କଂଗ୍ରେସ ବିଭାଜନମୁହାଁ

ପିସିସି ବିରୋଧରେ ଅସନ୍ତୋଷ ତେଜିଲା
ମାନସ ଦଳ ଛାଡିଲେ, ତୃତୀୟ ମହଲାରେ ଗଣେଶ୍ୱର
ବିଜେଡି ସହ ସଂପର୍କରେ ଅନେକ ବରିଷ୍ଠ ନେତା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସକୁ ବିପଦ ଘନେଇ ଆସୁଛି। ଯେ କୌଣସି ମୁହୂର୍ତରେ ଦଳ ଫାଳ ଫାଳ ହୋଇଯାଇପାରେ। ଗୋଟିଏ ପଟେ ପିସିସି ନେତୃତ୍ୱକୁ ଖୋଲାଖୋଲି ବିରୋଧ କରି ଗଣମାଧ୍ୟମରେ ବୟାନବାଜି ଚଳାଇଛନ୍ତି ବିଧାୟକ। ପ୍ରତି ଜବାବରେ ରାଜ୍ୟ ନେତୃତ୍ୱ ଏଆଇସିସି ତାଲିକାରୁ ୯ ବିଧାୟକଙ୍କୁ ବାଦ୍‌ ଦେଇଛି। କେବଳ ସେତିକି ନୁହେଁ, ଯେଉଁମାନେ ପିିସିସି ସଭ୍ୟ କେବେ ବି ହୋଇନାହାନ୍ତି, ସେମାନଙ୍କୁ ଏଆଇସିସି ସଭ୍ୟ ପଦ ଦେଇ ପିସିସି ସଭାପତି ଅଧିକ ଚିଡାଇବାକୁ ଚେଷ୍ଟା କରିଛନ୍ତି। ଏଥିସହିତ କିଛି ନେତାଙ୍କୁ ଖୁସି କରିବା ଲାଗି ତାଲିକାରେ ପରିବାରରୁ ଦୁଇ ଦୁଇ ଜଣଙ୍କ ନାମ ଯୋଡି ଦିଆଯାଇଛି।

ଏହାକୁ ନେଇ କଂଗ୍ରେସ ରାଜନୀତି ଉଷ୍ଣ ଥିବା ବେଳେ ଆଜି ଆଉ ଦୁଇଟି ବଡ଼ ଘଟଣା ଘଟିଛି। ପୂର୍ବାହ୍ନରେ କଂଗ୍ରେସ ନେତା ତଥା ଚିଲିକାର ପୂର୍ବତନ ପ୍ରାର୍ଥୀ ମାନସ ମଙ୍ଗରାଜ କଂଗ୍ରେସକୁ ବାଏ ବାଏ କରିଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ପ୍ରସାଦଙ୍କୁ ଦାୟୀ କରି ଶ୍ରୀ ମଙ୍ଗରାଜ ଜଣାଇଛନ୍ତି ଯେ ଦଳ ପ୍ରତି ଅନୁରକ୍ତ ତଥା ଦଳୀୟ ସଂଗଠନ ସହିତ ଜଡିତ ବ୍ୟକ୍ତିଙ୍କୁ ଅଣଦେଖା କରିଆସିଛନ୍ତି। ପିସିସି ସଭ୍ୟ ପଦରୁ ତାଙ୍କୁ ଯେଭଳି ହଟାଗଲା, ତାହା ଚିଲିକା କଂଗ୍ରେସ କର୍ମୀଙ୍କୁ ଆଘାତ ଦେଇଛି। ସେ ଦର୍ଶାଇଛନ୍ତି, ଗୋଷ୍ଠୀକନ୍ଦଳ ଯୋଗୁଁ ଦଳ ରସାତଳଗାମୀ ହେଲେଣି। ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଯେ କୌଣସି ସ୍ୱାଭିମାନୀ ବ୍ୟକ୍ତି ଦଳରେ କାର୍ଯ୍ୟ କରିବା ଅସମ୍ଭବ ବୋଲି ଜଣାଇ ସେ ଇସ୍ତଫା ଦେଇଥିବା କହିଛନ୍ତି।

ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ଶ୍ରୀ ମଙ୍ଗରାଜ ପ୍ରଦେଶ ଯୁବ କଂଗ୍ରେସର ମୁଖ୍ୟ ମୁଖପାତ୍ର, ଜାତୀୟସ୍ତରର କାର୍ଯ୍ୟକର୍ତ୍ତା ଓ ପରେ ପିିସିସି ମୁଖପାତ୍ର ଭାବେ କାର୍ଯ୍ୟ କରିଥିଲେ। ୨୦୦୯ରେ ଚିଲିକାରୁ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚିଲିକା ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତିକୁ ସୁଦୃଢ କରିବା ଲାଗି ବିଜେଡି ତାଙ୍କୁ ନିଜ କୋଳକୁ ଟାଣିନେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

ଏ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଆଜି ଅଚାନକ ସଚିବାଳୟର ତୃତୀୟ ମହଲାରେ ଆବିର୍ଭାବ ହେବା, ରାଜନୈତିକ ମହଲକୁ ଆଚମ୍ବିତ କରିଛି। ଗତ ସପ୍ତାହରେ ସେ ଖୋଲା ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଜି ତୃତୀୟ ମହଲାରେ ତାଙ୍କର ଉପସ୍ଥିତି ସଙ୍କେତ ଦେଇଛି ଯେ କେନ୍ଦ୍ରାପଡାରେ ଦଳର ସଂଗଠନକୁ ସୁଦୃଢ କରିବା ଲାଗି ବିଜେଡି-ଗଣେଶ୍ୱରଙ୍କ ମଧ୍ୟରେ ସଂପର୍କ ବଢୁଛି। ତେବେ ଶ୍ରୀ ବେହେରା କହିଛନ୍ତି, ତୃତୀୟ ମହଲାକୁ ସେ ବିଭିନ୍ନ କାମରେ ପୂର୍ବରୁ ବି ଯାଇଛନ୍ତି। ତେବେ ଯଦି ସେଭଳି କୌଣସି ପରିସ୍ଥିତି ଆସେ, ସେ କର୍ମୀଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବେ। ଗଣେଶ୍ୱରଙ୍କ ଏଭଳି ମନ୍ତବ୍ୟ ସୂଚାଉଛି ଯେ ବିଜେଡି ତାଙ୍କ ପାଇଁ ଆଉ ବେଶୀ ଦୂର ନୁହେଁ। ଏ ନେଇ କେନ୍ଦ୍ରାପଡାରେ ବି ଚର୍ଚ୍ଚା ଆରମ୍ଭ ହୋଇଛି।

କେବଳ ଶ୍ରୀ ମଙ୍ଗରାଜ କି ଗଣେଶ୍ୱର ନୁହେଁ, କଂଗ୍ରେସର ଆଉ ପାଞ୍ଚ ଜଣ ବିଧାୟକଙ୍କୁ ନେଇ ବି ଏମିତି ଚର୍ଚ୍ଚା ଚାଲିଛି। ଏମାନଙ୍କ ବ୍ୟତୀତ କଂଗ୍ରେସର ଅନେକ ନେତା ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଗାଯୋଗରେ ଥିବା ଚର୍ଚ୍ଚା ଚାଲିଛି। ଯଦି ଏସବୁ ବାସ୍ତବରୂପ ନିଏ, ତେବେ କଂଗ୍ରେସ ଏକ ବ଼ଡ଼ ଧରଣର ବିଭାଜନ ସାମ୍ନା କରିବା ବିଚିତ୍ର ନୁହେଁ ବୋଲି ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି।

ଦୀର୍ଘ ଦିନ ଧରି ନେତୃତ୍ୱ ପରିବର୍ତନ ଦାବି କରିଆସୁଥିବା କଂଗ୍ରେସ ନେତାଙ୍କ ଶେଷ ଆଶା ଥିଲା, ଏଆଇସିସି ଅଧିବେଶନରେ ହାଇକମାଣ୍ଡ ରାଜ୍ୟ ସଂଗଠନ ନେଇ କିଛି ଆଲୋଚନା କରିପାରନ୍ତି। କିନ୍ତୁ ସେମିତି କିଛି ଘଟିନି। ବରଂ ଅନେକ ଅବାଞ୍ଚିତ ନେତାଙ୍କୁ ସାମ୍ନାକୁ ଆଣି ଦଳର ପୁରୁଖା ନେତାଙ୍କୁ ନେତୃତ୍ୱ କୋଣଠେସା କରିଦେଇଛନ୍ତି। ଏହା ଅସନ୍ତୁଷ୍ଟ ନେତାଙ୍କୁ ଦଳ ଛାଡିବା ଲାଗି ପ୍ରବର୍ତାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ପିସିସି ସଭାପତିଙ୍କ ବିରୋଧରେ ବିବାଦ ଦାଣ୍ଡରେ ପଡି ହାଟରେ ଗଡୁଥିଲେ ହେଁ ଏଆଇସିସି ତାଲିକାରେ ଶ୍ରୀ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ସାମିଲ କରାଯାଇଛି। ସେହିଭଳି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ସଂଗ୍ରାମ ଜେନା, ନବରଙ୍ଗପୁରର ମୁନା ତ୍ରିପାଠୀ, ମନୀଷା ତ୍ରିପାଠୀଙ୍କୁ ଏଆଇସିସି ତାଲିକାରେ ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର