ଭାଙ୍ଗିଲା ରାଜ୍ୟ ଛାତ୍ର କଂଗ୍ରେସ କମିଟି

ପଦ ହରାଇଲେ ଇତୀଶ

ଭୁବନେଶ୍ୱର : ଛାତ୍ର କଂଗ୍ରେସ(ଏନ୍‌ଏସ୍‌ୟୁଆଇ)ର ରାଜ୍ୟ କମିଟିକୁ ଭାଙ୍ଗି ଦିଆଯାଇଛି। ଏ ନେଇ ଓଡ଼ିଶା ଦାୟିତ୍ୱରେ ଥିବା ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ନିଖିଲ ଦ୍ୱିବେଦୀ ସୂଚନା ଦେଇଛନ୍ତି। ଆଜିଠାରୁ ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତାମାନେ ପଦ ହରାଇଛନ୍ତି। ପୁଣି ଥରେ ନିର୍ବାଚନ ହୋଇ ନୂଆ ସଭାପତି ଓ କର୍ମକର୍ତ୍ତା ନିର୍ବାଚନ କରାଯିବ।

ଇତୀଶଙ୍କ କାର୍ଯ୍ୟକାଳ ସରିବାକୁ ଆଉ ଗୋଟିଏ ମାସ ବାକି ଅଛି। ତାହା ପୂର୍ବରୁ କମିଟି ଭାଙ୍ଗି ଦିଆଯିବା ଘଟଣା କଂଗ୍ରେସ ରାଜନୀତିକୁ ପୁଣି ଚର୍ଚ୍ଚାକୁ ଆଣିଛି। ଅତର୍କିତ ଭାବେ କମିଟି ଭଙ୍ଗାଯିବା ପଛରେ କୌଣସି କାରଣ ରାଷ୍ଟ୍ରୀୟ ସମ୍ପାଦକ ଦର୍ଶାଇ ନାହାନ୍ତି। ତେବେ ଏହାକୁ ସହଜରେ ଗ୍ରହଣ କରି ନାହାନ୍ତି ଇତିଶ। ଏଥିପାଇଁ ସେ କିଛି ବରିଷ୍ଠ ନେତାଙ୍କୁ ଦାୟୀ କରିଛନ୍ତି। ତେବେ ନିର୍ଦ୍ଦିଷ୍ଟ ଭାବେ ସେ କାହାରି ନାଁ ନେଇ ନାହାନ୍ତି।

ଇତୀଶଙ୍କୁ ନେଇ ଗତ କିଛି ଦିନ ହେଲା ଛାତ୍ର ଶାଖାରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। କିଛି ମାସ ପୂର୍ବରୁ ଇତୀଶ ଛାତ୍ର କଂଗ୍ରେସର କର୍ମକର୍ତ୍ତା ନିଯୁକ୍ତି କରିଥିଲେ। ଏହି ନିଯୁକ୍ତି ପାଇଁ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତିଙ୍କ ଅନୁମୋଦନ ନିଆଯାଇ ନାହିଁ ଓ ଏହା ନିୟମ ବିରୁଦ୍ଧ ବୋଲି ଅଭିଯୋଗ ଉଠିଥିଲା। ଏ ନେଇ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତିଙ୍କ ନିକଟରେ କିଛି ଛାତ୍ର ନେତା ଫେରାଦ ହୋଇଥିଲେ। ଏହି ନିଯୁକ୍ତିକୁ ରାଷ୍ଟ୍ରୀୟ ସଭାପତି ରଦ୍ଦ କରିବା ସହ ଏଥି ପାଇଁ ଇତୀଶଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଏହି ଘଟଣା ପରେ ଇତୀଶଙ୍କ ପାଇଁ ଅଡ଼ୁଆ ବଢ଼ିଥିଲା।

ଶେଷରେ ଆଜି ଇତୀଶଙ୍କୁ ସମ୍ପୂର୍ଣ୍ଣ ଭାବେ ପଦରୁ ହଟାଇଦିଆଗଲା। ଏ ନେଇ ଇତୀଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କିଛି ବରିଷ୍ଠ ନେତା ମୋତେ ହଟାଇବା ପାଇଁ ମୋ ବିରୋଧରେ ଚକ୍ରାନ୍ତ କରିଛନ୍ତି। ଆସନ୍ତାକାଲି ବିଜେପିର ମିଶ୍ରଣ ପର୍ବରେ ଛାତ୍ର କଂଗ୍ରେସର କିଛି କର୍ମକର୍ତ୍ତା ବିଜେପିରେ ଯୋଗ ଦେବେ ବୋଲି ଦିଲ୍ଲୀରେ ମିଥ୍ୟା ଅଭିଯୋଗ ହୋଇଥିଲା। ଛାତ୍ର କଂଗ୍ରେସ ସବୁଠାରୁ ସକ୍ରିୟ ଥିବା ସତ୍ତ୍ୱେ ଏପରି ପଦକ୍ଷେପ ନିଆଯିବା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର