କନ୍ଦଳ ଅଟକାଇଛି ପ୍ରାର୍ଥୀ ଖୋଜା : ବିଜେଡିକୁ ଚିନ୍ତାରେ ପକାଇଛି ୬୦ ଆସନ, ରାଜ୍ୟ ବିଜେପିରେ କାର୍ପଟଦାର ବିବାଦ ଥମୁନି, କଂଗ୍ରେସକୁ ଏବେ ବି ଗ୍ରାସିଛି ପୁରୁଣା ବେମାରି

ଭୁବନେଶ୍ୱର : ଆସନ୍ତା ନିର୍ବାଚନରେ କାହାକୁ ଟିକେଟ୍‌ ଦିଆଯିବ, କିଏ ବାଦ୍‌ ପଡ଼ିବେ। ସ୍ଥାନୀୟ ବିଧାୟକଙ୍କୁ ଆଉ ଥରେ ତାଙ୍କ ଦଳ ଟିକେଟ୍‌ ଦେବ ନା ଶେଷ ମୁହୂର୍ତରେ ପ୍ରାର୍ଥୀ ବଦଳିବେ। ଯଦି ବଦଳନ୍ତି, ତାଙ୍କ ସ୍ଥାନରେ କାହାକୁ ପ୍ରାର୍ଥୀ କରାଯାଇପାରେ। ରାଜ୍ୟର ପାଖାପାଖି ଅଧା ନିର୍ବାଚନମଣ୍ଡଳୀରେ ଏମିତି କିଛି ପ୍ରଶ୍ନ ଉପରେ ଗାଁ ଗଣ୍ଡା, ସହର ବଜାରରେ ତର୍ଜମା ଆରମ୍ଭ ହୋଇଗଲାଣି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଏହି ଆଲୋଚନା ପରିସରରେ ଅଛନ୍ତି। ହେଲେ କ୍ଷମତାସୀନ ଦଳ ହୋଇଥିବା କାରଣରୁ ସ୍ୱାଭାବିକ ଭାବେ ବିଜୁ ଜନତା ଦଳ ଚର୍ଚ୍ଚାର ଆଗରେ ରହିଛି। ସବୁ ଦଳର ସ୍ଥାନୀୟ ବିଧାୟକଙ୍କୁ ନେଇ ଭୋଟର ଯେତିକି ଅସନ୍ତୁଷ୍ଟ ନାହାନ୍ତି, ମାତ୍ରାଧିକ ଆଶାୟୀଙ୍କ ଲବି, କିଛି ନେତାଙ୍କ ଦଳ ଡିଆଁ ଏହି ପ୍ରସଙ୍ଗକୁ ନୀତିପ୍ରତି ତାଜା କରିଦେଉଛି। ଅନ୍ୟ ଦଳରୁ ଆସୁଥିବା ନେତାଙ୍କୁ ନିର୍ବାଚନ ରାଜନୀତିରେ କେତେ ଗୁରୁତ୍ୱ ମିଳିବ, ସେ ଜିତିପାରିବେ ନା ନାହିଁ, ତାହାକୁ ନେଇ ବି ଅଙ୍କକଷା ଚାଲିଛି। କେବଳ ସେତିକି ନୁହେଁ, କେଉଁ ନିର୍ବାଚନମଣ୍ଡଳୀରେ ବିଜେପି ଓ କେଉଁଠି କଂଗ୍ରେସ ବିଜେଡି ସହିତ ମୁକାବିଲା କରିବା ସ୍ଥିତିକୁ ଆସିବେ, ତାହା ମଧ୍ୟ ଆଲୋଚନାକୁ ଆସିଗଲାଣି। ‘ଦଳୀୟ କନ୍ଦଳ’ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରେ। କିଛି ସ୍ଥାନରେ ଏହା ଶାସକ ଦଳକୁ ସୁହାଇପାରେ, କିନ୍ତୁ କିଛି ଆସନର ଫଳାଫଳ ବିଗାଡ଼ିଦେବ, ଏ ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ହିସାବ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି କ୍ରଗାଗତ ଭାବେ ଚାରିଚାରି ଥର ସରକାରକୁ ଆସି ଓଡ଼ିଶା ରାଜନୀତି ଇତିହାସରେ ରେକର୍ଡ କରିଛି। କିନ୍ତୁ ସମାନ୍ତରାଳ ଭାବେ କିଛି ସ୍ଥାନରେ ସରକାର ବିରୋଧରେ ହାଓ୍ଵା ମଧ୍ୟ ଦେଖାଗଲାଣି। କୌତୂହଳର କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବା ସାମଗ୍ରିକ ଭାବେ ସରକାରଙ୍କ ବିରୋଧରେ ଏ ହାଓ୍ଵା ଅପେକ୍ଷାକୃତ କମ୍‌। ବରଂ ସ୍ଥଳ ବିଶେଷରେ ସ୍ଥାନୀୟ ନେତା ତଥା ବିଧାୟକ ଏବଂ ସ୍ଥାନୀୟ ପ୍ରଶାସନ ବିରୋଧରେ ଅସନ୍ତୋଷ ଟିକିଏ ତେଜିଛି।

ଯଦିଓ ପଞ୍ଚାୟତ ନିର୍ବାଚନର ଫଳାଫଳ ସହିତ ସାଧାରଣ ନିର୍ବାଚନ ବିଶେଷ କିଛି ମାନେ ରଖେନାହିଁ, ବିଜେଡିର ନୈରାଶ୍ୟଜନକ ପ୍ରଦର୍ଶନ ପଛର ଏହା ହିଁ ଥିଲା ବଡ଼ କାରଣ। ଗୋଟିଏ ଆକଳନ କହୁଛି, ଯଦି ପଞ୍ଚାୟତ ନିର୍ବାଚନର ଫଳାଫଳ ଶତ ପ୍ରତିଶତ ବି ବିଧାନସଭା ନିର୍ବାଚନରେ ପ୍ରତିଫଳିତ ହୁଏ, ତେବେ ରାଜ୍ୟର ୬୧ ଆସନରେ ସ୍ଥାନୀୟ ନେତାଙ୍କ ମଧ୍ୟରେ ବିବାଦ, ସରକାରୀ ବିରୋଧୀ ହାଓ୍ଵାର ପ୍ରଭାବ ବିଜେଡି ଉପରେ ପଡିଛି। ହେଲେ ବିଜେଡି ପାଇଁ ଆଶ୍ୱାସନାର କଥାଟି ହେଲା, ସୁପ୍ରିମୋ ନବୀନ ପଟ୍ଟନାୟକ ଜନମତକୁ ଗୁରୁତ୍ୱର ସହିତ ନେଇ ଦଳ ଓ ସରକାର ବିରୋଧରେ ଥିବା ଅଧିକାଂଶ ଅସନ୍ତୋଷ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମନ୍ତ୍ରିମଣ୍ଡଳ ଅଦଳବଦଳ କରି ଦଳର କାର୍ପଟଦାର ଗୋଷ୍ଠୀଙ୍କ କ୍ଷମତା ଉପରେ ଚୋଟ ବସାଇଛନ୍ତି। ସରକାର ଅନେକ ଲୋକାଭିମୁଖୀ ଯୋଜନା ଘୋଷଣା କରିଛନ୍ତି। ଏହା ସହିତ ଦଳକୁ ଅଧିକ ସଂଗଠିତ କରାଯାଇଛି। ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟକୁ ବିଜେଡି ବହୁ ପଛରେ ଛାଡ଼ିଥିବା ବିଜେପୁର ଉପ ନିର୍ବାଚନ ଓ ଏନ୍‌ଏସି ନିର୍ବାଚନର ସଫଳତା ପ୍ରମାଣିତ କରିଛି। ତା ସତ୍ତ୍ୱେ ବେସରକାରୀ ସର୍ଭେ ସୂଚାଉଛି, ପାଖାପାଖି ୫୨ଟି ଆସନରେ ବିଧାୟକ କିମ୍ବା ପରାଜିତ ପ୍ରାର୍ଥୀ ପାଞ୍ଚ ବର୍ଷ ଭିତରେ ନିଜସ୍ୱ ଭୋଟ ବ୍ୟାଙ୍କ ସୃଷ୍ଟି କରିପାରିନାହାନ୍ତି। ନିଜର ଲୋକପ୍ରିୟତା ନାହିଁ ଓ ସରକାରର କାର୍ଯ୍ୟକ୍ରମକୁ ମଧ୍ୟ ଲୋକଙ୍କ ପାଖକୁ ନେବା କ୍ଷେତ୍ରରେ ସେମାନେ ଅପେକ୍ଷାକୃତ ବିଫଳ। ଏହି ୫୨ଟି ଆସନ ସମେତ ପାଖାପାଖି ୬୦ଟି ଆସନ ଉପରେ ବିଜେଡି ଏବେ ସର୍ବାଧିକ ଗୁରୁତ୍ୱ ଦେଉଛି। ଏସବୁ ଆସନର ଆଶାୟୀ ଓ ବିଧାୟକଙ୍କ ମଧ୍ୟରୁ ଯେଉଁମାନେ ସ୍ଥିତିରେ ପରିବର୍ତ୍ତନ ଆଣି ନପାରିବେ, ସେମାନେ ଦଳୀୟ ଟିକେଟ୍‌ ପାଇବା ସମ୍ଭାବନା କ୍ଷୀଣ। ଜଣେ ବରିଷ୍ଠ ନେତା କହିଛନ୍ତି, ଯେହେତୁ ବିଜେଡି ଜିତିବା ଦଳ, ଏଣୁ ଆଶାୟୀ ବଢ଼ିବା ସ୍ୱାଭାବିକ। ହେଲେ ୧୪୭ ଆସନ ସଂଖ୍ୟା ତ ବଢ଼ିପାରିବ ନାହିଁ। ଯେଉଁମାନେ ଯୋଗ୍ୟ, ସେମାନଙ୍କୁ ନବୀନ ନିଶ୍ଚିତ ଖୋଜି ଟିକେଟ୍‌ ଦେବେ। ଅନ୍ୟ କିଛି ନେତାଙ୍କୁ ଦଳୀୟ ଫୋରମରେ ରଖାଯିବ। ଏମିତିରେ ବି ଆଗକୁ ବିଧାନ ପରିଷଦ ଗଠନ ପାଇଁ ବାଟ ଖୋଲିଲାଣି।

ବିଜେଡି ଭଳି ସମସ୍ୟା ଆଜି ଦିନରେ ବିଜେପି ପାଖରେ ନାହିଁ। ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ସେମାନଙ୍କ ପାଇଁ ଉଲ୍ଲେଖନୀୟ ଥିଲା। ହେଲେ ଗତ ଦେଢ ବର୍ଷ ଭିତରେ ଜନମତକୁ ଅତୁଟ ରଖିବାରେ ନେତୃତ୍ୱ ବିଫଳ ହୋଇଛନ୍ତି। ଦଳ ଦ୍ୱିତୀୟ ସ୍ଥାନକୁ ଆସିଛି ସତ, କିନ୍ତୁ ରାଜ୍ୟର ସବୁ କ୍ଷେତ୍ରରେ ପ୍ରଭାବୀ ହୋଇପାରିନାହିଁ। ଯେତିକି ସଂଖ୍ୟକ ଆସନରେ ବିେ଼ଜଡ଼ି ଅଡୁଆରେ ପଡିଛି, ପାଖାପାଖି ସେତିକି ସଂଖ୍ୟକ ଆସନରେ ବିଜେପି ପାଖରେ ଜିତିବା ଭଳି ନେତା ନାହାନ୍ତି। ଅର୍ଥାତ୍‌ ଆଜି ବି ବିଜେପି ପ୍ରାର୍ଥୀ ଖୋଜୁଛି। ଦଳ ପାଇଁ ଏହା ସବୁଠାରୁ ଚିନ୍ତାଜନକ ବିଷୟ। ଏ କ୍ଷେତ୍ରରେ ନିଜ ଦଳର ପ୍ରାର୍ଥୀଙ୍କ ଅପେକ୍ଷା ଅନ୍ୟ ଦଳରୁ ଅସନ୍ତୁଷ୍ଟିଆଙ୍କୁ ଆଣି ଲଢାଇବା ଲାଗି ଦଳ କସରତ ଚଳାଇଛି। ସମସ୍ୟାଟି ହେଉଛି, ଦଳ ଯାହାକୁ ବି ଗୋଟାଇ ଆଣୁଛି, ତା ସହିତ ସଂପୃକ୍ତ ନେତାଙ୍କ ବିରୋଧରେ ଥିବା ଜନମତ ବିଜେପିର ସାମଗ୍ରିକ ପତିଆରାକୁ କ୍ଷୁଣ୍ଣ କରିବା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିଛି।

ରାଜ୍ୟ ବିଜେପି ପାଇଁ ଆଉ ଗୋଟିଏ ବଡ଼ ସମସ୍ୟା ମଧ୍ୟ ମୁଣ୍ଡ ଟେକିଛି। ଦଳର ସର୍ବୋଚ୍ଚ ନେତା କିଏ ହେବେ, ଟିକେଟ୍‌ ବାଣ୍ଟିବା କ୍ଷେତ୍ରରେ କାହା କଥାକୁ ଗୁରୁତ୍ୱ ଦିଆଯିବ, ପୁରୁଖା ନେତାଙ୍କୁ ବାଦ୍‌ ଦେଇ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଟିକେଟ୍‌ ମିଳିବା ପଦ୍ମଦଳ ପାଇଁ ଚ୍ୟାଲେଞ୍ଜ ଭାବେ ଛିଡ଼ା ହେଲାଣି। ଯେହେତୁ ବିଜେଡି ଭଳି ବିଜେପିରେ ଥଇଥାନ କରିବା ଭଳି କିଛି କ୍ଷେତ୍ର ନାହିଁ ଏବଂ ଶୀର୍ଷ କ୍ଷେତ୍ରରେ ଗୋଷ୍ଠୀବାଦ ରହିଛି, ଏଣୁ ଏ ସମସ୍ୟାଟି ଟିକିଏ ବେଶି ଦିଶୁଛି। ଅନ୍ୟ ଦଳରୁ ଯେଉଁମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାଣି ଆଣି ଗେରୁଆ ଟୋପି ପିନ୍ଧାଉଛନ୍ତି, ତାଙ୍କୁ ଦଳରେ ଗୁରୁତ୍ୱ ମିଳୁନି। ଏହି କାରଣରୁ ବିଜେପିରେ କିଛି ମାସ କଟାଇ ପୁଣି ଥରେ ପୁରୁଣା ଦଳକୁ ନେତାମାନେ ଫେରିଆସିବା ଉଦାହରଣ ବି ସୃଷ୍ଟି ହେଲାଣି। ଏହାବ୍ୟତୀତ ନିର୍ବାଚନ ବର୍ଷରେ ବିଜେପି ରାଜ୍ୟ ସଭାପତିଙ୍କୁ ନେଇ ଅସନ୍ତୋଷର ପ୍ରଭାବ ଦଳୀୟ ସଂଗଠନକୁ କିଛି ମାତ୍ରାରେ ଆକ୍ରାନ୍ତ କରିଛି। ରାଜନୈତିକ ମହଲର କହିବା କଥା ହେଉଛି, ବିଜେପି ବିରୋଧୀ ଦଳର ଉପସ୍ଥିତି ଜାହିର କରୁଛି ସତ, କିନ୍ତୁ ସବୁ କଥାରେ ଓ ସବୁ ପ୍ରସଙ୍ଗରେ ବିବାଦର ମଞ୍ଜି ବୁଣିବା ଦ୍ୱାରା ସରକାର ବିରୋଧରେ ଗୋଟିଏ ବି ପ୍ରସଙ୍ଗ ଦାନା ଧରୁନାହିଁ। ଦଳରେ ନିର୍ମଳ ତଥା ପ୍ରଭାବୀ ଭାବମୂର୍ତି ଥିବା ନେତାଙ୍କ ଅଭାବ ମଧ୍ୟ ଏ କ୍ଷେତ୍ରରେ ଅନ୍ୟତମ ପ୍ରତିବନ୍ଧକ। ଏହାଦ୍ୱାରା ଦଳର ଚେହେରା ବୋଲି କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ମଧ୍ୟ ପ୍ରଭାବିତ ହେଉଛି।

ଅନ୍ୟପଟରେ ସଭାପତି ବଦଳିବା ପରେ ପ୍ରଦେଶ କଂଗ୍ରେସ ଭିତରେ ଥିବା ଅସନ୍ତୋଷ ଥମିଛି। ଦଳ ପ୍ରତି କିଛି ପରିମାଣରେ କର୍ମୀଙ୍କ ଆସ୍ଥା ଫେରିଲାଣି। ସଙ୍କେତ ମିଳୁଛି, ପାଖାପାଖି ୪୦ଟି ଆସନ ଲାଗି ପ୍ରାର୍ଥୀଙ୍କ ନାମ ସଂପର୍କରେ ନେତୃତ୍ୱ ଆଗୁଆ ଘୋଷଣା କରିପାରନ୍ତି। ହେଲେ ନିର୍ବାଚନ ମଇଦାନରେ ଲଢ଼ିବା ଲାଗି ପୁରୁଖା ନା ନବାଗତ ନେତାଙ୍କୁ ଅଧିକ ସୁଯୋଗ ମିଳିବ, ସେ ପ୍ରସଙ୍ଗଟି ଏବେ ତାଜା ହୋଇ ରହିଛି। ଦଳ ପାଇଁ ଚ୍ୟାଲେଞ୍ଜ ହେଉଛି, ପଞ୍ଚାୟତ ହେଉ କି ବିଜେପୁର ଉପନିର୍ବାଚନ କିମ୍ବା ଏନ୍‌ଏସି ଲଢେଇ, ସବୁଥିରେ ତୃତୀୟ ସ୍ଥାନକୁ ଖସିଆସିଛି। ଦଳ ତୃତୀୟରୁ ପ୍ରଥମକୁ ଲମ୍ଫ ଦେବା ଲାଗି ଯେଭଳି କସରତ ଦରକାର, ତାହା ଏଯାଏ ପରିଦୃଷ୍ଟ ହୋଇନାହିଁ। କାରଣ, ଏବେ ବି କଂଗ୍ରେସରେ ଗୋଟିଏ ଦୁଇଟି ଗୋଷ୍ଠୀ ଦଳର ଚେର କାଟିବା ପାଇଁ ବେଶ୍‌ ସକ୍ରିୟ ଅଛନ୍ତି। କିଛି ଅସନ୍ତୁଷ୍ଟିଆ ନେତାଙ୍କୁ ଆୟୁଧ କରି ଏମାନେ ଦଳର ଚେହେରା ବିରୋଧରେ ଜନମତ ତିଆରି କରିବା ଲକ୍ଷ୍ୟରେ ଅଛନ୍ତି। ଖାସ୍‌ ଏହି କାରଣରୁ ସରକାର ବିରୋଧରେ ଥିବା ଅସନ୍ତୋଷକୁ ଏମାନେ ପୂରା ଗିଳିବା ଅବସ୍ଥାରେ ନାହାନ୍ତି। ଏମିତିରେ ବି ଆହୁରି କିଛି ଆସନରେ କଂଗ୍ରେସ ସଂପକ୍ଷରେ ବିିଗଡ଼ିଯାଇଥିବା ମାନସିକତା ସଜାଡ଼ି ହୋଇପାରିନାହିଁ। ଏଣୁ ଜନମତ ଠୋସ୍‌ ଭାବେ ଦଳ ସପକ୍ଷରେ ଯିବା ଏତେଟା ସହଜ ନୁହେଁ।

ସମ୍ବନ୍ଧିତ ଖବର