ପ୍ରଧାନମନ୍ତ୍ରୀ ପଦ ଲାଗି ପାଓ୍ଵାରଙ୍କ ଫର୍ମୁଲା : ଯିଏ ଅଧିକ ଆସନ ଜିତିବ, ସେ ପ୍ରଧାନମନ୍ତ୍ରୀ ହେବ

ନୂଆଦିଲ୍ଲୀ : ବିରୋଧୀ ଦଳଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଟଣାଓଟରା ଲାଗିଥିବା ବେଳେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର ଏଥିପାଇଁ ଏକ ନୂଆ ଫର୍ମୁଲା ବତାଇଛନ୍ତି। ସେ କହିଛନ୍ତି, ୨୦୧୯ ନିର୍ବାଚନରେ ଅଧିକ ଆସନରେ ବିଜୟୀ ଦଳ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବି କରିପାରିବ। ମେଣ୍ଟର ଅନ୍ୟ ଦଳଗୁଡ଼ିକୁ ଏହାକୁ ମାନିବାକୁ ପଡ଼ିବ। ତେବେ ପାଓ୍ଵାରଙ୍କ ଏଭଳି ଗଣିତକୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଅଡୁଆ ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ପ୍ରଧାନମନ୍ତ୍ରୀ ପଦ ପାଇଁ ଏକାଧିକ ଦଳ ଆଶାୟୀ ରହିଥିବା କୁହାଯାଉଛି।

ଶାସକ ବିଜେପି ପଛକୁ ଦେଶରେ ବଡ଼ ଦଳ କଂଗ୍ରେସ ହୋଇଥିବାରୁ ସମ୍ଭାବ୍ୟ ମହାମେଣ୍ଟରେ କଂଗ୍ରେସ ହିଁ ମୁଖ୍ୟ ରହିବ। ମେଣ୍ଟ ସଜାଡ଼ିବାରେ ଏହି ଦଳ ମଙ୍ଗୁଆଳ ସାଜିବ। ସେହି ଦୃଷ୍ଟିରୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଯୋଗ୍ୟ ବିବେଚିତ ହେବେ। କିନ୍ତୁ କିଛି ଦଳ ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରାର୍ଥୀ କରାଇବା ନେଇ ପରୋକ୍ଷରେ ସମର୍ଥନ କରୁଛନ୍ତି। ମମତା ମଧ୍ୟ ଏଥର ଜାତୀୟ ସ୍ତରରେ ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି। ସେପଟେ ବିଏସ୍‌ପି ନେତ୍ରୀ ମାୟାବତୀ ମଧ୍ୟ ବଡ଼ ପଦବି ପାଇଁ ଆଗ୍ରହୀ ଥିବା ସହଯୋଗୀ ଦଳଗୁଡ଼ିକ ସଂକେତ ଦେଇସାରିଛନ୍ତି। ଏଭଳି କ୍ଷେତ୍ରରେ ପାଓ୍ଵାରଙ୍କ ନୂଆ ଗଣିତ ମେଣ୍ଟରେ ଅଡୁଆ ବଢ଼ାଇବା ଆଶଙ୍କା ରହିଛି।

ମୁମ୍ବାଇରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବା ବେଳେ ପାଓ୍ଵାର କହିଛନ୍ତି, ନିର୍ବାଚନ ଆସିଲେ ଏହି ଲୋକମାନଙ୍କୁ (ବିଜେପି) କ୍ଷମତାରୁ ହଟାଯିବ। ଏହାପରେ ବିରୋଧୀ ଦଳଗୁଡ଼ିକ ଏକାଠି ବସି ଆଲୋଚନା କରିବେ। ଅଧିକ ଆସନରେ ବିଜୟୀ ହେବାକୁ ଥିବା ଦଳ ପ୍ରଧାନମନ୍ତ୍ରୀ ପଦ ପାଇଁ ହକ୍‌ଦାର ହେବେ। ତେବେ ମୁଁ ଖୁସି ଯେ କଂଗ୍ରେସ ମୁଖ୍ୟ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ନାହାନ୍ତି ବୋଲି ତାଙ୍କ ଆଡୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ରାହୁଲ କହିଥିଲେ, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପଦ ପାଇଁ ସେ ଗୁରୁତ୍ୱ ଦେଉନାହାନ୍ତି। ୨୦୧୪ ପରେ ତାଙ୍କର ଏହି ଭିଜନ୍‌ ବଦଳି ଯାଇଛି।

ପାଓ୍ଵାର ଆହୁରି କହିଛନ୍ତି, ମୁଁ ପ୍ରତ୍ୟେକ ରାଜ୍ୟ ବୁଲିବି ଏବଂ ଯେଉଁ ଦଳ ବିଜେପି ସହିତ ନାହାନ୍ତି, ସେମାନଙ୍କୁ ଆମ ସହ (ବିରୋଧୀଙ୍କ ମେଣ୍ଟ) ସାମିଲ ହେବା ପାଇଁ ଆମନ୍ତ୍ରଣ କରିବି। କଂଗ୍ରେସ ଏବେ ଗୁଜରାଟ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ସୁଦୃଢ଼ ଥିବା ବେଳେ ଉତ୍ତର ପ୍ରଦେଶରେ ମାୟାବତୀ-ଅଖିଳେଶ ଅଛନ୍ତି। ପ୍ରତ୍ୟେକ ରାଜ୍ୟରେ ସ୍ଥିତି ଭିନ୍ନ ଭିନ୍ନ ରହିଛି। ଉଲ୍ଲେଖଯୋଗ୍ୟ, ସାଧାରଣ ନିର୍ବାଚନକୁ ଆଉ ବର୍ଷେଠୁ କମ୍‌ ସମୟ ରହିଥିବା ବେଳେ ବିଜେପିକୁ ଚାଲେଂଜ ଦେବା ଭଳି ସ୍ଥିତିକୁ ବିରୋଧୀ ଦଳଗୁଡ଼ିକ ଏଯାଏ ଆସିପାରି ନାହାନ୍ତି। ତାହାର ଝଲକ ନିକଟରେ ଅନୁଷ୍ଠିତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଖିବାକୁ ମିଳିଛି। ଆମ୍‌ ଆଦ୍‌ମି ପାର୍ଟି ଏବଂ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଭଳି ଦଳର ସମର୍ଥନ ହାସଲ କରିନପାରି କଂଗ୍ରେସ ଏହି ନିର୍ବାଚନରେ ଫେଲ୍‌ ମାରିଥିଲା।

ସମ୍ବନ୍ଧିତ ଖବର