ରାହୁଲ, ସୋନିଆ ଓ ମନମୋହନଙ୍କ ବ୍ୟତୀତ ଆଉ କାହା ନାଁରେ ନାରାବାଜି ହୋଇପାରିବ ନାହିଁ : ଓଡ଼ିଶା ପ୍ରଭାରୀ ପ୍ରତିଭା ରାଜବଂଶୀ

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିବା ବେଳେ ଏବେ ପ୍ରାଥମିକ ଭାବେ ଯୁବ ସଂଗଠନକୁ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ । ଆଜି ରାଜ୍ୟ କଂଗ୍ରେସ ଭବନରେ କାର୍ଯ୍ୟକାରିଣୀ ବୈଠକ ବସିଥିବା ବେଳେ ଶକ୍ତି ପ୍ରଦର୍ଶନ କରିଛନ୍ତି ଯୁବ କଂଗ୍ରେସ ସଭାପତି ପଦ ପାଇଁ ଆଶାୟୀ ଯୁବ ନେତା।

ଏହି ସମୟରେ କଂଗ୍ରେସ ଭବନ ବାହାରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ରାହୁଲ, ସୋନିଆ ଓ ମନମୋହନଙ୍କ ବ୍ୟତୀତ କାହା ନାଁରେ ନାରାବାଜି ହୋଇପାରିବ ନାହିଁ । ଗାଡି ଉପରେ ଛିଡା ହୋଇ ଯୁବ କଂଗ୍ରେସ କର୍ମୀଙ୍କୁ ଏମିତି ତାଗିଦ୍ କରିଥିଲେ ଯୁବ କଂଗ୍ରେସର ସର୍ବଭାରତୀୟ ସାଧାରଣ ସମ୍ପାଦିକା ତଥା ଓଡ଼ିଶା ପ୍ରଭାରୀ ପ୍ରତିଭା ରାଜବଂଶୀ।

୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିବା ବେଳେ, ଏବେ ପ୍ରାଥମିକ ଭାବେ ଯୁବ ସଂଗଠନକୁ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ । ସୂଚନା ଅନୁସାରେ ଯୁବ କଂଗ୍ରେସ ସଭାପତି ପଦ ପାଇଁ ୭ ଜଣ ଯୁବ ନେତା ଆଶାୟୀ ଅଛନ୍ତି । ଏଥି ପାଇଁ ସବୁ ଗୋଷ୍ଠୀ କେନ୍ଦ୍ର ନେତୃତ୍ୱ ସମ୍ମୁଖରେ ନିଜର ପତିଆରା ପ୍ରଦର୍ଶନ କରିବାକୁ ପଛାଇ ନାହାନ୍ତି ।

ଯୁବ କଂଗ୍ରେସକୁ ସଜାଡିବା ଲାଗି ପିସିସି ସଭାପତି ଯୁବ କଂଗ୍ରେସର ୪ ଜଣ ପୂର୍ବତନ ସଭାପତିଙ୍କୁ ନେଇ ଏକ କମିଟି ଗଠନ କରିଥିଲେ । ରବିବାର ଏହି କମିଟିର ବୈଠକ ବସି ବିଭିନ୍ନ ଯୁବ ନେତାଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ସେମାନେ କୈାଣସି ରିପୋର୍ଟ ଦେବା ଆଗରୁ ପୁଣିଥରେ ବୈଠକକୁ ନେଇ ଉଠିଛି ଦ୍ୱନ୍ଦ୍ବ । ତେବେ ପିସିସି ସଭାପତି କହିଛିନ୍ତି ଯୁବ କଂଗ୍ରେସର ପଦାଧିକାରୀ କିଏ ହେବ ସେ ଦାୟିତ୍ୱ କେନ୍ଦ୍ରର । ସେ କମିଟିର ରିପୋର୍ଟ କେବଳ କେନ୍ଦ୍ର ଯୁବ କଂଗ୍ରେସ ଅଧିକାରୀଙ୍କୁ ପଠାଇବେ ।

ଏହି ଛକାପଞ୍ଝା ଭିତରେ ପୂର୍ବତନ ସଭାପତିଙ୍କୁ ନେଇ ଗଠିତ କମିଟି ଆଧାରରେ ନା ସାଧାରଣ ସମ୍ପାଦିକାଙ୍କ ରିପୋର୍ଟ ଆଧାରରେ ଯୁବ କଂଗ୍ରେସର ସଭାପତି ଚୟନ ହେଉଛି, ତାହାକୁ ଅପେକ୍ଷା ।

ସମ୍ବନ୍ଧିତ ଖବର