ନିଜ ଉପରେ ଭରସା ନାହିଁ

ଭୁବନେଶ୍ୱର : ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳରେ ମିଶାଇ ଆସନ୍ତା ଉପନିର୍ବାଚନରେ ପ୍ରାର୍ଥୀ କରିବେ ବୋଲି ଘୋଷଣା କରି ସାରିଛନ୍ତି ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ପାଦେ ଆଗକୁ ଯାଇ ବିଜେଡିରେ ବରପାଲି ଏନ୍‌ଏସି ଅଧ୍ୟକ୍ଷ ମୀନା ସେଠ୍‌, ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କୁ ମିଶାଇବାକୁ ଯୋଜନା କରିଛି। ବିଜେଡି ନେତାମାନେ ଦାବି କରୁଛନ୍ତି, ଏହାଦ୍ୱାରା ସେମାନଙ୍କ ସ୍ଥିତି ଆହୁରି ସୁଦୃଢ ହୋଇଛି ଓ ବିଜୟ ସମ୍ଭାବନା ଏବେ ଉଜ୍ଜ୍ୱଳ।

ଅନ୍ୟପକ୍ଷରେ ବିଜେଡିର ପୂର୍ବତନ ବିଧାୟକ ଅଶୋକ କୁମାର ପାଣିଗ୍ରାହୀଙ୍କୁ ଦଳରେ ମିଶାଇଛି ବିଜେପି। ବିଧିବଦ୍ଧ ଭାବେ ଏଯାଏ ଘୋଷଣା ହୋଇନଥିଲେ ହେଁ, ଆସନ୍ତା ଉପନିର୍ବାଚନ ପ୍ରାର୍ଥିତ୍ୱ ଦୌଡରେ ସମସ୍ତଙ୍କ ଠାରୁ ଆଗରେ ଅଛନ୍ତି ଅଶୋକ। ନିଜ ସମର୍ଥକମାନଙ୍କ ସହିତ ବିଜେପିର ପଦ୍ମ ପୋଖରୀରେ ଝାସ ଦେଇଛନ୍ତି।

ବରଗଡ ଜିଲ୍ଲାର ବିଜେପୁର ଉପନିର୍ବାଚନ ଜିତିବା ସ୍ୱପ୍ନରେ ବିଭୋର ବିଜେଡି ଓ ବିଜେପିର ସ୍ଥିତି ଏମିତି ଯେ ୧୭ ବର୍ଷ ଧରି ଶାସନରେ ଥିବା ଦଳ କଂଗ୍ରେସ ଠାରୁ ପ୍ରାର୍ଥୀ ଆଣି ବିଜୟୀ ହେବ ବୋଲି ଦାବି କରୁଛି। ୧୨୦ରୁ ଅଧିକ ଆସନ ଦଖଲ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଥିବା ବିଜେପି ମଧ୍ୟ ବିରୋଧୀ ଗୋଷ୍ଠୀର ଶକ୍ତିକୁ ଭରସା କରିଛି। ରାଜନୈତିକ ମହଲରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।।

ରାଜ୍ୟରେ ଏକ ନମ୍ବର ଦଳ ବୋଲି ଦାବି କରୁଥିବା ବିଜେଡି ବିଜେପୁରରେ ଦଳୀୟ ପ୍ରାର୍ଥୀ ଖୋଜିନପାଇବା ଓ କଂଗ୍ରେସଠାରୁ ନେତା ଆଣି ପ୍ରାର୍ଥୀ କରାଇବା ଦୁର୍ଭାଗ୍ୟଜନକ। ଏହି ଘଟଣା ସୂଚାଇ ଦେଉଛି, ବାରମ୍ବାର ଶାସନକୁ ଆସିବାରେ ସମର୍ଥ ହୋଇଥିଲେ ମଧ୍ୟ ବିଜେଡି ଏବେ ବି ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ନିଜର ପରାକାଷ୍ଠା, ପତିଆରା ପ୍ରକଟ କରିପାରିନାହିଁ।

ସେହିଭଳି ବିଜେପି ସାଂଗଠନିକ ଦୁର୍ବଳତାର ଏକ ନିଚ୍ଛକ ଉଦାହରଣ ଭାବେ ବିଜେପୁର ଉପନିର୍ବାଚନ ଘଟଣାକୁ ନିଆଯାଇପାରେ। ଏଭଳି ମତ ରଖିଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ।

ସେମାନଙ୍କ ମତରେ ଉଭୟ ଦଳର ରଣନୀତି ସାମୟିକ ଭାବେ ସେମାନଙ୍କ ପାଇଁ ଆଶ୍ୱାସନା ଆଣିପାରେ, ମାତ୍ର ଦୀର୍ଘମିଆଦୀ ସୂତ୍ରରେ ଘାତକ ହେବ ନିଶ୍ଚିତ। କାରଣ ଅନ୍ୟ ଦଳର ନେତାଙ୍କୁ ଆଣି ପ୍ରାର୍ଥୀ କରାଇବା ଦ୍ୱାରା ନିଜ ଦଳରେ ପଡି ରହି ଆପ୍ରାଣ ଉଦ୍ୟମ କରୁଥିବା କର୍ମୀଙ୍କ ମନୋବଳ ଭାଙ୍ଗିଯାଇପାରେ। ସେମାନଙ୍କ ଭବିଷ୍ୟତ ପ୍ରତି ଭୟଙ୍କର ବିପଦ ଘୋଟିଆସିଛି। ଠିକଣା ସମୟରେ ଦଳ ବିଭାଜନ ଆଡ଼କୁ ଟାଣିହୋଇଯିବା ସମ୍ଭାବନା ଅପ୍ରାସଙ୍ଗିକ ବୋଲି ବି କୁହାଯାଇପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପିର ସ୍ଥିତି କଣ, ସାଂଗଠନିକ ଦୃଷ୍ଟିକୋଣରୁ ଏମାନେ କେତେ ସଶକ୍ତ ତାହା ବିଜେପୁର ଉପନିର୍ବାଚନ ପୂର୍ବର ରାଜନୈତିକ ଚିତ୍ର ସଙ୍କେତ ଦେଲାଣି। ତିନି ତିନି ଥର ଏହି ଆସନରୁ ସୁବଳ ସାହୁ ଜିତି ଆସୁଥିଲେ ହେଁ, କଂଗ୍ରେସ ଏଠି ନିଶ୍ଚିହ୍ନ ଅବସ୍ଥାକୁ ଚାଲି ଆସିଲାଣି। ବିଧିବଦ୍ଧ ଭାବେ ପ୍ରାର୍ଥିତ୍ୱ ସଂପର୍କରେ ଘୋଷଣା କରାଯିବା ପୂର୍ବରୁ ବୋଧହୁଏ, ବିଜେପୁର କଂଗ୍ରେସ ମୁରବୀଶୂନ୍ୟ ହୋଇଯାଇପାରେ। ସୁବଳଙ୍କ ସହିତ ଥିବା ପ୍ରାୟ ଅଧିକାଂଶ ପ୍ରମୁଖ ନେତା ଏବେ ଦଳ ଡିଆଁ ଆରମ୍ଭ କରିଛନ୍ତି। ଦଳ ଏତେ ଦୁର୍ବଳ ସ୍ଥିତିକୁ ଚାଲିଆସିଲାଣି ଯେ ଡିଆଁ ମାରୁୁଥିବା ନେତାଙ୍କୁ ନା ପିସିସି ଅଟକାଉଛି ନା ସ୍ଥାନୀୟ କଂଗ୍ରେସ ନେତା ଏହାକୁ ରୋକିବା ଲାଗି ଉଦ୍ୟମ କରୁଛନ୍ତି। ଆଶଙ୍କା ଉପୁଜିଲାଣି, ଏହି ପ୍ରକ୍ରିୟା ଜାରି ରହିଲେ, ବିଜେପୁର ଉପନିର୍ବାଚନ ପୂର୍ବରୁ କଂଗ୍ରେସ ଝଡିଯାଇପାରେ।

କେବଳ କଂଗ୍ରେସ ବିପର୍ଯ୍ୟୟ ଆଡ଼କୁ ମୁହାଁଉଛି ତା ନୁହେଁ, ସ୍ଥାନୀୟ ରାଜନୀତିକୁ ଅନୁଶୀଳନ କଲେ, ଏକଥା ଜଳ ଜଳ ଦେଖାଯାଉଛି ଯେ ଏକ ନମ୍ବର ଆସନରେ ଥିଲେ ହେଁ, ବିଜେଡି ବିଜେପୁରରେ ଏହି ସ୍ଥିତିରେ ନାହିଁ। ଗତ ତିନିଟି ଯାକ ନିର୍ବାଚନରେ ଦଳ ପ୍ରାର୍ଥୀ ବଦଳାଇଛି ଓ ବର୍ଷ ବର୍ଷ ଧରି ସେଠାରେ ସଂଗଠନ କରୁଥିବା ନେତାଙ୍କୁ ନ୍ୟାୟ ଦେଇନି। ଏ ଉପନିର୍ବାଚନରେ ବି ନିଜ ଦଳ ନେତାଙ୍କ ଅପେକ୍ଷା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସକୁ ଦଳ ଅଧିକ ଭରସା କରୁଥିବା ଦେଖାଗଲାଣି। ପଶ୍ଚିମ ଓଡ଼ିଶାର ଏକ ନମ୍ବର ନେତା ବୋଲି ଦାବି କରି ପଦବି ପରେ ପଦବି, କ୍ଷମତା ହାତେଇଥିବା ବିଜେଡି ନେତାମାନେ ସଂଗଠନ କରିବାରେ ବିଫଳ, ଏକଥା ଆଉ ଅଛପା ନାହିଁ ବୋଲି ରାଜନୈତିକ ମହଲର ବିଶ୍ୱାସ। ତାସତ୍ତ୍ୱେ ମୁଖିଆ ସେମାନଙ୍କ ଉପରେ ଭରସା କରିବା ଘାତକ ହୋଇପାରେ।

ବିଜେପି ସ୍ଥିତି ତାଠାରୁ ଆହୁରି ସାଂଘାତିକ। ପ୍ରଚାରରେ ଆଗରେ ଥିଲେ ହେଁ ସଂଗଠନରେ ଦଳର ପଛୁଆପଣ ଧରାପଡିଯାଇଛି। ଏବେ ବିଜେଡି ଭଳି ଅନ୍ୟ ଦଳ ନେତାଙ୍କ ଉପରେ ନେତୃତ୍ୱ ଆଖି ପକାଇ ସଂଗଠନ ସଜାଡୁ ସଜାଡୁ ନିଜ ନେତା ବିଗିଡିଯିବା ସମ୍ଭାବନା ସୃଷ୍ଟି ହେଲାଣି। ବିଜେପୁରରେ ବିଜେପିର କସରତ ଏବେ ସାରା ଓଡ଼ିଶା ଉପରେ ମଧ୍ୟ ପଡିଲାଣି। ବ୍ରହ୍ମଗିରି ଠାରୁ କୋରାପୁଟ ଯାଏ ବିଜେପିର କାର୍ଯ୍ୟଖସଡାକୁ ନେଇ ଦଳର ତୃଣମୂଳ କର୍ମୀ ତ୍ରାହି ତ୍ରାହି ଡାକିଲେଣି। କାରଣ, ଦଶନ୍ଧି ଧରି ସେମାନେ ଯେଉଁ ଆଶାନେଇ ଦଳକୁ ଜଗିରହିଥିଲେ, ତାହା ତ ଆଉ ପୂରଣ ହେବାର ନାହିଁ, ବରଂ ଯାହା ବିରୋଧରେ ଭୋଟ କରୁଥିଲେ, ଲଢୁଥିଲେ, ତାହା ସହ ସାଲିସ କରିବାକୁ ପଡିବ।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ସ୍ଥାନୀୟ ବିଜେପି ସଭାପତି ନାରାୟଣ ସାହୁଙ୍କ ଅସନ୍ତୋଷକୁ ଦଳ ଏଠାରେ ସାମୟିକ ଭାବେ ଏଡାଇ ଦେଇପାରିଥାଏ, ମାତ୍ର ଭବିଷ୍ୟତରେ ବିଜେପିରେ ଅନେକ ନାରାୟଣ ସାହୁ ସୃଷ୍ଟି ହେବେ। ସ୍ଥିତି ଏତେ ଗମ୍ଭୀର ଯେ ଯଦି ଦଳ ଏବେ ଚାପରେ ପଡି ନାରାୟଣଙ୍କୁ ଟିକେଟ ଦେଲା, ତେବେ ନିଜ ଦଳକୁ ଖରାପ କହି ବିଜେପିରେ ମିଶୁଥିବା ନେତା ସେମାନଙ୍କ ଭବିଷ୍ୟତ କଥା ଭାବି ନିଷ୍ପତ୍ତି ପରିବର୍ତନ କରିପାରନ୍ତି। ଯଦି ଅଶୋକ ଟିକେଟ୍‌ ପାଇଲେ, ତେବେ ବିଜେପିର ସ୍ଥାନୀୟ ନେତା ବି ଅନୁରୂପ ଭାବେ ଦଳ ଛାଡି ବା ଭିତିରି ଭାବେ ବିରୋଧୀଙ୍କ ସହ ହାତମିଳାଇ ନେତୃତ୍ୱକୁ ପାନେ ଚଖାଇବାକୁ ଚାହିଁପାରନ୍ତି।

ସୂଚନାଯୋଗ୍ୟ, ରୀତା ସାହୁଙ୍କ ପ୍ରାର୍ଥିତ୍ୱ ଘୋଷଣା ପରେ ବିଜେଡିରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଏଯାଏ ପୂର୍ଣ୍ଣମାତ୍ରାରେ ମଉଳିନାହିଁ। ଦୁଇଦିନ ତଳେ ପ୍ରଭାତ ଆଦିତ୍ୟ ମିଶ୍ର ଓ ତାଙ୍କ ସହଯୋଗୀଙ୍କୁ ବୁଝାସୁଝା କରି ଛାଡିଥିଲେ ସୁପ୍ରିମୋ। ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମଧ୍ୟ ବାକି ଅସୁଖୀ ନେତାଙ୍କ ସଂପର୍କରେ କସରତ ହୋଇଥିବା ସୂଚନା ମିଳିଛି। ପରେ ସମସ୍ତେ ନବୀନ ନିବାସ ଯାଇ ଦଳ ସଭାପତିଙ୍କୁ ଭେଟିଥିଲେ। ଏଥିରେ ବରଗଡ଼ ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲା ସଭାପତି, ବିଜେପୁର ନିର୍ବାଚନମଣ୍ଡଳୀର ବ୍ଲକ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ତା’ସହ ମନ୍ତ୍ରୀ ନିରଂଜନ ପୂଜାରୀ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ସଂଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ରହି ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର