ଗୁଜରାଟ ଉପମୁଖ୍ୟମନ୍ତ୍ରୀଙ୍କ ବିଦ୍ରୋହ

ଇସ୍ତଫା ପାଇଁ ନୀତିନଙ୍କ ଧମକ

ମନପସନ୍ଦ ବିଭାଗ ନମିଳିବାରୁ କ୍ଷୁବ୍ଧ
କଂଗ୍ରେସର ଘୋଷଣା: ୧୦ ବିଧାୟକଙ୍କ ସହ ଦଳ ଛାଡ଼ିଲେ ସମର୍ଥନ ଦେବୁ

ଅହମଦାବାଦ : ଗୁଜରାଟରେ ଗତ ବିଧାନସଭା ନିର୍ବାଚନରେ ପରାଜୟରୁ ଅଳ୍ପକେ ବର୍ତିଯାଇଥିବା ବିଜେପି ସରକାର ପାଇଁ ଏବେ ନୂଆ ସଙ୍କଟ ସୃଷ୍ଟି ହୋଇଛି। ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ବିଦ୍ରୋହ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ ସରକାରରେ ଅର୍ଥ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ତୁଲାଇଥିବା ନୀତିନଙ୍କୁ ଏଥର ଅପେକ୍ଷାକୃତ କମ୍‌ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହିତ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି।

ପଟେଲ ସଂପ୍ରଦାୟର ଟାଣୁଆ ନେତା ଭାବେ ପରିଚିତ ନୀତିନ ପଟେଲ ଚଳିତ ସରକାରରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ତେବେ ପୂର୍ବରୁ ତାଙ୍କ ହାତରେ ଥିବା ଅର୍ଥ, ସହରାଞ୍ଚଳ ବିକାଶ ଏବଂ ତୈଳ ମନ୍ତ୍ରାଳୟ କାଢ଼ିନିଆଯାଇଥିବାରୁ ଏଥିରେ ନୀତିନ କ୍ଷୁବ୍ଧ ହୋଇଛନ୍ତି। ତାଙ୍କର ଭୂମିକାକୁ ଗୌଣ କରିବା ପାଇଁ ଏଭଳି କରାଯାଇଛି ବୋଲି ନୀତିନଙ୍କ ସମର୍ଥକମାନେ କହୁଥିବା ବେଳେ ନୀତିନ ମଧ୍ୟ ଏହାର ପ୍ରତିବାଦ କରି କୌଣସି ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରିନାହାନ୍ତି କି ସରକାରଙ୍କ ବୈଠକରେ ଯୋଗଦେଉନାହାନ୍ତି। ଆଜି ନୀତିନ ଗଣମାଧ୍ୟମକୁ କହିଛନ୍ତି ଯେ ପୂର୍ବ ବିଜେପି ସରକାରରେ ତାଙ୍କର ଯେଉଁ ସ୍ଥିତି ଥିଲା ତାହା ଏବେ ନାହିଁ। ସେ ପୁଣି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ହାତରେ କିଛି ବି ଗୁରୁତ୍ୱପୂର୍ଣ୍ଣ ବିଭାଗ ନାହିଁ। ଏହା ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସେ ଏହି ପ୍ରସଙ୍ଗରେ ସାଲିସ କରିବେ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ଏ ବାବଦରେ ସେ ଦଳର କେନ୍ଦ୍ରୀୟ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ଦଳର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ବୋଲି ସେ କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏସଂପର୍କରେ ବିସ୍ତୃତ ଭାବେ କିଛି କହିବାକୁ ମନା କରିଦେଇଛନ୍ତି। ସେ କେବଳ ଏତିକି କହିଛନ୍ତି ଯେ ନୀତିନ ହେଉଛନ୍ତି ଜଣେ ବରିଷ୍ଠ ମନ୍ତ୍ରୀ ଏବଂ ଏବେ ବି ତାଙ୍କର ସ୍ଥାନ ଦ୍ୱିତୀୟରେ ରହିଛି। ନୀତିନଙ୍କ ବିଦ୍ରୋହ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର କିପରି ମୁକାବିଲା କରାଯିବ ତାହା ଉପରେ ବିଚାର ଆଲୋଚନା ପାଇଁ ବରିଷ୍ଠ ନେତାମାନଙ୍କର ଏକ ବୈଠକ ଡକାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତ ସରକାରରେ ତାଙ୍କ ହାତରେ ଅର୍ଥ ଏବଂ ନଗର ଉନ୍ନୟନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିଲା। ଏଥର ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ମିଳିଛି।

ଗୋଟିଏ ପଟେ ନୀତିନଙ୍କୁ ନେଇ ରାଜ୍ୟ ବିଜେପିର ସମସ୍ୟା ବଢ଼ୁଥିବା ବେଳେ ଆଜି ପଟିଦାର ଆନ୍ଦୋଳନ ସମିତିର ନେତା ହାର୍ଦ୍ଦିକ ପଟେଲ ନିଆଁରେ ଘିଅ ଢ଼ାଳିବା କାମ କରିଛନ୍ତି। ବିଜେପି ନୀତିନ ପଟେଲଙ୍କୁ ଅସମ୍ମାନ କରିଥିବାରୁ ସେ ତୁରନ୍ତ ଦଳ ତ୍ୟାଗ କରି ପଟିଦାର ଆନ୍ଦୋଳନ ସମିତିରେ ଯୋଗଦେଇ ଆନ୍ଦୋଳନର ନେତୃତ୍ୱ ନେବାକୁ ହାର୍ଦ୍ଦିକ ଆହ୍ଵାନ ଦେଇଛନ୍ତି। ଦଳ ପାଇଁ କଠୋର ପରିଶ୍ରମ କରିଥିବା ନୀତିନଙ୍କୁ ବିଜେପି ଷଡ଼ଯନ୍ତ୍ର କରି ଅପମାନିତ କରୁଛି ବୋଲି ହାର୍ଦ୍ଦିକ କହିଛନ୍ତି। ଏଭଳି ପରିସ୍ଥିତିରେ ନୀତିନ ଯଦି ୧୦ ବିଜେପି ବିଧାୟକଙ୍କ ସହ ଦଳ ଛାଡ଼ିବେ ତେବେ କଂଗ୍ରେସ ବିଧାୟକମାନେ ତାଙ୍କୁ ସମର୍ଥନ କରିବା ପାଇଁ ଆଲୋଚନା ଆରମ୍ଭ ହେବ ଏବଂ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବ ବୋଲି ହାର୍ଦ୍ଦିକ କହିଛନ୍ତି।

ରାଜ୍ୟ କଂଗ୍ରେସ ସଭାପତି ଭରତ ସିଂହ ସୋଲାଙ୍କି କହିଛନ୍ତି କଂଗ୍ରେସ ଏବେ ରାଜ୍ୟର ପରିସ୍ଥିତି ଉପରେ ସତର୍କ ନଜର ରଖିଛି। ଆନନ୍ଦୀବେନ ପଟେଲଙ୍କ ପରେ ବିଜେପି ପଟେଲ ସଂପ୍ରଦାୟର ଆଉ ଜଣେ ଟାଣୁଆ ନେତା ନୀତିନ ପଟେଲଙ୍କୁ ଏବେ ଟାର୍ଗେଟ୍‌ କରିଛି । ନୀତିନ ଯଦି ୧୦ ଜଣ ବିଜେପି ବିଧାୟକଙ୍କୁ ନିଜ ପଟକୁ ଆଣି ସରକାରରୁ ଓହରି ଆସିବେ ତା’ହେଲେ କଂଗ୍ରେସ ସମର୍ଥନ ଦେବାକୁ ତୟାର ରହିଛି ବୋଲି ସୋଲାଙ୍କି କହିଛନ୍ତି। ବିଧାନସଭା ନିର୍ବାଚନରେ ପଟେଲ ସଂପ୍ରଦାୟର ନେତା ହାର୍ଦ୍ଦିକ ପଟେଲ ବିଜେପିକୁ ଜୋର୍‌ଦାର ବିରୋଧ କରିଥିଲେ ମଧ୍ୟ ନୀତିନଙ୍କ ସୁଚିନ୍ତିତ ରଣନୀତି ଯୋଗୁଁ ପଟେଲ ବହୁଳ ଅଂଚଳରେ ବିଜେପି କୌଣସି ବିପର୍ଯ୍ୟୟର ଶିକାର ହୋଇନଥିଲା । ଏଭଳି ସ୍ଥିତିରେ ନୀତିନଙ୍କ ହାତରେ ପୂର୍ବ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ରହିବ ବୋଲି ଆଶା କରାଯାଉଥିବା ବେଳେ ଦଳ ତାଙ୍କୁ ଅଣଦେଖା କରିବା ବିସ୍ମୟ ସୃଷ୍ଟି କରିଛି । ତେବେ ଏହି ସମସ୍ୟା ନେଇ ଦଳର କୌଣସି ବରିଷ୍ଠ ନେତା ମୁହଁ ଖୋଲୁନାହାନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ହସ୍ତକ୍ଷେପ ପରେ ମାମଲା ସୁଧରିବ ବୋଲି ଦଳୀୟ ନେତାମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର