ପାୱାର କରିଡରରେ ଟିକେଟ ଲବି ! ସଚିବାଳୟରେ ବିଜେଡି ଟିକେଟ୍ ଆଶାୟୀଙ୍କ ଭିଡ଼

ଭୁବନେଶ୍ବର: ନିର୍ବାଚନ ଯେମିତି ପାଖେଇ ଆସୁଛି, ରାଜନୈତିକ ଉଷ୍ଣତା ସେତିକି ବଢ଼ିବାରେ ଲାଗିଛି । ଏହାରି ଭିତରେ ପୁଣି ନେତାମାନେ ଟିକେଟ୍ ପାଇଁ ଆରମ୍ଭ କରି ଦେଇଛନ୍ତି ଲବି । ନିର୍ବାଚନ ତାରିଖ ଘୋଷଣା ହେବାର ବହୁ ପୂର୍ବରୁ ଶାସକ ବିଜେଡି ଦଳର ନେତାମାନେ ଦଳୀୟ ଟିକେଟ୍ ଖଣ୍ଡିଏ ପାଇଁ ପାୱାର କରିଡରରେ ଭିଡ ଜମାଇଛନ୍ତି । ନିର୍ବାଚନକ୍ଷେତ୍ର ଛାଡି ରାଜଧାନୀରେ ଡେରା ପକାଇଛନ୍ତି ନେତା । ଆଜି ରାଜ୍ୟ ସଚିବାଳୟରେ ବିଜେଡିର ଏମିତି କିଛି ନେତାଙ୍କହ ସହ ଏ ନେଇ ଆଲୋଚନା ହୋଇଥିଲା ।

ଟିକେଟ୍ ଲବି ପାଇଁ ନିର୍ବାଚନ କ୍ଷେତ୍ର ଛାଡି ଏବେ ଭୁବନେଶ୍ୱରରେ ଡେରା ପକାଉଛନ୍ତି ଶାସକ ଦଳର ନେତା । କିଛି ନେତା ନବୀନ ନିବାସ ଯାଇ ଟିକେଟ୍ ପାଇଁ ଲବି ଆରମ୍ଭ କରି ଦେଇଥିବା ବେଳେ ଆଉ କିଛି ନେତା ସଚିବାଳୟରେ ପହଂଚିଯାଇଛନ୍ତି ।

ଆଜି ସଚିବାଳୟରରେ ନିଜ ସମର୍ଥକଙ୍କ ସହ ନଜର ଆସିଥିଲେ ପୂର୍ବତନ ମନ୍ତ୍ରୀ ତଥା ବିିଜେଡିର ହେବିୱେଟ୍ ନେତା ଅନଙ୍ଗ ଉଦୟ ସିଂଦେଓଙ୍କ ପୁଅ ଅର୍କେଶ ନାରାୟଣ ସିଂଦେଓ । ଅର୍କେଶ କହିଛନ୍ତି ନିଜ ଅଂଚଳରେ କାମ କରୁଥିବାରୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ।

ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଅରବିନ୍ଦ ଢ଼ାଲିଙ୍କୁ ମଧ୍ୟ ପାୱାର କରିଡରରେ ଦେଖିବାକୁ ମିଳିଥିଲା । ସେ ବି ଦମ୍ଭୋକ୍ତି ପ୍ରକାଶ କରି କହିଛନ୍ତି-୨୦୧୯ ନିର୍ବାଚନ ଲଢ଼ିବେ ।

ଏପଟେ ବରୀ ବିଧାୟକ ଦେବାଶିଷ ନାୟକ ପୁଣି ଥରେ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡୁଛନ୍ତି । ତାଙ୍କ ସମୟରେ ବରୀ ଅଂଚଳରେ ଅଧିକ ବିକାଶ ହୋଇଛି । ତେଣୁ ଯାହା ନାଁ ଚର୍ଚ୍ଚା ହେଲେ ବି ଟିକେଟ୍ ରେସରେ ସେ ଆଗୁଆ ଅଛନ୍ତି ବୋଲି ଦାବି କରିଛନ୍ତି ।

ହେଲେ ଏସବୁ ଭିତରେ ବିଜେଡି ଟିକେଟ୍ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କାରଣ ଅନ୍ୟ ପ୍ରମୁଖ ଦଳରୁ କିଛି ହେଭିୱେଟ୍ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଏହାରି ଭିତରେ ବିଜେଡି ସୁପ୍ରିମୋ ପୁଣି ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ କଥା ଉଠାଇଛନ୍ତି । ତେଣୁ ୨୦୧୯ ଟିକେଟ୍ ଚୟନରେ ବିଜେଡି ସୁପ୍ରିମୋଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର