ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ପରେ ଜୋର ଧରିଲା ରାଜନୈତିକ ଗତିବିଧି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ବିଜେପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଆଜି ଭାରତୀୟ ନିର୍ବାଚନ କମିଶନ ଘୋଷଣା କରାଯିବା ପରେ ସେଠାରେ ରାଜନୈତିକ ବାତାବରଣ ସରଗରଗମ ହୋଇଉଠିଛି ।

ଆଜି ନିର୍ବାଚନ କମିଶନ ବିଜେପୁରରେ ଉପନିର୍ବାଚନ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି । ତୋବେ କୌଣସି ପ୍ରମୁଖ ଦଳ ଏପର୍ଯ୍ୟନ୍ତ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବିଜୁ ଜନତା ଦଳ ଖୁବ୍ ଶୀଘ୍ର ତାର ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଛି ।

ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଓ ହିଞ୍ଜିଳି ଆସନରୁ ଜିତିଥିଲେ । ପରେ ସେ ହିଞ୍ଜିଳି ଆସନରୁ ଇସ୍ତଫା ଦେବାରୁ ତାହା ଖାଲି ପଡ଼ିଲା । ସେଥିପାଇଁ ସେଠାରେ ଉପନିର୍ବାଚନ ହେଉଛି ।

ବିଧାନସଭା ଉପନିର୍ବାଚନ ଦଳୀୟ ପ୍ରାର୍ଥୀ ହେବା ପାଇଁ ବିଜେପି ଛାଡ଼ି ବିଜେଡ଼ି ଯୋଗ ଦେଇଥିବା ଟାଣୁଆ ନେତା ସୁବାସ ଚୌହାନ ଆଗ୍ରହୀ ଥିଲେ । ତେବେ କିଛି ଦିନ ତଳେ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବାରୁ ତାଙ୍କର ପ୍ରାର୍ଥୀ ହେବା ସମ୍ଭାବନା ଆଉ ନାହିଁ ବୋଲି ଶାସକ ବିଜୁ ଜନତା ଦଳରେ ଚର୍ଚ୍ଚା ହେଉଛି । ଗତ ବର୍ଷ ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନ ହୋଇଥିଲା । ଏବଂ ତାଙ୍କ ପତ୍ନୀ ରୀତା ସାହୁ ବିଜେଡିର ପ୍ରାର୍ଥୀ ହୋଇ ପ୍ରାୟ ୪୩ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ । ତେଣୁ ରୀତା ପୁଣି ଏଥର ବିଜେଡ଼ି ପ୍ରାର୍ଥୀ ହେବାର ସମ୍ଭାବନା ରହିଛି ।

ଇତି ମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ବିଜେପୁର ଉପନିର୍ବାଚନ ପାଇଁ ଏକ ଚାରି ଜଣିଆ କମିଟି ଗଠନ କରାଯାଇଛି । ସେହି କମିଟିର ସୁପାରିସ ଅନୁସାରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ବିଜେପିର ସନତ ଗଡ଼ତିଆ ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଲଢ଼ିଥିଲେ । ତେଣୁ ତାଙ୍କୁ ଏଥର ପୁଣି ଥରେ ପ୍ରାର୍ଥୀ କରାଯିବାର ବେଶ୍ ସମ୍ଭାବନା ରହିଛି । ପଡ଼ୋଶୀ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଏଥର ଉପନର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ । ତେଣୁ ଶ୍ରୀ ଗଡ଼ତିଆ ଓ ଶ୍ରୀ ପୁରୋହିତ ମଧ୍ୟରୁ କିଏ ଜନତା ଦଳୀୟ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

କଂଗ୍ରେସ ଏହି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଲାଗି ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଛି । ଏହି କମିଟିର ସୁପାରିଶ ଅନୁସାରେ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇପାରେ । ଅନ୍ୟପକ୍ଷରେ ଗତ ବର୍ଷ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ପ୍ରଣୟ ସାହୁ ଶାସକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।ତେଣୁ ଦଳ କାହାକୁ ପ୍ରାର୍ଥୀ କରିବ ସେଥିନେଇ ସସସ୍ପେନ୍ସ ଜାରୀ ରହିବ ।

ସମ୍ବନ୍ଧିତ ଖବର