ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ଲୋକସଭା ଓ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିଫଳତାର ସାମ୍ନା କରିବାକୁ ପଡ଼ିଛି । ଦେଶ ବ୍ୟାପି କଂଗ୍ରେସକୁ ନିରୁତ୍ସାହଜନକ ଫଳାଫଳ ମିଳିଥିବା ବେଳେ ଓଡିଶାରେ ୧୦ଟି ବିଧାୟକ ଆସନ ଜିତିବାରେ ସମର୍ଥ ହୋଇନି କଂଗ୍ରେସ । ଓଡ଼ିଶାରେ ଏହି ପରାଜୟ ପାଇଁ ନୈତିକ ଦାୟିତ୍ୱ ଗ୍ରହଣ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ପିସିସି ସଭାପତି ପଦରୁ ନିରଂଜନ ଇସ୍ତଫା ଦେଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନିଜ ଇସ୍ତଫା ପତ୍ର ଏଆଇସିସି ନିକଟକୁ ପଠାଇଦେଇଥିବା କହିଛନ୍ତି ନିରଂଜନ ପଟ୍ଟନାୟକ । ତେବେ ପ୍ରତିକୂଳ ପରିସ୍ଥିତିରେ ଦଳକୁ ବିଜୟ ଆଣିଦେଇଥିବା କଂଗ୍ରେସର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିସିସି ସଭାପତି । ଏଥିସହ ସେ ବିଫଳତାର କାରଣ ସନ୍ଧାନ କରିବା ଲାଗି ଏକ କମିଟି ଗଠନ କରିଛନ୍ତି।

ଚଳିତ ନିର୍ବାଚନରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରେ ନିର୍ବାଚନ ଲଢିଥିଲେ । କେନ୍ଦୁଝର ଜିଲ୍ଲା ଘସିପୁରା  ଏବଂ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀରୁ ବିଧାନସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ଦୁଇଟି ଯାକ ଆସନରେ ନିରଂଜନଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା ।

ସମ୍ବନ୍ଧିତ ଖବର