ରାତି ପାହିଲେ ପାଟକୁରା ନିର୍ବାଚନ ଫଳ: କ’ଣ କହିଲେ ବିଜେଡି-ବିଜେପି-କଂଗ୍ରେସ ନେତା ଜାଣନ୍ତୁ

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନର ଫଳାଫଳ ବୁଧବାର ସନ୍ଧ୍ୟା ସୁଦ୍ଧା ଆସିବ। ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା କଲେଜରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ଣ ୮ଟାରୁ ମତଗଣନା ଆରମ୍ଭ ହେବ ଏବଂ ଏହା ଅପରାହ୍ଣ ୩ଟା ସୁଦ୍ଧା ଫଳଫଳ ବାହାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ମୋଟ୍‌ ୩୦୯ଟି ବୁଥର ମତଦାନ ୧୮ଟି ରାଉଣ୍ଡରେ ପ୍ରାୟ ୨୦୦ କର୍ମଚାରୀଙ୍କ ଦ୍ୱାରା ଗଣତି ହେବ। ଶାନ୍ତି ଶୃଙ୍ଖଳା ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋଟ୍‌ ଗଣତି ବେଳେ ୧୨ ପ୍ଲାଟୁନ ପୁଲିସ ମୁତୟନ ରହିବେ। କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସହିତ ରାଜ୍ୟ ସୁରକ୍ଷାବାହିନୀ ଇଭିଏମ ଏବଂ ଭିଭିପ୍ୟାଟ୍‌ ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି। କଲେଜର ୨ ନମ୍ବର ହଲରେ ମତଗଣନା ହେବ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାଟକୁରାରେ ୭୨.୭୫ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ଫଳାଫଳ ପୂର୍ବରୁ ବିଜୟ ନେଇ ଶାସକ ବିଜେଡ଼ି ଓ ବିରୋଧ ଦଳ ବିଜେପି ଅନେକ ଆଶାବାଦୀ ଅଛନ୍ତି। ପାଟକୁରା ଆସନ କାହାର ହେଉଛି, ତାହା ଦେଖିବାକୁ ରହିଲା।

ବିଜୟଙ୍କୁ ପ୍ରତ୍ୟାଖାନ କରିବେ ପାଟକୁରାବାସୀ: ଅତନୁ

Aaj Tak

ଭୋଟ୍‌ ଫଳାଫଳ ପୂର୍ବରୁ ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ। ଅତନୁ କହିଛନ୍ତି କି, କେନ୍ଦ୍ରାପଡ଼ା ମାଟି ହିଁ ବିଜୁ ବାବୁଙ୍କ ସ୍ୱାଭିମାନ। ଆଉ ବିଜୁ ବାବୁଙ୍କ ଆଦର୍ଶ ବିରୋଧୀ ହେଉଛନ୍ତି ବିଜୟ। ତେଣୁ ବାରମ୍ବାର ଦଳ ପରିବର୍ତ୍ତନ କରିଥିବା ବିଜୟ ବାବୁଙ୍କୁ ପାଟକୁରାବାସୀ ପ୍ରତ୍ୟାଖାନ କରିବେ। ପାଟକୁରାରେ ସାବିତ୍ରୀ ଜିତିବେ ଆଉ ପୁଣି ‘ଶଙ୍ଖ’ ଶୁଭିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଅତନୁ।

ବିଜୟ କହିଲେ- ପାଟକୁରାବାସୀ ପରିବର୍ତ୍ତନ ଚାହାନ୍ତି

odishasuntimes.com

ସେପଟେ ବିଜୟ ମହାପାତ୍ର କହିଛନ୍ତି କି, ପାଟକୁରା ସମ୍ମାନର ଲେଇରେ ପରିବର୍ତ୍ତନ ଚାହୁଁଛନ୍ତି ପାଟକୁରାବାସୀ। ପାଟକୁରାର ଗାଁ ଗହଳିରେ ନିର୍ବାଚନ ତାରିଖ ଘୋଷଣା ଆରମ୍ଭରୁ ପରିଲିକ୍ଷିତ ହେଉଛି। ବିଜେଡିର ପ୍ରଚୁଳ ଅର୍ଥବଳ ଏବଂ ମାଳମାଳ ମନ୍ତ୍ରୀ ବିଧାୟକଙ୍କ ପାଟକୁରାରେ ଡେରା ପକାଇବାକୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ତେଣୁ ଯେଉଁ ରାୟକୁ ଅପେକ୍ଷା କରିଛନ୍ତି ତାହା ଏକ ବୃହତ ପରିବର୍ତ୍ତନ ଆଣିବ। ଏପରିକି ବିଜେଡି ୧୯ ବର୍ଷରେ ପାଟକୁରାବାସୀଙ୍କୁ ପ୍ରତାରିତ କରିଥିବାର ଫଳାଫଳ ସାମ୍ନାକୁ ଆସିବ ବୋଲି କହିଛନ୍ତି ବିଜୟ।

ଫଳାଫଳ ପୂର୍ବର କଂଗ୍ରେସର ପରାଜୟ ସ୍ୱୀକାର

ସେପଟେ କଂଗ୍ରେସର ଅନ୍ୟ ଜଣେ ଟାଣୁଆ ନେତା ମଧ୍ୟ ପରାଜୟକୁ ଖୋଲା କଣ୍ଠରେ ସ୍ୱୀକାର କରିଛନ୍ତି। ଜଟଣୀ ବିଧାୟକ ସୁର ରାଉତରାୟ ଟଙ୍କାର ଆଳ ନେଇ ନିଜ ଗଫଲତିକୁ ଘୋଡାଇଛନ୍ତି। ତାରାଙ୍କ ପରି ସୁର ମଧ୍ୟ ‘ବିଜେଡିର ଟଙ୍କା’ ଉପାଖ୍ୟାନ କହିଛନ୍ତି। ବିଜେଡି ଯେମିତି ଟଙ୍କା ଉଡାଉ ଥିଲା ତାଙ୍କ ଆଗରେ ଆମେ ଆଗେଇବା ଅସମ୍ଭବ ତେଣୁ ପାଟକୁରାରେ ଆମେ ହାରୁଛୁ। ଯଦି ସ୍ୱାଭିମାନର ଭୋଟ ମିଳେ ତେବେ କଂଗ୍ରେସ ଜିତିବ। ନହେଲେ ବିଜେଡି ୧ ନମ୍ବର, ବିଜେପି ୨ ନମ୍ବର ଏବଂ କଂଗ୍ରେସ ୩ ନମ୍ବରରେ ରହିବ ବୋଲି ସୁର ଭବିଷ୍ୟ ଦେଖିଛନ୍ତି। ବିଜେପି ପାଇଁ ବିଜୟ ହାରିବେ ବୋଲି ସୁର କହିଛନ୍ତି।

molitics.in

ପାଟକୁରା ଫଳାଫଳ ବାହାରିବା ପୂର୍ବରୁ ପରାଜୟ ସ୍ୱୀକାର କରିଛି କଂଗ୍ରେସ। ପାଟକୁରାରେ କଂଗ୍ରେସ ହାରୁଥିବା ନେଇ ସ୍ୱୀକାର କରିଛନ୍ତି କଂଗ୍ରେସର ୨ ହେଭିୱେଟ। ତେବେ ଫଳାଫଳ ନେଇ ତାରା କହିଛନ୍ତି, ଜିତିବା ହାରିବା ଲୋକଙ୍କ ହାତରେ ରହିଛି। ମାତ୍ର ପାଟକୁରାରେ ଆମ ପ୍ରତି ବିପଦ ରହିିଛି, ଆମେ ବିପଦରେ ଅଛୁ ବୋଲି କହି ତାରା କଂଗ୍ରେସର ପରାଜୟ କଥାକୁ ସ୍ପଷ୍ଟ କରିଛନ୍ତି। ତେବେ ବିଜେଡିର ଟଙ୍କା ଆଗରେ ଆମେ କିଛି ନୁହେଁ। ଆମେ ଟଙ୍କାଟେ ଖର୍ଚ୍ଚ କରିନୁ କି ତାଙ୍କ ଭଳି ଡେରା ପକାଇନଥିଲୁ ତେଣୁ ଆମେ ବିପଦରେ ଅଛୁ ବୋଲି ମୁଁ ଅନୁମାନ କରୁଛି ବୋଲି କହିଥିଲେ ତାରା।

ସୂଚନାଯୋଗ୍ୟ ପାଟକୁରା ବିଧାନସଭା ଆସନ ପାଇଁ ଗତ ୨୦ ତାରିଖରେ ମତଦାନ ଗ୍ରହଣ କରାଯାଇଥିଲା। ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ ନିର୍ବାଚନରେ ବିଜୟୀ ହେବେ ବୋଲି ବିଜେଡ଼ି ଆଶା କରୁଛି। ବିଜୟ ମହାପାତ୍ରଙ୍କ ବିଜୟ ନେଇ ଭାରତୀୟ ଜନତା ପାର୍ଟି ଆଶାବାଦୀ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କର ସ୍ଥିତି ସେତେ ଭଲ ନୁହେଁ ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଛନ୍ତି।

ସମ୍ବନ୍ଧିତ ଖବର