କଂଗ୍ରେସ ପାଇଁ ବିଏସପି ଅଡ଼ୁଆ, ମେଣ୍ଟ ହେବ ତ ୩ ରାଜ୍ୟରେ ,ନଚେତ ନାହିଁ : ବିଏସପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବିଜୟ ଉପରେ ରୋକ ଲଗାଇବା ପାଇଁ କଂଗ୍ରେସ ଏବେ ପ୍ରାୟ ସବୁ ରାଜ୍ୟରେ ଭାଜପା ବିରୋଧୀଙ୍କ ସହିତ ମେଣ୍ଟ କରୁଛି। ତେବେ ଆଗାମୀ ଦିନରେ ଦେଶର ୩ଟି ପ୍ରମୁଖ ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି।ଏ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶରେ ବେଶ୍‌ ଶକ୍ତିଶାଳୀ ଥିବା ବହୁଜନ ସମାଜପାର୍ଟି ସହିତ କଂଗ୍ରେସ ଛତିଶଗଡ଼ ଓ ମଧ୍ୟପ୍ରଦଶରେ ମେଣ୍ଟ କରିବାକୁ ଚାହୁଁଛି। ମାତ୍ର ବିଏସପି ଏହି ଦୁଇ ରାଜ୍ୟ ସହିତ ରାଜସ୍ଥାନରେ ମଧ୍ୟ କଂଗ୍ରେସ ସହିତ ମେଣ୍ଟ କରିବାକୁ ଚାହୁଁଛି। ଏହା ଫଳରେ ରାଜସ୍ଥାନରେ ବିଏସପି ତାର ଖାତା ଖୋଲିବାରେ ସମର୍ଥ ହେବ। ଅପରପକ୍ଷେ ଏହା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। କାରଣ ରାଜସ୍ଥାନରେ ବିଏସପିର ସଙ୍ଗଠନ ବିଲକୁଲ ଦୁର୍ବଳ ଥିବା ବେଳେ ସେ କଂଗ୍ରେସ ପିଠିରେ ଲାଉ ହୋଇ ନିର୍ବାଚନୀ ବୈତରିଣୀ ପାର ହେବାକୁ ଚାହୁଛି। ଏପରିକି ବିଏସପି କୁଆଡେ, ଯଦି ମେଣ୍ଟ ହେବ ତ ୩ଟି ରାଜ୍ୟରେ ହେବ, ନଚେତ ବିଲକୁଲ ମେଣ୍ଟ ହେବ ନାହିଁ ବୋଲି କହି କଂଗ୍ରେସ କୋର୍ଟକୁ ବଲ ଫିଙ୍ଗିଦେଇଛି। ଏହି ଅସମଞ୍ଜସ ପରିସ୍ଥିତିରେ କଂଗ୍ରେସ ବିଏସପି ବଲ୍‌କୁ କେମିତି କେଳିବ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛିି।
କଂଗ୍ରେସ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ଓ ମଧ୍ୟପ୍ରଦେଶର କଂଗ୍ରେସନେତାମାନେ ଚାହାଁନ୍ତି ଯେ ଯଦି ଏହି ଦୁଇ ରାଜ୍ୟରେ ଦଳ ବହୁଜନ ସମାଜପାର୍ଟି ସହିତ ଆସନ ବୁଝାମଣା କରେ ତେବେ ରାଜ୍ୟର ଦଳିତ ଭୋଟ୍‌ ଏକତ୍ରୀତ କରାଯାଇ ପାରିବ ଓ ଗତ ୧୫ ବର୍ଷ ଧରି ଏହି ରାଜ୍ୟ ଦୁଇଟିରେ କ୍ଷମତାରେ ଥିବା ଭାରତୀୟ ଜନତାପାର୍ଟି ସରକାରକୁ ଦଳ ପରାସ୍ତ କରି କ୍ଷମତା ହାସଲ କରି ପାରିବ। ମାତ୍ର ରାଜସ୍ଥାନ କଥା ଅଲଗା। ଏଠାରେ କଂଗ୍ରେସ ଭାବୁଛି ଦଳ ଏଠାରେ ଏଥର ଏକାକୀ କ୍ଷମତାକୁ ଫେରିବ। ରାଜସ୍ଥାନ କଂଗ୍ରେସ ପ୍ରମୁଖ ସଚୀନ ପାଇଲଟ୍‌ଙ୍କ କହିବା କଥା ଦଳ ଏଠାରେ ଭଲ କରିବା ହିଁ ବାସ୍ତବତା। ତେବେ ଦଳର ସ୍ୱାର୍ଥ ଦୃଷ୍ଟିରୁ ଯଦି ହାଇକମାଣ୍ଡ ରାଜ୍ୟରେ ବିଏସପି ସହିତ ମେଣ୍ଟ କରିବାକୁ ଚାହାଁନ୍ତି, ତେବେ ତାଙ୍କର ବିରୋଧ କରିବାର କିଛି କାରଣ ନାହିଁ ।ଦଳ ରାଜସ୍ଥାନରେ ମଧ୍ୟ ବିଏସପି ସହିତ ମେଣ୍ଟ କରିପାରେ। ମାତ୍ର ବାସ୍ତବାତା ହେଉଛି, କଂ୍େରସ ଦଳ ୨୦୧୯ ଲୋକସଭା ପୂର୍ବରୁ ବିଏସପି ମୁଖିଆ ମାୟାବତୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହିଁ। କାରଣ ଆଗାମୀ ୨୦୧୯ ନିର୍ବାଚନରେ ଯଦି ମହାମେଣ୍ଟ ହୁଏ ତେବେ ବିଏସପି ଏକ ପ୍ରମୁଖ ଅଂଶୀଦାର ଭାବେ ଏହି ମହାମେଣ୍ଟର ବିଜୟ ସମ୍ଭାବନାକୁ ବୃଦ୍ଧିି କରିବାରେ ସହାୟକ ହୋଇ ପାରିବ।

ସମ୍ବନ୍ଧିତ ଖବର