କଂଗ୍ରେସ ତାଲିକା ପ୍ରକାଶ ପରେ ‘ପାସ୍‌’ର ବିଦ୍ରୋହ

ସୁରାଟ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରବିବାର ରାତିରେ କଂଗ୍ରେସ ତାହାର ବହୁ ପ୍ରତୀକ୍ଷିତ ୭୭ ପ୍ରାର୍ଥୀ ବିଶିଷ୍ଟ ପ୍ରଥମ ତାଲିକା ପ୍ରକାଶ କରିଛି। ଏପରିକି ସେଥିରେ ସ୍ଥାନ ପାଇଥିବା କଂଗ୍ରେସ ବିଧାୟକ ଇନ୍ଦ୍ରାଣୀ ରାଜ୍ୟଗୁରୁ ଆଜି ପୂର୍ବ ରାଜକୋଟରୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ବିରୋଧରେ ଲଢ଼ିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ତେବେ ଗତକାଲି କଂଗ୍ରେସର ତାଲିକା ପ୍ରକାଶ ପରେ ପରେ ସେଥିରେ ଅସନ୍ତୁଷ୍ଟ ହୋଇ ପଟିଦାର ଅନାମତ ଆନ୍ଦୋଳନ ସମିତି(ପାସ୍‌)ର ସଦସ୍ୟମାନେ ଏଠାରେ କଂଗ୍ରେସ କର୍ମୀଙ୍କ ସହ ଭୀଷଣ ଝଗଡ଼ା କରିଛନ୍ତି। ଏପରିକି କଂଗ୍ରେସ କାର୍ଯ୍ୟାଳୟରେ ସେମାନେ ଭଙ୍ଗାରୁଜା କରିଥିବା ଖବର ମିଳିଛି।
ଉଲ୍ଲେଖ ଥାଉ କି, ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱାଧୀନ ପାସ୍‌ ପକ୍ଷରୁ ୨୦ଟି ଆସନ ଦାବି କରାଯାଇଥିବା ବେଳେ ସେମାନଙ୍କୁ ମାତ୍ର ୯ଟି ଆସନ କଂଗ୍ରେସ ଛାଡ଼ିଦେଇଛି। ଅପରପକ୍ଷେ, ପାସ୍‌ ସଦସ୍ୟ ନଥାଇ ମଧ୍ୟ ୨୦ ଜଣ ଅଣପଟେଲ ଆଶାୟୀଙ୍କୁ କଂଗ୍ରେସ ଟିକେଟ ଦେଇଛି।
ସେମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିନଥିବା ଅଭିଯୋଗ ଆଣି ପାସ୍‌ ସଦସ୍ୟମାନେ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ଷୋଭ ପ୍ରକାଶ କରିବା ସହ ବିଦ୍ରୋହ ଆରମ୍ଭ କରିଛନ୍ତି। ଆସନ ବୁଝାମଣାରେ କଂଗ୍ରେସ ସେମାନଙ୍କୁ ଉପେକ୍ଷା କରିଥିବାରୁ ପାସ୍‌ ସଦସ୍ୟମାନେ ସେମାନଙ୍କ ସମର୍ଥନର ପୁନର୍ବିଚାର କରିବେ ବୋଲି ଧମକ ଦେଇଛନ୍ତି। ରାଜ୍ୟବ୍ୟାପୀ କଂଗ୍ରେସର ପ୍ରତି କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସହ ସବୁ ଅଚଳ କରିଦେବେ ବୋଲି ସୁରାଟ ସହର ପାସ୍‌ ଆବାହକ ଧାର୍ମିକ ମାଲବ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର