ରାଜ୍ୟର ଚାଷୀଙ୍କୁ ଫସଲ ବୀମା ରାଶି ମାସକ ମଧ୍ୟରେ ମିଳିବ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ଓ ଜୁଏଲ
ନୂଆଦିଲ୍ଲୀ: ରାଜ୍ୟ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ପ୍ରସଙ୍ଗରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପୀୟୁଷ ଗୋୟେଲଙ୍କୁ ଭେଟିଲେ ଦୁଇ କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶାର ଚାଷୀମାନଙ୍କର ବକେୟା ରାଶି ପ୍ରଦାନକୁ ତ୍ୱରାନିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ସମୀକ୍ଷା କରିଛନ୍ତି । ଆସନ୍ତା ୨୦ରୁ ୨୫ ଦିନ ମଧ୍ୟରେ ଏହି ରାଶି ପ୍ରଦାନ କରାଯିବ । ଏହି ଫସଲ ବୀମା ଅର୍ଥ ବଣ୍ଟନ କରିବା ପାଇଁ ଦୁଇଟି ରାଷ୍ଟ୍ରାୟତ କମ୍ପାନୀ ଓ ଦୁଇଟି ଘରୋଇ କମ୍ପାନୀକୁ କାମ ଦିଆ ଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ପ୍ରମିୟମ୍ ଦେଇଥିଲେ ମଧ୍ୟ ଫସଲ କଟା ପରେ କିଛି ସମନ୍ୱୟ ଅଭାବରୁ ଚାଷୀମାନଙ୍କୁ ଫସଲ ବୀମା ମିଳି ପାରିନାହିଁ ବୋଲି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ଏଗ୍ରିକଲଚରାଲ ଇନ୍ସ୍ୟୁରାନ୍ସ କମ୍ପାନୀକୁ ୧୫୬ କୋଟି ଟଙ୍କା ପ୍ରଦାନ କରିବାକୁ ଥିବାବେଳେ କମ୍ପାନୀ ସେଥିମଧ୍ୟରୁ ୧୫୪ କୋଟି ଟଙ୍କା ପ୍ରଦାନ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ନ୍ୟାସନାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଉପରେ ମୋଟ ରାଶି ୭୯୮ କୋଟି ଟଙ୍କା ଦେବାକୁ ଥିବାବେଳେ ସେଥି ମଧ୍ୟରୁ ୧୯୯.୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ଖରିଫ- ୨୦୧୭ ପାଇଁ ଦିଆଯିବାକୁ ଥିବା ୩୫୨ କୋଟି ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି । ଖୁବ ଶୀଘ୍ର ଏହା ପ୍ରଦାନ କରାଯିବ ବୋଲି ସୁଚନା ମିଳିଛି । ସେହିପରି ବଳକା ଥିବା ୧୭୩ କୋଟି ଟଙ୍କାର ବୀମା ରାଶି ପ୍ରଦାନ ଚାଷୀମାନଙ୍କୁ ପ୍ରଦାନ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଏହାସହ ବୀମାରାଶି ପ୍ରଦାନ ନେଇ ଯେଉଁ ବିବାଦ ଦେଖାଯାଇଛି ତାହାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ କୃଷି ଓ କୃଷକ ମନ୍ତ୍ରଣଳାୟ, ଫାଇନାନ୍ସିଆଲ ସର୍ଭିସ ବିଭାଗ, ଓଡିଶା ସରକାର ଓ ବିଭିନ୍ନ ବୀମା କମ୍ପାନୀ ପ୍ରତିନିଧି ମାନେ ଦାୟିତ୍ୱ ନିର୍ବାହ କରିବେ ବୋଲଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ।