ଦୁର୍ନୀତି ଅଭିଯୁକ୍ତଙ୍କ ପୋଷ୍ଟର୍‌ ଜାରି କଲା ଦଳ

ଓଡ଼ିଶାର ରାଜକୋଷ ବିଜେଡି ନେତାଙ୍କ ପୈତୃକ ସମ୍ପତ୍ତି ନୁହେଁ: ବିଜେପି

ଭୁବନେଶ୍ୱର : ଦୁର୍ନୀତି ପ୍ରସଙ୍ଗରେ ବିଜେପି ଆଜି ପୁଣି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛି। ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ନେତାଙ୍କୁ କିଛି ଦିନ ପାଇଁ ବାହାର କରି ପରେ କୋଳେଇ ନେଉଛନ୍ତି। ଲୋକଙ୍କୁ ବୋକା ବନାଇବାକୁ ମୁଖ୍ୟମନ୍ତ୍ରୀ ଏପରି ଯୋଜନାବଦ୍ଧ ରଣନୀତି କରିଛନ୍ତି ବୋଲି ବିଜେପି ଆରୋପ ଲଗାଇଛି। ଏହା ସହ ବିଜେଡିର କିଛି ନେତାଙ୍କ ପୋଷ୍ଟର୍‌ ଜାରି କରି ସେମାନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଦଳ ଆକ୍ଷେପ କରିଛି। ଏପରି ନେତାମାନଙ୍କ ମୁଖିଆ ନବୀନ ପଟ୍ଟନାୟକ କିପରି ସ୍ୱଚ୍ଛ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ, ବଜେଡିର ଆଭ୍ୟନ୍ତରୀଣ ବ୍ୟାପାର ସହ ବିଜେପିର କୌଣସି ସମ୍ପର୍କ ନାହିଁ। ମାତ୍ର ଓଡ଼ିଆ ଲୋକଙ୍କ ଝାଳବୁହା ଅର୍ଥରେ ଗଢ଼ି ଉଠିଥିବା ଓଡ଼ିଶାର ରାଜକୋଷ ବିଜେଡି ନେତାଙ୍କ ପୈତୃକ ସମ୍ପତ୍ତି ନୁହେଁ। ବିଜେଡି ଯଦି ଭାବୁଛି ଓଡ଼ିଶାର ସମ୍ପତ୍ତି ଏହି ଦଳର ଏକଚାଟିଆ ଅଧିକାର ଓ ଏହି ପ୍ରସଙ୍ଗରେ କେହି ମୁହଁ ଖୋଲିପାରିବେ ନାହିଁ, ତେବେ ଏହା ତାଙ୍କର ଦିବାସ୍ୱପ୍ନ। ରାଜ୍ୟ ସରକାରଙ୍କ ଦୁର୍ନୀତି ଓଡ଼ିଆଙ୍କ କଷ୍ଟଅର୍ଜିତ ଝାଳବୁହା ଅର୍ଥର ଲୁଟ୍‌। ବିଜେପି ଏହି ମାମଲାରେ ଚୁପ୍‌ ବସି ରହିବ ନାହିଁ। ଦୁର୍ନୀତି ମାମଲାରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଦୁର୍ନୀତିଖୋର୍‌ଙ୍କୁ ଘଣ୍ଟ ଘୋଡ଼ାଉଥିବା ସ୍ପଷ୍ଟ ହୋଇଯାଇଛି। ଜନପ୍ରତିକ୍ରିୟାକୁ ଏଡ଼ାଇବା ନିମନ୍ତେ କିଛି ଦିନ ପାଇଁ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଦୂରେଇ ପୁଣି ତାଙ୍କୁ କୋଳାଇବା ମୁଖ୍ୟମନ୍ତ୍ରୀଙ୍କ ନୀତିରେ ପରିଣତ ହୋଇଯାଇଛି। ବିଜେପିର ପୋଷ୍ଟର୍‌ରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଦୀପ ମହାରଥୀ, ସାଂସଦ ପ୍ରଶାନ୍ତ ନନ୍ଦ, ବିଧାୟକ ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ପ୍ରଦୀପ ପାଣିଗ୍ରାହୀ, ପ୍ରଣବ ବଳବନ୍ତରାୟ, ଅମର ଶତପଥୀ, ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀଙ୍କ ଫଟୋ ସ୍ଥାନ ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏମାନଙ୍କୁ ଘଣ୍ଟ ଘୋଡ଼ାଇ ସବୁ ଦୁର୍ନୀତିର କାର୍ପଟ୍‌ଦାର ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର