ବିରୋଧୀ ଦଳର ନେତାମାନଙ୍କୁ ଭେଟିଲେ ଜେଡି(ୟୁ)ରୁ ବହିଷ୍କୃତ ପ୍ରଶାନ୍ତ କିଶୋର

ପାଟନା: ଜେଡି(ୟୁ)ରୁ ବହିଷ୍କୃତ ହୋଇଥିବା ପ୍ରଶାନ୍ତ କିଶୋର ବିହାରର ବିରୋଧୀ ଦଳର ନେତାମାନଙ୍କୁ ଭେଟିଥିବା ଜଣାଯାଇଛି। ସେ ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚାର ଅଧ୍ୟକ୍ଷ ଜୀତନରାମ ମାଞ୍ଝି ଏବଂ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶବାହଙ୍କୁ ଭେଟିଛନ୍ତି। ଏହି ନେତାମାନଙ୍କ ସହ ତାଙ୍କର କି ଆଲୋଚନା ହୋଇଛି ତାହା ଜଣାପଡ଼ି ନ ଥିଲେ ବି କୌଣସି ନୂଆ ରାଜନୈତିକ ସମୀକରଣର ଆଭାସ ମିଳିଛି। ଏହି ସାକ୍ଷାତକୁ ଉପେନ୍ଦ୍ର କୁଶବାହ ସ୍ବୀକାର କରିବା ସହ କହିଛନ୍ତି, ‘ବିହାରରେ ଜେଡିୟୁ-ବିଜେପି ମେଣ୍ଟ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ନିଯୁକ୍ତି ଆଦି କ୍ଷେତ୍ରରେ ବିଫଳ ହୋଇଥିବା ହେତୁ ଉଭୟ ନେତା ଚିନ୍ତା ପ୍ରକଟ କରି ଏ ବିଷୟରେ ଆଲୋଚନା କରିଥିଲୁ।’

image source-oneindia

ଅପରପକ୍ଷରେ ଜନ ଅଧିକାର ପାର୍ଟିର ମୁଖ୍ୟ ରାଜେଶ ରଞ୍ଜନ ଓରଫ ପପୁ ଯାଦବ ପ୍ରଶାନ୍ତ କିଶୋର, ଜୀତନରାମ ମାଞ୍ଝି ଓ ଉପେନ୍ଦ୍ର କୁଶବାହଙ୍କୁ ନେଇ ନୂତନ ମେଣ୍ଟ ଲାଗି ଆଗ୍ରହୀ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଉପେନ୍ଦ୍ର କୁଶବାହ ପୂର୍ବତନ ଜେଡିୟୁ ନେତା ଶରଦ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ଓକିଲାତି କରିଥିଲେ । କୁଶବାହଙ୍କ ଏହି ଯୁକ୍ତିକୁ ସମର୍ଥନ କରିଥିଲେ ମୋର୍ଚ୍ଚାର ଅଧ୍ୟକ୍ଷ ଜୀତନରାମ ମାଞ୍ଝି ।ଏଥିନେଇ ପାଟନାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ନେତୃତ୍ୱରେ ମହାମେଣ୍ଟର ସହଯୋଗୀ ଦଳମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଜୀତନରାମ ମାଞ୍ଝି, ଉପେନ୍ଦ୍ର କୁଶବାହ ଓ ମୁକେଶ ସାହନି ପ୍ରମୁଖ ଯୋଗ ଦେଇଥିଲେ।
ଏବେ ପ୍ରଶାନ୍ତ କିଶୋର ବି ଶରଦ ଯାଦବଙ୍କୁ ନୂଆ ମେଣ୍ଟର ମୁଖିଆ ହେବା ଲାଗି ପ୍ରସ୍ତାବ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଏଣେ ପ୍ରଶାନ୍ତ କିଶୋର ‘ବାତ୍ ବିହାରକି’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଆଗାମୀ ୧୦-୧୫ ବର୍ଷ ଭିତରେ ବିହାରକୁ ଦେଶର ଟପ୍-୧୦ ରାଜ୍ୟ ମଧ୍ୟରେ ଦେଖିବାକୁ ଚାହାଁନ୍ତି।

ସମ୍ବନ୍ଧିତ ଖବର