ମୋଦିଙ୍କ ଭଳି କୌଣସି ପ୍ରଧାନମନ୍ତ୍ରୀ ଭାରତକୁ ଗୌରବାନ୍ଵିତ କରି ନାହାନ୍ତି, ମୋ ପରିବାରରୁ ମଧ୍ୟ କେହି ନୁହନ୍ତି: ବରୁଣ ଗାନ୍ଧୀ

ପିଲିଭିତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପରେ ପ୍ରଶଂସାରେ ପୋତି ପକାଇ ବିଜେପି ନେତା ଏବଂ ସୁଲତାନପୁର ସାଂସଦ ବରୁଣ ଗାନ୍ଧୀ ରବିବାର ଦିନ କହିଛନ୍ତି ଯେ ମୋ ପରିବାରରୁ ପ୍ରଧାନମନ୍ତ୍ରୀ ହୋଇଥିବା ସଦସ୍ୟମାନଙ୍କ ସମତେ ମୋଦିଙ୍କ ଭଳି କୌଣସି ପ୍ରଧାନମନ୍ତ୍ରୀ ଭାରତକୁ ଗୌରବାନ୍ଵିତ କରିନାହାନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାତି ବରୁଣ ପିଲିଭିତ ଠାରେ ଏକ ଜନସମାବେଶରେ ଉଦ୍‌ବୋଧନ ଦେବା ବେଳେ ଏ ଭଳି ମନ୍ତବ୍ୟ ଦେଇଛନ୍ତି। ବିଜେପି ଟିକେଟ୍‌ରେ ବରୁଣ ପିଲିଭିତ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି।

ସେ କହିଛନ୍ତି: ବାଜପେୟୀ ସାଧାରଣ ପରିବାରରୁ ଆସିଥିଲେ, କିନ୍ତୁ କେବେ ଉତ୍କଟ ଦାରିଦ୍ର୍ୟର ସମ୍ମୁଖୀନ ହୋଇ ନାହାନ୍ତି। ମୋଦି ଆର୍ଥିକ ଦୁର୍ବଳ ପରିବାରରୁ ଆସିଛନ୍ତି। ସତ କହିବାକୁ ଗଲେ, ମୋ ପରିବାରରୁ ମଧ୍ୟ କେତେକ ଲୋକ ପ୍ରଧାନମନ୍ତ୍ରୀ ହୋଇଛନ୍ତି, କିନ୍ତୁ ଦେଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସମ୍ମାନ ଆଣିଛନ୍ତି ସୁଦୂର ଅତୀତରେ ମଧ୍ୟ ତାହା ପରିଲକ୍ଷିତ ହୋଇ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀର ମଙ୍ଗଳ ପାଇଁ ମୋଦି ପ୍ରତିବଦ୍ଧ ଏବଂ ସେଥିପାଇଁ ପ୍ରାଣ ଦେବାକୁ କୁଣ୍ଠାବୋଧ କରିବେ ନାହିଁ କାରଣ ତାଙ୍କର ଅନ୍ୟ କୌଣସି ଆକାଙ୍କ୍ଷା ନାହିଁ। ପାଞ୍ଚ ବର୍ଷ ମଧ୍ୟରେ ମୋଦିଙ୍କ ବିରୋଧରେ ଗୋଟିଏ ହେଲେ ଦୁର୍ନୀତି ଅଭିଯୋଗ ନାହିଁ। ତାଙ୍କ ପରିବାରେ କେହି ହେଲେ ନାହିଁ, କାହା ପାଇଁ ସେ ଦୁର୍ନୀତି କରିବେ? ଏ ଲୋକଟି ଦେଶ ପାଇଁ ବଞ୍ଚିଛନ୍ତି, ଦେଶ ପାଇଁ ମରିବେ। ସେ କେବଳ ଦେଶ ଚିନ୍ତା କରୁଛନ୍ତି।

ସମ୍ବନ୍ଧିତ ଖବର