କଂଗ୍ରେସ ଲୋକଙ୍କ ଦଳ: ନିରଞ୍ଜନ

ପିସିସି ନୂଆ ଟିମକୁ ଝାରସୁଗୁଡ଼ାରେ ସ୍ୱାଗତ

ଝାରସୁଗୁଡ଼ା : କଂଗ୍ରେସ ଦଳ ହେଉଛି ଲୋକଙ୍କ ଦଳ। ଗାଁ ଗଣ୍ଡାର ଲୋକ ଯାହା କହିବେ ତାହା ହିଁ ହେବ କଂଗ୍ରେସର ମୂଳମନ୍ତ୍ର। ଅତୀତରେ କଂଗ୍ରେସ ଦଳ ଭୁଲ କରିଥିଲା। ଯାହାର ପରିଣାମ ସ୍ୱରୂପ ଜନସାଧାରଣ କଂଗ୍ରେସକୁ ଦଣ୍ଡ ଦେଇ ସାରିଛନ୍ତି। ତେଣୁ ଦଳ ଆଗକୁ ସେପରି ଭୁଲ କରିବ ନାହିଁ ବୋଲି କହିଛନ୍ତି ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।

ଗୁରୁବାର ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପିସିସି ନୂଆ ଟିମ୍‌କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ଅବସରରେ ଶ୍ରୀ ପଟ୍ଟନାୟକ କହିଲେ ଯେ ରାଜ୍ୟବାସୀ କେହି ବି ଆଜି ଖୁସିରେ ନାହାନ୍ତି। ଚାଷୀ ଠାରୁ ଆରମ୍ଭ କରି ମାଁ ଭଉଣୀ, ସଂଖ୍ୟାଲଘୁ, ଆଦିବାସୀ, ଯୁବକ, ଛାତ୍ର ଅତ୍ୟାଚାରିତ। ଋଣରେ ବୁଡ଼ି ରହିଥିବା ଚାଷୀଙ୍କ ଋଣଛାଡ଼ ନକରି ସରକାର ଶିଳ୍ପପତିଙ୍କ କୋଟି କୋଟି ଟଙ୍କା ଟିକସ ଛାଡ଼ କରୁଛନ୍ତି। କଂଗ୍ରେସ ସରକାର ସମୟରେ ଯେଉଁ ପ୍ରକଳ୍ପ ହାତକୁ ନିଆଯାଇଥିଲା ତାକୁ ବିଜେଡି ସରକାର ବାହାବା ନେଉଛି ବୋଲି କହିଥିଲେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ। ସଭାରେ ପୂର୍ବ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପୂର୍ବ ବାଚସ୍ପତି କିଶୋର ପଟେଲ, ପୂର୍ବ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଏଆଇସିସି ସଂପାଦକ ମୁସ୍ତାନ ଭାଲି ଓ ଅନୀଲ ଚୌଧୁରୀ ରାଜ୍ୟ ବିଜେଡି ସରକାର ଓ କେନ୍ଦ୍ର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଝାରସୁଗୁଡ଼ା ଠାରେ ପ୍ରଦେଶ କଂଗ୍ରେସ କମିଟିର ନବ ନିର୍ବାଚିତ ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ କାଯ୍ୟର୍କାରୀ ସଭାପତି ତଥା ବିଧାୟକ ନବ ଦାସ ତଥା ଉପରୋକ୍ତ ସମସ୍ତ ନେତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ହଜାର ହଜାର କଂଗ୍ରେସ କର୍ମୀ ବଡ଼ମାଳ ଛକ, ସରବାହାଲ ହାଇସ୍କୁଲ ପଡ଼ିଆ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ଏହି ନେତାଙ୍କୁ ଖୋଲାଜିପ୍‌ରେ ଝଣ୍ଡାଚୌକ ପଯ୍ୟର୍ନ୍ତ ଆଣିବା ପରେ ସେଠାରୁ ପଦଯାତ୍ରାରେ ସଭାସ୍ଥଳକୁ ନିଆଯାଇଥିଲା। ସଭାରେ କ୍ଷେତ ମଜଦୁର କିସାନ ମୋର୍ଚ୍ଚାର ଜିଲ୍ଲା ସଭାପତି ଜଗନ୍ନାଥ ଜେନା ସଭାପତିତ୍ୱ କରିଥିବା ବେଳେ କାଉନସିଲର ରାଜୁ ପାଣିଗ୍ରାହୀ ସ୍ୱାଗତ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ପଟେଲ ଓ କିର୍ମିରା ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ ମଞ୍ଚରେ ଏହି ନେତାଙ୍କୁ ଖଣ୍ଡା ଓ ପଗଡ଼ି ପ୍ରଦାନ କରିଥିଲେ। ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ପିଣ୍ଟୁ ପାଢ଼ୀ, ବାବୁନ ସରକାର କାଯ୍ୟର୍କ୍ରମ ପରିଚାଳନା କରିଥିଲେ। ବିଧାୟକ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର