ଓଡ଼ିଶା ରାଜନୀତି : ଖୁସି କମ୍‌, ଆହ୍ଵାନ ବେଶି

ଭୁବନେଶ୍ୱର : ଗୁଜରାଟ ନିର୍ବାଚନ ଫଳାଫଳ ସମଗ୍ର ଦେଶର ରାଜନୀତିରେ ଆଜି କମ୍ପନ ସୃଷ୍ଟି କରିଛି। ଏମିତି ଯେ ବିଜେପି ଶିବିର ଓ ସପକ୍ଷବାଦୀ ଖୁସି ମନାଉଛନ୍ତି। ବିରୋଧୀ ଶିବିର ବା କଂଗ୍ରେସ ସପକ୍ଷବାଦୀ ବି ଦୁଃଖୀ ନୁହନ୍ତି। ବିଜେପି ଓ କଂଗ୍ରେସ ଠାରୁ ଯଥାସମ୍ଭବ ଦୂରରେ ଥିବା ବିଭିନ୍ନ ଆଞ୍ଚଳିକ ଦଳଙ୍କୁ ମଧ୍ୟ ଏ ନିର୍ବାଚନ ଫଳାଫଳ ବେଶ୍‌ ଆମୋଦିତ କରିଛି। ଏଥିସହିତ ଆଗକୁ ଥିବା ବିଧାନସଭା ନିର୍ବାଚନ ତଥା ଆସନ୍ତା ସାଧାରଣ ନିର୍ବାଚନରେ ଏହାର କି ପ୍ରଭାବ ପଡିବ, ସେ ନେଇ ବିଭିନ୍ନ ମହଲ ଅବଗଣନା ଆରମ୍ଭ କରିଛନ୍ତି।

ଗୁଜୁରାଟ ଫଳାଫଳରେ ଓଡ଼ିଶା ବିଜେପି ନେତୃତ୍ୱ ସନ୍ତୁଷ୍ଟ। କିନ୍ତୁ ଏତିକି ଉତ୍ସାହ ସେମାନଙ୍କ ଠାରେ ଦେଖିବାକୁ ମିଳିନି। ଏପଟେ ବିଜେଡି ଶିବିର କିଛି ମାତ୍ରାରେ ଖୁସି ଅଛନ୍ତି, କାରଣ ବିଜେପି ଏକାପାଖିଆ ଭାବେ ନିର୍ବାଚନ ଜିତିଥିଲେ, ବା ବିଜେପିର ଚାଣକ୍ୟ ଅମିତ ଶାହଙ୍କ ଗଣିତ କାମ କରିଥିଲେ, ଯେଭଳି ପ୍ରଭାବ ରଖିଥାନ୍ତା, ଅନ୍ତତଃ ଏବେ ସେମିତି ହୋଇନପାରେ। ବରଂ ବିଜେଡି ନେତାମାନଙ୍କର ବିଶ୍ୱାସ ବଢିଛି, କାରଣ ଯଦି ପାଞ୍ଚଥର ପରେ ଷଷ୍ଠଥର ଗୁଜୁରାଟରେ ବିଜେପି କଷ୍ଟରେ ହେଲେ ବି ଜିତିଲା, ଓଡ଼ିଶାରେ ପଞ୍ଚମ ଥର ବିଜେଡି କ୍ଷମତା ହାସଲ ଅସମ୍ଭବ ନୁହେଁ।

ଏସବୁ ଭିତରେ ଗୁଜୁରାଟ ନିର୍ବାଚନ ଫଳାଫଳର ପ୍ରଭାବ ଓଡ଼ିଶା ଉପରେ କେମିତି ପଡ଼ିବ, ସେନେଇ ବି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ହିସାବନିକାସ ଆରମ୍ଭ କରିଛନ୍ତି।ଏହି ଗଣନା କିନ୍ତୁ ବିଜେଡି ପାଇଁ ଆଦୌ ଉତ୍ସାହଜନକ ନୁହେଁ। ସରକାରୀ ବିରୋଧୀ ହାଓ୍ଵା ସଂପର୍କରେ ସଙ୍କେତ ଦେଇଛି ଗୁଜରାଟ ନିର୍ବାଚନ। ନିର୍ବାଚନମଣ୍ଡଳୀ ସହିତ ପ୍ରତ୍ୟକ୍ଷ ସଂପର୍କ ଥିବାରୁ ଏହି ପବନକୁ ଅଟକାଇବା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କିଛି ମାତ୍ରାରେ ସକ୍ଷମ ହୋଇଛନ୍ତି।

ଓଡ଼ିଶାରେ କିନ୍ତୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି ଉଭୟ ଦାୟିତ୍ୱରେ ଅଛନ୍ତି ନବୀନ। ଏମିତି କୌଣସି ଗୋଟିଏ ବି ନିର୍ବାଚନମଣ୍ଡଳୀ ନାହିଁ, ଯାହା ସହିତ ତାଙ୍କର ପ୍ରତ୍ୟକ୍ଷ ସଂପର୍କ ରହିଛି। ପ୍ରଧାନମନ୍ତ୍ରୀଙ୍କ ଭଳି ତାଙ୍କର ସମ୍ବଳ ହେଉଛନ୍ତି ସେ ନିଜେ ଓ ତାଙ୍କର ଭାବମୂର୍ତି। ବିଜେଡିରେ ମଧ୍ୟ ଯେତିକି ନେତା ଅଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ନିଜ ନିର୍ବାଚନ ମଣ୍ଡଳୀ ଛାଡିଦେଲେ ପଡୋଶୀ କ୍ଷେତ୍ରରେ ପ୍ରଭାବ ରଖନ୍ତିନି। ବରଂ ସରକାରୀ ବ୍ୟବସ୍ଥା ଉପରେ ସେମାନଙ୍କ ଭୋଟ ବ୍ୟାଙ୍କ ନିର୍ଭରଶୀଳ। ଆଉ ପ୍ରଭାବ ରଖୁଥିବା ଏକ ତୃତୀୟାଂଶ ନେତା ଲଗାତାର ତିନି ଓ ଚାରିଥର ଜିତିଥିବା କାରଣରୁ ନିଜ ବିରୋଧୀ ଭୋଟକୁ ଆୟତ୍ତ ରଖିବା ସେମାନଙ୍କ ପାଇଁ କାଠିକର ହୋଇପାରେ। ଏପରିସ୍ଥଳେ ମୋଦି ଓ ଶାହାଙ୍କ ଭଳି ବିଜେଡିରେ ନେତା କିଏ, ଯିଏ ରାଜନୈତିକ ଧ୍ରୁବୀକରଣ କରିବା ସହିତ ସରକାରୀ ବିରୋଧୀ ହାଓ୍ଵାକୁ ଉଡ଼ାଇପାରିବେ? କେବଳ ସେତିକି ନୁହେଁ, ବୁଲେଟ୍‌ ଟ୍ରେନ୍‌ରୁ ସି ଟ୍ରେନ୍‌ ପର୍ଯ୍ୟନ୍ତ ଜାବତୀୟ କାର୍ଡ ଖେଳିବା ପରେ ବି ଭୋଟରଙ୍କ ଉପରେ ଏହାର ପ୍ରଭାବ ରହିଲାନି। ଏପରିସ୍ଥଳେ ଟଙ୍କିକିଆ ଚାଉଳ, ଆହାର କଣ ଏ ହାଓ୍ଵାକୁ କାଟିପାରିବ?

ଅବଶ୍ୟ ବିଜେଡି ଆଶ୍ୱସ୍ତ ଏଇଥିପାଇଁ ଯେ ବିଜେପି ଚାଣକ୍ୟ ଅମିତ ଶାହଙ୍କ ୧୫୦ ପ୍ଲସ ଗଣିତ ତାଙ୍କ ଗଡ଼ ଗୁଜରାଟରେ କାମ ଦେଲାନି। ଏଣୁ ରାଜ୍ୟ ବିଜେପି ପାଇଁ ତାଙ୍କ ମିସନ ୧୨୦ ପ୍ଲସକୁ ଥଟ୍ଟା କରିବା ପାଇଁ ଏଠି ସୁଯୋଗ ମିଳିବ। ଦ୍ୱିତୀୟତଃ, ମୋଦି, ଶାହଙ୍କ ଭଳି ନେତା ଥାଉ ଥାଉ ଗୁଜୁରାଟରେ ଯଦି ଦଳର ସ୍ଥିତି ଯଦି ଏୟା, ତେବେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟରେ ଦଳକୁ କ୍ଷମତା ରଖିବା ବିଜେପି ପାଇଁ ଏତେଟା ସହଜ ହେବନାହିଁ। ନିର୍ବାଚନ ଫଳାଫଳ ଏ ସଙ୍କେତ ଦେଉଛି ଯେ ସଂସଦରେ ଏକାକି ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ହୁଏତ ମୋଦି ଆଉ ସଫଳ ହୋଇନପାରନ୍ତି। ସ୍ୱାଭାବିକ ଭାବେ ବିଜେଡି ଭଳି ଅପେକ୍ଷାକୃତ ସମଭାବାପନ୍ନ ଦଳ ପ୍ରତି ଅଧିକ ଆକ୍ରମଣାତ୍ମକ ଭୂମିକା ଗ୍ରହଣ ନ କରି ନରମ ଆଭିମୁଖ୍ୟ ଆପଣାଇପାରେ କେନ୍ଦ୍ର। ଯାହାର ସମ୍ଭାବନା ଏବେ ଅଧିକ। ଅନ୍ୟଥା ନିୟମିତ ବ୍ୟବଧାନରେ କେନ୍ଦ୍ରମନ୍ତ୍ରୀମାନେ ଆସି ଯେଭଳି ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରୁଥିଲେ, ସେଥିରେ ବିଜେଡି ଦୋହଲିଯାଉଥିଲା।

ଅନ୍ୟପଟରେ ଗୁଜରାଟ ନିର୍ବାଚନ ରାଜ୍ୟ ବିଜେପିର ଆଶା କିଛି ମାତ୍ରାରେ ବଢାଇଛି। ୧୯ଟି ରାଜ୍ୟରେ ବିଜେପି ଏ ମଧ୍ୟରେ ପାଦ ଥାପି ସାରିଲାଣି। ଏଣୁ ଏଠାକାର ବିଜେପି ନେତା ଚେଷ୍ଟା କରିବେ ଯେ ଏହି ହାଓ୍ଵାକୁ ଟାଣିଆଣି ଓଡ଼ିଶାରେ ବି ପଦ୍ମ ଫୁଟାଇବେ। ଏଥିପାଇଁ ଦଳ ଜୁମ୍‌ଲା କରିପାରେ। କେବଳ ସେତିକି ନୁହେଁ, ସହରାଞ୍ଚଳରେ ଦଳ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବାରୁ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ରହିବା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ଓଡ଼ିଶା ଭଳି ରାଜ୍ୟରେ ପ୍ରତି ନିର୍ବାଚନରେ ୫ରୁ ୭ ପ୍ରତିଶତ ଭୋଟ ହାଓ୍ଵାରେ ହୋଇଥାଏ। ଏହାକୁ ବିଜେପି ଟାର୍ଗେଟ କରିବ ଓ ବିଜେଡିରେ ବିଭାଜନ କରି ଭୋଟ ବ୍ୟାଙ୍କକୁ ଦୁର୍ବଳ କରିବା ସୁଯୋଗ ଛାଡ଼଼ିବ ନାହିଁ।

ତେବେ ମୋଦି, ଅମିତ ଶାହଙ୍କ ଭଳି ଓଡ଼ିଶାରେ ୧୪୭ ଆସନରେ ଦଳର ନିର୍ବାଚନ ପରିଚାଳନା କିଏ କରିବ, ତାଙ୍କୁ ଏଯାଏ ବିଜେପି ଖୋଜିପାଇନି। ଗୁଜରାଟରେ ବିଜେପିର ଭୋଟ ବ୍ୟାଙ୍କ ସହଜରେ ନ ଭାଙ୍ଗିବା ପଛର ଅନ୍ୟତମ ବଡ଼ କାରଣଟି ହେଲା, ବର୍ଷେ ଆଗରୁ ବୁଥ୍‌ କମିଟି ଗଠନ କରି ଦଳକୁ ତୃଣମୂଳସ୍ତରରେ ସଜଡାଥିଲେ ଶ୍ରୀ ଶାହ। ଏଠି ତାହା ସଫଳ ହୋଇନାହିଁ, ବରଂ ଦଳରେ ଅନ୍ତଃକନ୍ଦଳ ଯେମିତି ବଢୁଛି, ସମସ୍ତେ ଗୋଟିଏ ମନରେ କାମ କରିବା କ୍ଷେତ୍ରରେ ବି ସେମିତି ଅଭାବ ପରିଲକ୍ଷିତ ହେଉଛି। ଏହା ସତ୍ତ୍ୱେ ସରକାରୀ ବିରୋଧୀ ହାଓ୍ଵାକୁ ଭୋଟ ବ୍ୟାଙ୍କରେ ପରିଣତ କରିବା ଲାଗି ବିଜେପି ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି।

ଓଡ଼ିଶାରେ ନିରୁତ୍ସାହିତ ହୋଇପଡିଥିବା କଂଗ୍ରେସ ନେତାମାନଙ୍କର ଆତ୍ମବିଶ୍ୱାସ ଆଜି ସାମାନ୍ୟ ବୃଦ୍ଧି ପାଇଛି। କାରଣ କଂଗ୍ରେସକୁ ବୁଡ଼ିଯିବ ବୋଲି ଆଶଙ୍କା ରଖିଥିବା ନେତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁଲ ପ୍ରମାଣିତ କରିଛନ୍ତି। ବରଂ ଦଳ ପୁଣି ଉତ୍‌ଥାନର ସୂଚନା ଦେଇଛି। କେବଳ ସେତିକି ନୁହେଁ, ତିନିମାସରେ ବି ଭୋଟ ବ୍ୟାଙ୍କରେ ଏକ ବଡ଼ ପରିବର୍ତନ କରାଯାଇପାରେ, ସେ ବିଶ୍ୱାସ କଂଗ୍ରେସ ନେତାଙ୍କ ଭିତରେ ସୃଷ୍ଟି ହୋଇଛି। ବେଳ ଥାଉ ଥାଉ ବନ୍ଧ ବାନ୍ଧିଲେ, ଗୁଜରାଟ ଭଳି ଓଡ଼ିଶାରେ ବି କଂଗ୍ରେସ ବିଜେପିକୁ ପଛକୁ ଠେଲି କ୍ଷମତା ହାସଲ ନ କଲେ ବି ପାଖାପାଖି ଯିବା ବିଚିତ୍ର ନୁହେଁ। ସରକାରୀ ବିରୋଧୀ ହାଓ୍ଵାରୁ ଦଳ ଲାଭ ଉଠାଇବା ପାଇଁ ଚାହିଁବ।

ଏଠାରେ ପ୍ରକାଶଥାଉକି, ଦେଶରେ ଏବେ ଆଗୁଆ ସାଧାରଣ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ୱାଭାବିକ ଭାବେ ବିଜେଡି ଏହା ସହିତ ବିଧାନସଭା ନିର୍ବାଚନ କରିବାଲାଗି ଉଚିତ୍‌ ମଣିବ। ଏମିତି ହେଲେ ଗୁଜରାଟ ନିର୍ବାଚନର ସଙ୍କେତ ଦଳର ମାର୍ଗଦର୍ଶନ କରିପାରେ। ବିଜେପି ଓ କଂଗ୍ରେସର ମଧ୍ୟ।

ସମ୍ବନ୍ଧିତ ଖବର