ରାଜନୀତିର ନିଆରା ରଙ୍ଗ; କେହି ନୁହନ୍ତି କହାର ଶତ୍ରୁ… ଆଗ ମିତ୍ରତା ପରେ ଲଢ଼େଇ…

ଭୁବନେଶ୍ୱର: ‘କଥାରେ ଅଛି ରାଜନୀତିରେ କେହି କାହାର ଚୀରକାଳ ଶତ୍ରୁ ନ ଥାନ୍ତି; କିମ୍ବା ମିତ୍ର ମଧ୍ୟ। ରାଜନୀତିରେ ଆଜିର ମିତ୍ର; କାଲି ଶତ୍ରୁ ଏବଂ କାଲିର ଶତ୍ରୁ ଆଜି ମିତ୍ର… ଆଜି ପ୍ରାର୍ଥୀପତ୍ର ଦାଖଲ ଅବକାଶରେ ଦେଖିବାକୁ ମିଳିଥିବା ଏହିପରି ଦୁଇଟି ନିଆରା ଦୃଶ୍ୟ, ଏହି କଥାର ପ୍ରମାଣ ଦେଉଛି।

ପ୍ରଥମ ଘଟଣାଟି ଦେଖିବା ପାଇଁ ମିଳିଥିଲା ବରଗଡ଼ ଜିଲ୍ଲାରେ। ବରଗଡ଼ ଲୋକସଭା ଆସନରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ସୁରେଶ ପୂଜାରୀ ଓ ପ୍ରସନ୍ନ ଆଚାର୍ଯ୍ୟ। ବିଜେପି ପ୍ରାର୍ଥୀ ଭାବେ ସୁରେଶ ପୂଜାରୀ ମଇଦାନକୁ ଓହ୍ଲାଇ ଥିବା ବିଜେଡିର ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି ବିଜେଡିର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ। ବରଗଡ଼ ଲୋକସଭା ଆସନରୁ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚନ ଲଢ଼ୁଥିବା ଏହି ଦୁଇ ନେତା ଆଜି ନିଜ ନିଜର ନାମାନଙ୍କ ପତ୍ର ଦାଖଲ ଉଦ୍ଦେଶ୍ୟରେ ସମର୍ଥକମାନଙ୍କ ଗହଣରେ ପଟୁଆରରେ ବାହାରିଥିଲେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ। ହେଲେ, ପରସ୍ପର ଭେଟାଭେଟି ହୋଇ ଯାଇଥିଲେ ମଝି ବାଟରେ। ତହୁଁ ଉଭୟେ ଆସିଥିଲେ ଉଭୟଙ୍କ ଆଡ଼କୁ। ସମର୍ଥକମାନେ କିଛି ବୁଝିବା ପୂର୍ବରୁ ଉଭୟ ନେତା ପରସ୍ପରକୁ କୁଣ୍ଢାଇ ଧରି କୋଳାକୋଳି ହୋଇଥିଲେ ଓ ପଦେ ଦୁଇପଦ ଭଲମନ୍ଦ ବାବଦରେ କଥା ହୋଇଥିଲେ। ତା’ପରେ ସୁରେଶଙ୍କ ଗାଲକୁ ଆଉଁଶି ଦେଇଥିଲେ ପ୍ରସନ୍ନ।

ସେହିପରି ଅନ୍ୟ ଘଟଣାଟି ଦେଖିବା ପାଇଁ ମିଳିଥିଲା ରାଉରକେଲାରେ। ରାଉରକେଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଭାବେ ସାରଦା ନାୟକ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିର ନିହାର ରାୟ। ସାରଦା ଓ ନୀହାର ଉଭୟେ ମଧ୍ୟ ଆଜି ନିଜ ନିଜର ନାମାନଙ୍କ ପତ୍ର ଦାଖଲ ଉଦ୍ଦେଶ୍ୟରେ ସମର୍ଥକମାନଙ୍କ ଗହଣରେ ଶେଭାଯାତ୍ରରେ ଆସିଥିଲେ ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ। ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହାଁମୁହିଁ ଭେଟଘାଟ ହୋଇ ଯାଇଥିଲେ ଦୁଇ ନେତା। ପରସ୍ପର ପରସ୍ପରର ଆଡ଼କୁ ଚାହିଁ ହସି ଦେଲେ। ହେଲେ, ଇସ୍ପାତ ସହରରେ ଆଜି ଯୋଉ ଖରାକୁ ଯୋଉ ତାତି ସେଥିରେ ବିଜେଡି ନେତା ସାରଦା ଆକ୍ତାମାକ୍ତା; ଝାଳନାଳ ହୋଇ ମୁହଁ ନାଲି। ସାରଦାଙ୍କ ଏ ଅବସ୍ଥା ଦେଖି ନିହାର ସମ୍ଭାଳି ପାରଲେ ନାହିଁ। ଆଗେଇ ଗଲେ ସାରଦାଙ୍କ ଆଡ଼କୁ। ବେକରେ ପକାଇଥିବା ଗେରୁଆ ଗାମୁଛାରେ ପୋଛି ପକାଇଲେ ତାଙ୍କ ଝାଳୁଆ ମୁହଁକୁ; ହାତରେ ଧରି ଧରିଥିବା ପାଣି ବୋତଲରୁ ତାଙ୍କୁ ପିଆଇ ଦେଲେ କେଇ ଢ଼ୋକ ପାଣି ଆଉ ପଦେ ଦୁଇପଦ କଥା ହୋଇ ପୁଣି ଆସିଲେ ନିଜ ସମର୍ଥକଙ୍କ ଗହଣକୁ। ଆଉ ଏଇ ଦୃଶ୍ୟକୁ ନିଜ ନିଜର ମୋବାଇଲ କ୍ୟାମେରାରେ କୈଦ କରିବା ପାଇଁ ଉଭୟଙ୍କ ସମର୍ଥକମାନେ ନିଜ ନିଜ ମଧ୍ୟରେ ଆରମ୍ଭ କରି ଦେଇଥିଲେ ପ୍ରତିଦ୍ୱନ୍ଦ୍ୱିତା।

ସମ୍ବନ୍ଧିତ ଖବର