ନିର୍ବାଚନ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର: ଚଳିତ ବିଧାନସଭା ଓ ଲୋକସସଭା ନିର୍ବାଚନରେ ନିରପେକ୍ଷତା ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟନାୟକ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଶାସକ ଦଳ ଚଳିତ ନିର୍ବାଚନକୁ ପ୍ରଭାବିତ କରିବା ସକାଶେ ଅର୍ଥ ଓ ବାହୁବଳ ପ୍ରୟୋଗ କରୁଛନ୍ତିି। ଏପରିକି ବିରୋଧୀ ରାଜନୈତିକ ଦଳ କଂଗ୍ରେସକୁ ନାନା ଉପାୟରେ ହଇରାଣ କରିବାକୁ ସରକାରୀକଳକୁ ଅପବ୍ୟବହାର କରାଯାଉଛି। ଗଂଜାମ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନଙ୍କ ଉପରେ ଆକ୍ରମଣ ହେଉଥିବାବେଳେ ସେମାନଙ୍କ ପ୍ରଚାର ପୋଷ୍ଟରକୁ ଚିରି ଦିଆଯାଉଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶାସକ ଦଳର ଏଭଳି କାର୍ଯ୍ୟ ପ୍ରତି ଦୃଷ୍ଟିଦେଇ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବାକୁ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜଟଣୀରେ ସମ୍ପ୍ରତି ଜଣେ ନାବାଳିକାକୁ ଦୁଷ୍କର୍ମ କରାଯିବା ଏବଂ ତାଙ୍କ ବାପାଙ୍କୁ ଥାନା ଭିତରେ ମାଡ ମରାଯିବା ଘଟଣାରେ ପୁଲିସ ନୀରବଦ୍ରଷ୍ଟା ସାଜିଛି। ଏହି ମାଡମରା ଘଟଣାରେ ଶାସକ ଦଳର ଜଣେ ପୂର୍ବତନ ସରପଂଚ ସଂପୃକ୍ତ ଥିବା ଅଭିଯୋଗ ହେଉଥିବାବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଛି।

ଖୋର୍ଦ୍ଧାରେ ଏକ ରାଜନୈତିକ ଦଳର ଜଣେ କର୍ମକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଗଲା। ନିକଟ ଅତୀତରେ ଜଣେ ରାଜନୈତିକ ବ୍ୟକ୍ତିଙ୍କୁ କେନ୍ଦୁଝରରେ ଯେଉଁଭଳି ନିର୍ମମ ଭାବରେ ହତ୍ୟା କରାଯାଇଥିଲା, ତାହା ଓଡ଼ିଶାବାସୀ ଜାଣନ୍ତି। ଏହି ହତ୍ୟା ପଛରେ ଶାସକ ଦଳର ଜଣେ ଟାଣୁଆ ନେତାଙ୍କ ପ୍ରଚ୍ଛନ୍ନ ହାତଥିବା ଅଭିଯୋଗ ହୋଇଥିଲା। ଗଂଜାମ, କୋରାପୁଟ, କେନ୍ଦୁଝର, ବାଲେଶ୍ୱର ଆଦି ସ୍ଥାନରେ ଶାସକ ଦଳ ସରକାରୀ କଳର ଦୁରୁପଯୋଗ କରୁଛନ୍ତି। ନିର୍ବାଚନ ସମୟରେ ପୁଲିସ ନିରପେକ୍ଷତା ପରିବର୍ତ୍ତେ ପକ୍ଷପାତିତା କରୁଥିବା ନିରଂଜନ କହିଛନ୍ତି।

ସମ୍ବନ୍ଧିତ ଖବର