ବିଜେପି ପକ୍ଷରୁ ଆଦିବାସୀ ଶୋଭାଯାତ୍ରା

ଭୁବନେଶ୍ୱର : ବିଜେପି ପକ୍ଷରୁ ବିଶ୍ୱ ଆଦିବାସୀ ଅବସରରେ ରାଜଧାନୀରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଅପାରଗତା ବିରୋଧରେ ତଥା ଜନଜାତି ସଂସ୍କୃତି ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଶୋଭାଯାତ୍ରା ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାହାରି ପିଏମ୍‌ଜି ଛକ ପର୍ଯ୍ୟନ୍ତ ଯାଇଥିଲା। ବିଜେପି ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ବିଧାୟକ ରବି ନାଏକଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଆଦିବାସୀ ପାରମ୍ପରିକ ବେଶରେ ନୃତ୍ୟ, ବାଦ୍ୟ ତାଳେ ତାଳେ ଶୋଭାଯାତ୍ରାରେ ସାମିଲ୍‌ ହୋଇଥିଲେ।

ଶ୍ରୀ ନାଏକ କହିଥିଲେ, ବିଗତ ଦିନରେ କ୍ଷମତାରେ ଥିବା କଂଗ୍ରେସ ଓ ବର୍ତ୍ତମାନର ଶାସକ ବିଜେଡିର ଆଦିବାସୀ ମାରଣ ନୀତି ଓ ଆନ୍ତରିକତା ଅଭାବରୁ ରାଜ୍ୟର ପ୍ରାଚୀନ ଆଦିବାସୀ ସଂସ୍କୃତି ଓ ପରମ୍ପରା କ୍ରମଶଃ ଲୋପ ପାଇବାର ଲାଗିଛି। ବିଜେଡିର ଦୀର୍ଘ ୧୮ ବର୍ଷ ଶାସନ ମଧ୍ୟରେ ଆଦିବାସୀମାନଙ୍କର କୌଣସି ବିକାଶ ହୋଇପାରିଲା ନାହିଁ। ଆଦିବାସୀ ଅଞ୍ଚଳର ବିକାଶ ନାଁରେ କୋଟି କୋଟି ଟଙ୍କା ଆତ୍ମସାତ କରିବା ସହ ସରଳ ଆଦିବାସୀମାନଙ୍କୁ କେବଳ ପ୍ରତାରଣା ଦେଇ ଆସୁଛନ୍ତି। ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ଆର୍ଥିକ ବିକାଶ ପାଇଁ ଯଥେଷ୍ଟ କେନ୍ଦ୍ରୀୟ ସହାୟତା ଆସୁଥିବା ସତ୍ତ୍ୱେ ନିଜର ଅପାରଗତା କାରଣରୁ ବିଜେଡି ଏହି ଅର୍ଥକୁ ଖର୍ଚ୍ଚ କରିବାରେ ସକ୍ଷମ ହୋଇପାରୁ ନାହିଁ। ଏସବୁରୁ ନଜର ହଟାଇବା ପାଇଁ ବିଜେଡି ଆଜି ଆଦିବାସୀ ସମାବେଶର ବାହାନା କରିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଶୋଭାଯାତ୍ରାରେ ପ୍ରିୟବ୍ରତ ମାଝୀ, ହରେକୃଷ୍ଟ ଖୁଣ୍ଟିଆ, ବିଜୟ ନାୟକ, କେଶର ମୁର୍ମୁ, ମାଳତୀ ହେମ୍ବ୍ରମ, ଗେହ୍ଲ ମହନ୍ତ, ସମରାଇ ଟୁଡ଼ୁ ଓ ନୀଳମାଧବ ଶବର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର