ପ୍ରତିଶ୍ରୁତି ରଖିଲା କଂଗ୍ରେସ : ଗଠନ କଲା ୪ ଜଣିଆ କମିଟି

ଭୁବନେଶ୍ୱର : ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟବ୍ୟାପୀ ବନ୍ଦ ପାଳନ ସଫଳତା ହୋଇଥିବା ବର୍ଣ୍ଣନା କରିଥିଲେ। କହିଥିଲେ, ଏହି ସଫଳତାର ଶ୍ରେୟ ରାଜ୍ୟବାସୀଙ୍କର। କାରଣ ଦୀର୍ଘ ସାଢ଼େ ୪ ବର୍ଷ ଧରି ସେମାନେ ବିଜେପିର ‘ଅଛେ ଦିନ’ ଅପେକ୍ଷାରେ ଚରମ ଅତିଷ୍ଠ ହୋଇପଡ଼ିଥିଲେ। ବନ୍ଦ ପାଳନ ବେଳେ ଅକୁଣ୍ଠ ସମର୍ଥନ ଢାଳି ଦେଇ ସେମାନେ ନିଜର ପୁଞ୍ଜୀଭୂତ ଅସନ୍ତୋଷ ଜାହିର କରିଛନ୍ତି।

ଏଥର ବନ୍ଦ ପାଳନ ବେଳେ ଯେପରି ଆମ୍ବୁଲାନ୍ସ, କ୍ଷୀରଗାଡ଼ି, ଔଷଧ ଦୋକାନ ପ୍ରଭାବିତ ନ ହୁଏ ଏବଂ ପରୀକ୍ଷାର୍ଥୀମାନେ ଯେପରି ଅସୁବିଧାରେ ନ ପଡ଼ନ୍ତି ସେଥିପାଇଁ କଂଗ୍ରେସ ପକ୍ଷରୁ ବିଶେଷ ଉଦ୍ୟମ କରାଯାଇଥିଲା। ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ ଉଦ୍ଦେଶ୍ୟରେ ହେଲ୍‌ପଲାଇନ ଯୋଗେ ଦିଆଯାଇଥିବା ଟେଲିଫୋନ ନମ୍ବରରେ ବନ୍ଦ ସମୟରେ ୮୮୫ଜଣ ଫୋନ କରିଥିବା ବେଳେ ବନ୍ଦ ପରେ ପ୍ରାୟ ୩୦୦ଜଣ ଫୋନ କରି ଧନ୍ୟବାଦ ଜଣାଇଥିଲେ। ଗୋଟିଏ ବି ଅଭିଯୋଗ ମିଳିନଥିଲା। ଯେଉଁମାନେ ବନ୍ଦ ପାଳନକୁ ସମର୍ଥନ କରୁନଥିଲେ ସେମାନଙ୍କୁ ଦଳ ପକ୍ଷରୁ ଗୋଲାପ ଫୁଲ ଦିଆଯାଉଥିଲା। କେବଳ ସେତିକି ନୁହେଁ, ବନ୍ଦ ସମୟରେ କୌଣସି ବିଶୃଙ୍ଖଳା ହୋଇଥିବାର ଅଭିଯୋଗ ମିଳିଲେ ସେଗୁଡ଼ିକର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିସିସି ପକ୍ଷରୁ ୪ଜଣିଆ କମିଟି ଗଠନ କରିଛି।

କଂଗ୍ରେସର ବନ୍ଦ ପାଳନକୁ ବିଜେଡି ସମର୍ଥନ କରିଥିବା ନେଇ ଶ୍ରୀ ପଟ୍ଟନାୟକ କହିଲେ, ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗର ଆଲୋଚନା କରିବାକୁ ବିଜେଡି ଆଗ୍ରହୀ ନ ଥିବାରୁ ଗୃହ କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରାଗଲା। ବରଂ ବିଜେଡି-ବିଜେପି ସଂପର୍କ ହେଉଛି ଭୁବନେଶ୍ୱରରେ କଳି, ଦିଲ୍ଲୀରେ ମେଳି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପେଟ୍ରୋଲ୍‌ ଦର ବୃଦ୍ଧି ଯୋଗୁଁ ଜନସାଧାରଣଙ୍କ ଅସୁବିଧା କଥା ନେଇ ଚିନ୍ତିତ ନୁହନ୍ତି। ରାଜସ୍ଥାନ ସରକାର ୪ ପ୍ରତିଶତ ଭାଟ୍‌ ହ୍ରାସ କରିଥିବା ବେଳେ ଆନ୍ଧ୍ର ସରକାର ମଧ୍ୟ ଲିଟର ପିଛା ୨ ଟଙ୍କା କମାଇଛନ୍ତି। କିନ୍ତୁ ଓଡ଼ିଶା ସରକାର ପଇସାଟିଏ କମାଇନାହାନ୍ତି। କେନ୍ଦ୍ର ସରକାର କମାଇବ କ’ଣ ଭାରତ ବନ୍ଦ ଦିନରେ ବି ତୈଳ ଦର ବୃଦ୍ଧି କରିଛନ୍ତିି ବୋଲି ସେ କହିଥିଲେ। ବନ୍ଦକୁ ଜନସାଧାରଣଙ୍କ ଏଭଳି ସମର୍ଥନ ରାଜ୍ୟ କଂଗ୍ରେସ ନେତୃତ୍ୱ ପ୍ରତି ଆସ୍ଥା ବୃଦ୍ଧି କରିଛି। ସେ ପଟେ ଏହା ବିଜେପି ପ୍ରତି ନିର୍ଣ୍ଣାୟକ ହେବ ବୋଲି ପିସିସି ସଭାପତି କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ନେତା ଜି. ରୂଦ୍ରରାଜୁ, ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ସତ୍ୟ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର