ଜୋର ଧରିଲା ତେଲ ରାଜନୀତି

ବିଜେଡି-ବିଜେପି ଦୋଷ ଲଦାଲଦି
ତିନି ଘଣ୍ଟିଆ ପ୍ରତୀକାତ୍ମକ ଆନ୍ଦୋଳନ କଲା ବିଜେଡି
ସାମ୍ବାଦିକ ସମ୍ମିଳନୀ କରି ଟିକସ ହିସାବ ଦେଲା ବିଜେପି

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି। ବାରମ୍ବାର ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ସମଗ୍ର ରାଜ୍ୟରେ ତିନି ଘଣ୍ଟିଆ ପ୍ରତୀକାତ୍ମକ ଜନ ସଚେତନତା କାର୍ଯ୍ୟକ୍ରମ କରିିଥିଲା। ଏହା ସହିତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଥିଲେ ବିଜେଡି ନେତା। ଏହାର ପାଲଟା ଜବାବ ଦେଇଛି ବିଜେପି। କହିଛି, ପେଟ୍ରୋଲ ଲିଟର ପିଛା ରାଜ୍ୟ ସରକାର ୨୯ ଟଙ୍କା ୨୮ ପଇସା ଓ ଡିଜେଲରେ ୨୫ ଟଙ୍କା ୬୪ ପଇସା ନେଉଛନ୍ତି। ଏଣୁ ପେଟ୍ରୋଲ ଜାତ ଦ୍ରବ୍ୟକୁ ଜିଏସ୍‌ଟିରେ ସାମିଲ କରାଯାଉ ଓ ଓଡ଼ିଶା ଏହାର ନେତୃତ୍ୱ ନେଉ।

ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ବିଜେଡି ସକାଳ ୯ଟାରୁ ୧୨ଟା ଯାଏ ଜନସଚେତନତା ସୃଷ୍ଟି କରିବା ସହିତ ଆନ୍ଦୋଳନ କରିଥିଲା। ଲିଫ୍‌ଲେଟ୍‌ ବାଣ୍ଟି ଲୋକଙ୍କୁ ତୈଳ ଦର ବୃଦ୍ଧି ଓ କେନ୍ଦ୍ର ସରକାରଙ୍କ ଅପରାଗତା ସଂପର୍କରେ ବିଜେଡି ନେତାମାନେ ସୂଚାଇଥିଲେ। ଅଭିଯୋଗ କରିଥିଲେ, ସାଧାରଣ ଜନତା କେନ୍ଦ୍ର ସରକାରଙ୍କର ଆନୁଷ୍ଠାନିକ ଷଡ଼୍‍ଯନ୍ତ୍ର ଓ ଶୋଷଣର ଶିକାର ହେଉଛନ୍ତି। ତୈଳ କ୍ଷେତ୍ରର କୁପରିଚାଳନାଗତ ଅପରାଗତା ପାଇଁ ଅର୍ଥନୀତି ବିକୃତ ଓ ଚାପଗ୍ରସ୍ତ ହୋଇଛି। ବାରମ୍ବାର ତୈଳ ଦର ବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ହୁ ହୁ ହୋଇ ବଢିଚାଲିଛି। ଖାଉଟିଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାର ଯେଉଁ ଅପରାଧ କରୁଛନ୍ତି, ତା ବିରୋଧରେ ଅସନ୍ତୋଷ ତେଜିଲାଣି। ଭାରତ ବର୍ଷରେ ପେଟ୍ରୋଲ ମୂଲ୍ୟ ୪ ବର୍ଷରେ ସର୍ବାଧିକ ଓ ଡିଜେଲ୍‌ ସର୍ବକାଳୀନ ରେକର୍ଡ ଛୁଇଁଛି। ଏଭଳିସ୍ଥଳେ କେନ୍ଦ୍ର ସରକାର ନିଜ ଅପାରଗତାକୁ ଲୁଚାଇବା ପାଇଁ ବାହାନା କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଏପରିକି ତୈଳ କମ୍ପାନୀଗୁଡ଼ିକୁ ୧୬୦ ପ୍ରତିଶତ ଲାଭ ଦେଇ କେନ୍ଦ୍ରମନ୍ତ୍ରୀ ଝିଣ୍ଟିକା ମାରି ବଣି ପୋଷୁଛନ୍ତି ବୋଲି ବିଜେଡି ନେତାମାନେ ସଙ୍ଗିନ ଅଭିଯୋଗ କରିଛନ୍ତି। ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଓ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶାସକ ଦଳ ବିଧାୟକ ଓ ସ୍ଥାନୀୟ ଯୁବ ଓ ଛାତ୍ରନେତାମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ଅନ୍ୟପକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ପାଲଟା ଜବାବ ଦେଇଛି। ଦଳର ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, ଟିକସ ବାବଦକୁ ପେଟ୍ରୋଲରେ ଓଡ଼ିଶା ତହବିଲକୁ ଲିଟର ପିଛା ୨୯ ଟଙ୍କା ୨୮ ପଇସା ଯାଉଛି। କେନ୍ଦ୍ର ସରକାର ୪ଟଙ୍କା ୫୨ ପଇସା ପାଉଛନ୍ତି। ସେହିପରି ଡିଜେଲରେ ରାଜ୍ୟ ସରକାର ୨୫ ଟଙ୍କା ୬୪ ପଇସା ନେଇଛନ୍ତି ଓ କେନ୍ଦ୍ର ସରକାରଙ୍କ ପାଖକୁ ଯାଉଛି ୩ ଟଙ୍କା ୫୬ ପଇସା। ବିଜେପି କହିଛି, ପେଟ୍ରୋଲ ଜାତ ଦ୍ରବ୍ୟରେ ୨୦୧୪-୧୫ରେ ରାଜ୍ୟ ସରକାର ୩୦୪୬ କୋଟି ରାଜସ୍ୱ ପାଇଥିବା ବେଳେ ୨୦୧୬-୧୭ରେ ଏହା ୪୫୨୧ କୋଟି ଟଙ୍କାରେ ପହଞ୍ଚିଛି। କେନ୍ଦ୍ରୀୟ ଟିକସ ଛ଼ଡା ରାଜ୍ୟ ସରକାର ପେଟ୍ରୋଲଜାତ ଦ୍ରବ୍ୟ ଉପରେ ଅତିରିକ୍ତ ୨୬ ପ୍ରତିଶତ ଟିକସ ଲାଗୁ କରିଛନ୍ତି ଓ ଏହା ପଡ଼ୋଶୀ ରାଜ୍ୟ ତୁଳନାରେ ବେଶି ବୋଲି ଶ୍ରୀ ବକ୍ସିପାତ୍ର କହିଥିଲେ।

ସମ୍ବନ୍ଧିତ ଖବର