ପିିସିସିରେ ଫାଟ, ବିଧାୟକମାନେ ଏକାଠି

ବିରୋଧୀ ଦଳ ନେତାଙ୍କ ପ୍ରତି ବିଶ୍ୱାସ ପ୍ରକଟ କରି ସଂକଳ୍ପ ପାରିତ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ନେତାମାନେ ଦଳ ଛାଡିବାରେ ଲାଗିଛନ୍ତି। ଗଣମାଧ୍ୟମରେ ମଧ୍ୟ କଂଗ୍ରେସ ନେତା ଓ ବିଧାୟକଙ୍କ ବୟାନ ବାଜି ଜାରି ରହିଛି।

ଏପଟେ କିନ୍ତୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହିତ ସବୁ ବିଧାୟକ ଏକାଠି ଅଛନ୍ତି ବୋଲି ଆଜି କଂଗ୍ରେସ ବିଧାୟକ ଦଳ ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି। ଶ୍ରୀ ମିଶ୍ରଙ୍କ ନେତୃତ୍ୱ ପ୍ରତି ବିଧାୟକଙ୍କର ବିଶ୍ୱାସ ରହିଥିବା ପ୍ରକାଶ କରିଛନ୍ତି ବିଧାୟକମାନେ।

ଏହି ଘଟଣା ଆଜି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କର ନିଜ ନିଜ ନେତୃତ୍ୱ କ୍ଷେତ୍ରରେ ଗ୍ରହଣୀୟତା ନେଇ ଏଥିରୁ ଏକ ସ୍ପଷ୍ଟ ବାର୍ତା ମିଳୁଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଏଆଇସିସି ତାଲିକାରୁ ୯ଜଣ ବିଧାୟକଙ୍କୁ ବାଦ୍‌ ଦିଆଯିବା ଘଟଣା ଆଗକୁ ନୂଆ ମୋଡ଼ ନେଇପାରେ ବୋଲି ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହେଲାଣି।

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଧୀରେ ଧୀରେ ରାଜ୍ୟ କଂଗ୍ରେସ ବିବାଦ ସେତିକି ଅଧିକ ବିସ୍ଫୋରକ ମୋଡ଼ ନେବା ଆରମ୍ଭ କରିଛି। ଏମିତି ପରିସ୍ଥିତି ସୃଷ୍ଟି ହେଲାଣି ଯେ ଦଳର ନେତାମାନେ ସୀମା ସରହଦ ଭିତରେ ରହିବାକୁ ଆଗ୍ରହ ଦେଖାଉନାହାନ୍ତି। କିଏ ପିସିସି ସଭାପତିଙ୍କ ଭଳି ଖୋଲା କାର୍ଯ୍ୟାନୁଷ୍ଠାନର ଧମକ ଦେଲାଣି ତ ଆଉ କିଏ ଦଳର ଗୁମରକୁ ରାଜରାସ୍ତା ପର୍ଯ୍ୟନ୍ତ ଟାଣିଆଣିଲାଣି। ଦଳ ସଂଗଠିତ ହେବା ବଦଳରେ ପ୍ରତି ଦିନ ସ୍ଥିତି ବିିଗୁଡିଛି ଓ ଛିଡିବା ଆରମ୍ଭ କରିଛି। ହେଲେ ଏସବୁ ସଂପର୍କରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମାତ୍ରାଧିକ ନିରବତା ଅବଲମ୍ବନ କରୁଛନ୍ତି। ନା କାର୍ଯ୍ୟାନୁଷ୍ଠାନ ଧମକ ଦେଉଥିବା ନେତାଙ୍କୁ ତାଙ୍କ ସୀମା ନେଇ ସଚେତନ କରାଉଛନ୍ତି ନା ଅସନ୍ତୁଷ୍ଟ ନେତାଙ୍କୁ ମନାଇବାକୁ ଚାହୁଁଛନ୍ତି।

କଂଗ୍ରେସର ଏଭଳି ସ୍ଥିତି ଦେଖି ଦଳ ସହିତ ବର୍ଷ ବର୍ଷ ଧରି ରହିଥିବା ନେତାମାନେ କଠୋର ନିଷ୍ପତ୍ତି ନେବା ଲାଗି ପ୍ରକ୍ରିୟା ଆରମ୍ଭ କଲେଣି। ପ୍ରତିଦିନ ପଞ୍ଚାୟତସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କେହି ନା କେହି ଦଳଠାରୁ ନିଜକୁ ଦୂରେଇ ନେଉଛି। ଏପରିକି ଦଳର ଟାଣୁଆ ନେତାମାନେ କଂଗ୍ରେସର ସେମାନଙ୍କ ଭବିଷ୍ୟତ ନେଇ ଦ୍ୱନ୍ଦ୍ୱରେ ପଡିଲେଣି।

ଉଲ୍ଲେଖଯୋଗ୍ୟ, ପିସିସି ସଭାପତି ପରିବର୍ତ୍ତନକୁ ନେଇ ବର୍ଷେ ହେଲାଣି ବିଧାୟକ ଦଳ ଓ ନେତୃତ୍ୱ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ହେଲେ ଏଆଇସିସି ତାଲିକାରେ କିଛି ନୂଆ ବ୍ୟକ୍ତିଙ୍କୁ ସ୍ଥାନ ମିଳିବା ଓ ବିରୋଧ କରୁଥିବା ୯ ବିଧାୟକଙ୍କୁ ବାଦ୍‌ ଦିଆଯିବା ପରେ ବିବାଦ ଆଗକୁ ବଢିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ଏଆଇସିସି ତାଲିକାରେ ଥିବା ବେଳେ କେଉଁ ପରିସ୍ଥିତିରେ ୯ଜଣ ବିଧାୟକ ବାଦ୍‌ ପଡିଲେ ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। ଏପରିକି ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ ବିରୋଧୀ ଦଳ ନେତାଙ୍କ ସହିତ ୯ଜଣ ବିଧାୟକ ନାହାନ୍ତି। ଏହା ଦଳର ଗୋଟିଏ ଗୋଷ୍ଠୀକୁ ବେଶ୍‌ ସୁହାଇଥିଲା।

ଗତକାଲିଠାରୁ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି। ଏହାର ଯଥେଷ୍ଟ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ରଣନୀତି ନିର୍ଧାରଣ ହୋଇଥିଲା। ହେଲେ ବିରୋଧୀ ଦଳ ନେତାଙ୍କୁ ନେଇ ଉଠିଥିବା ଏହି ଚର୍ଚ୍ଚା ଯେ ଅମୂଳକ ଏକଥା ଆଜି ଖୋଦ୍‌ କଂଗ୍ରେସ ବିଧାୟକମାନେ ଜଣାଇ ଦେଇଛନ୍ତି। ଏଥସହିତ ବିଧାୟକ ଦଳ ମଧ୍ୟରେ ଥିବା ବିବାଦ ଆଲୋଚନାରେ ପୂର୍ଣ୍ଣଛେଦ ଟାଣିଛନ୍ତି। ଆଜି ବିଧାନସଭାର ବିରୋଧୀ ଦଳ ନେତାଙ୍କ ପ୍ରକୋଷ୍ଠରେ ସକାଳ ସାଢେ ୯ଟାରେ ବିଧାୟକ ଦଳ ବୈଠକ ବସିଥିଲା। ବୈଠକର ନିଷ୍କର୍ସ ସଂକଳ୍ପ ଆକାରରେ ପଦାକୁ ଆସିଛି।

ସମ୍ବନ୍ଧିତ ଖବର