୍ର ୯ଟି ଅସଂପୂର୍ଣ୍ଣ ପ୍ରକଳ୍ପ ରହିଛି। ସେଥିପାଇଁ ୫୬୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପରେ ଯାଇ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିବେ। ଏହି ପ୍ରସଙ୍ଗରେ ବି ପ୍ରଧାନମନ୍ତ୍ରୀ ମିଥ୍ୟା କହିଲେ। ପ୍ରଧାନମନ୍ତ୍ରୀ ଭାବେ ସେ ରାଜନୀତିରୁ ଊର୍ଦ୍ଧ୍ୱରେ ରହିବା କଥା। କିନ୍ତୁ ସେ ନ୍ୟାୟ କରୁଛନ୍ତି ବୋଲି ଆମେ ଅନୁଭବ କରୁନାହୁଁ। ଏହା ଆମ ଓଡ଼ିଶାର ଦୁର୍ଭାଗ୍ୟ ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତିି।

ସମ୍ବନ୍ଧିତ ଖବର