ଗତବର୍ଷ ପରି ଏବର୍ଷ ମକର ସଂକ୍ରାନ୍ତିରେ ବି ଲାଲୁଙ୍କ ଘରେ ହେବ ନାହିଁ ଦହି-ଚୁଡ଼ା ଭୋଜି

ପାଟ୍‌ନା: ଦ୍ୱିତୀୟ ଥର ପାଇଁ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରେ ମକର ସଂକ୍ରାନ୍ତିରେ ପାରମ୍ପରିକ ଦହି-ଚୁଡ଼ା ଭୋଜି ହେବ ନାହିଁ। ଆର୍‌ଜେଡି ମୁଖପାତ୍ର ଚିତ୍ତରଞ୍ଜନ ଗଗନ ଏ ସଂପର୍କରେ ସ୍ପଷ୍ଟ କରିଛନ୍ତି। ବିହାରର ସର୍କୁଲାର ରୋଡରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ବାସଭବନରେ ଏବର୍ଷ ଦହି-ଚୂଡ଼ା ଭୋଜି ହେବ ନାହିଁ ବୋଲି ସୂଚନା ରହିଛି।

ଲାଲୁ ପ୍ରସାଦ ଯାଦବ ଚଳିତବର୍ଷ ଜେଲ୍‌ରେ ଥିବା ହେତୁ ଏହି କାର୍ଯ୍ୟକ୍ରମ ବନ୍ଦ ରହିବ। ଗଗନ ସୂଚନା ଦେଇ କହିଛନ୍ତି କି ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ଘରେ ହେବାକୁ ଥିବା ଭୋଜିକୁ ବନ୍ଦ କରି ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଲାଲୁଙ୍କ ଶାରୀରିକ ଅବସ୍ଥା ଭଲ ନଥିବା ହେତୁ ତାଙ୍କୁ ସହଜରେ ଜାମିନ୍‌ ମିଳିଯିବ ବୋଲି ସମସ୍ତେ ଅନୁମାନ ଲଗାଇଥିଲେ ବି କୋର୍ଟ ତାଙ୍କୁ ଜାମିନ ଦେଇ ନାହାନ୍ତି। ଏହି ସମାନ ମାମଲାରେ ଅନ୍ୟ ଲୋକଙ୍କୁ ଜାମିନ ମିଳିଥିବା ବେଳେ ଲାଲୁଙ୍କୁ ମିଳି ନାହିଁ ବୋଲି ଗଗନ କହିଛନ୍ତି।

ପୂର୍ବ ବର୍ଷ ବି ଲଲାଙ୍କୁ ଘରେ ଦହି-ଚୁଡ଼ା ଭୋଜି ହୋଇପାରି ନଥିଲା। ତାଙ୍କ ଭଉଣୀ ଗଙ୍ଗୋତ୍ରୀ ଦେବୀଙ୍କ ପରଲୋକ ହେତୁ ଭୋଜି ବନ୍ଦ କରି ଦିଆଯାଇଥିଲା। ନଚେତ ପ୍ରତିବର୍ଷ ମକର ସଂକ୍ରାନ୍ତିରେ ଲାଲୁଙ୍କ ଘରେ ଏହି ପର୍ବ ଚାଲିଥାଏ।

ସମ୍ବନ୍ଧିତ ଖବର