ନବୀନ ଓ ମୋଦୀଙ୍କ ପରସ୍ପରକୁ ଆକ୍ଷେପ ଲୋକଦେଖାଣିଆ: ନିରଞ୍ଜନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଓଡ଼ିଶା ଗସ୍ତ ଅବସରରେ ଝାରସୁଗୁଡା ବିମାନ ବନ୍ଦର ଉଦ୍‌ଘାଟନ ସହିତ ତାଳଚେର ସାର କାରଖାନା ପୁନରୁଦ୍ଧାର ନିମନ୍ତେ ଶୁଭଦେଲେ। ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଉଦ୍‌ବୋଧନ ଦେଲେ। ଟଙ୍କିକିଆ ଚାଉଳ, ଆୟୁଷ୍ମାନ ଯୋଜନା, ସ୍ୱଚ୍ଛତା କାର୍ଯ୍ୟକ୍ରମ, ଦୁର୍ନୀତି, ପିସି କାରବାର ଆଦିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କଲେ। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେଇଥିବା ପ୍ରକାଶ କରିଥିଲେ। ଦୁହିଁଙ୍କ ମଧ୍ୟରେ ବାହାରକୁ ଏହା ଆକ୍ଷେପ ପ୍ରତିଆକ୍ଷେପ ଲାଗୁଥିଲେ ମଧ୍ୟ ସେମାନେ ଚତୁରେ ଚତୁରେ କୋଳାକୋଳି ହୋଇଛନ୍ତି। ରାଜ୍ୟକୁ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ପୁରସ୍କାର ଦେଇ ଚାଲିଥିବାବେଳେ ରାଜ୍ୟର ନବୀନ ସରକାର ମଧ୍ୟ ମୋଦୀଙ୍କୁ ବିମୁଦ୍ରାୟନଠାରୁ ୍ରଆରମ୍ଭ କରି ଜିଏସ୍‌ଟି, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଆଦି ସମସ୍ତ କ୍ଷେତ୍ରରେ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି।

ତୈଳଦର ବୃଦ୍ଧିରେ ସାଧାରଣ ଲୋକ ତ୍ରାହିତ୍ରାହି ଡାକୁଥିବା ବେଳେ ବିଜେଡି କେବଳ ଲୋକ ଦେଖାଣିଆ ଭାବେ ପେଟ୍ରୋଲ ପମ୍ପ ସମ୍ମୁଖରେ ହାଲ୍‌କା ପ୍ରତିବାଦ ଜଣାଇ ନିରବ ରହିଲା। ଏହା ରାଜ୍ୟରେ ଭାଟ୍‌ ହ୍ରାସ ଦିଗରେ କୋଣସି ପଦକ୍ଷେପ ନେଉନାହିଁ କିମ୍ବା ଇନ୍ଧନକୁ ଜିଏସଟି ପରିସରଭୁକ୍ତ କରିବାକୁ କେନ୍ଦ୍ର ଉପରେ ଚାପ ପକାଉନାହିଁ। ଏପରିକଲେ ସିବିଆଇ ଚଢଉର ଭୟ ରହିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଏକ ବିବୃତିରେ ସେ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଗୋଟିଏ ହେଲେ ନ୍ୟାଯ୍ୟ ଦାବି ଯଥାଯଥ ଭାବେ ଉପସ୍ଥାପନ କରୁନାହାନ୍ତି। ବିଭିନ୍ନ ଦୁର୍ନୀତିରେ ବୁଡି ରହିଥିବା ରାଜ୍ୟ ସରକାର ଗାଦି ସମ୍ଭାଳିବା ପାଇଁ କେନ୍ଦ୍ରର ବିଜେପି ସରକାରକୁ ଆଖିବୁଜି ସମର୍ଥନ କରୁଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କ ନିମନ୍ତେ କର୍ମନିଯୁକ୍ତି ଯୋଗାଇବାରେ ବିଫଳ ହୋଇଥିବା ନବୀନ ସରକାର ବିଜୁ ଯୁବ ବାହିନୀ ନାମରେ ସଂଗଠନ ଗଢି ସେଥିରେ ଯୁବକମାନଙ୍କୁ ସାମିଲ କରିବାରେ ଲାଗିଛନ୍ତି। ଏହାଦ୍ୱାରା ସେମାନଙ୍କର ଭବିଷ୍ୟତ କ’ଣ ହେବ ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି। ଏଥିସହିତ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତି ବର୍ଷ ୨୦ ଲକ୍ଷ ନିଯୁକ୍ତି ଯୋଗାଇଦେବାକୁ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ। ତାହା କୁଆଡେ ଗଲା ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ନାନା ଆକର୍ଷଣୀୟ ଯୋଜନା ଘୋଷଣା କରି ଏବଂ ପରସ୍ପରକୁ ଆକ୍ଷେପକରି ସାଧାରଣ ଲୋକଙ୍କୁ ଯେଉଁଭଳି ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି, ତାହା ଆଉ ଲୁଚି ରହିନାହିଁ। ରାଜ୍ୟବାସୀ ତାହାର ଉପଯୁକ୍ତ ଜବାବ ଦେବେ ବୋଲି ନିରଞ୍ଜନ କହିଛନ୍ତି।

ସମ୍ବନ୍ଧିତ ଖବର