ବିଜେପୁରରେ ପରାଜୟ ନେଇ ଭୟଭୀତ: ପ୍ରତାପ ଦେବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ସରକାରୀ ବାସଭବନ ବିଜେପି କର୍ମକର୍ତ୍ତା ଓ ଗୁଣ୍ଡା ଯେପରି ଜୋର ଜବରଦସ୍ତ ଘର ଭିତରେ ପଶି ଭଙ୍ଗାରୁଜା କରିଛନ୍ତି ତାହା ନିନ୍ଦନୀୟ ବୋଲି ବିଜେଡ଼ି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି। ଶ୍ରୀ ଦେବ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି, ବିଜେପୁର ଉପ-ନିର୍ବାଚନ ପରାସ୍ତ ହେବା ଭୟରେ ଛାନିଆ ହୋଇ ଏହି ଦଳ ଯେପରି ପରିବାର ଉପରେ ଆକ୍ରମଣ କରୁଛି, ତାହା ଦଳୀୟ ଆଦର୍ଶ କି? ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଇ ବିଜେପି ଯେ କୌଣସିମତେ ବିଜେପୁର ଉପ-ନିର୍ବାଚନକୁ ବାତିଲ କରିବା ପାଇଁ ଉଦ୍ୟମ କରୁଥିବା ଭଳି ଜଣାପଡୁଛି। ନିର୍ବାଚନ ବାତିଲ ହେଲେ ଆସନ୍ନ ପରାଜୟ ଗ୍ଲାନିରୁ ବିଜେପି ନିଜକୁ ରକ୍ଷା କରିପାରିବ।

ଶ୍ରୀ ଦେବ କହିଛନ୍ତି, ଏହି ଦଳ ପ୍ରଶାସନକୁ ନାଲି ଆଖି ଦେଖାଇ ରାଜନୀତି କରିବା ସହ ଉପ-ନିର୍ବାଚନ ଜିତିବାକୁ ଚାହୁଁଛି। ବିଜେପି ନେତୃବର୍ଗଙ୍କ ବୌଦ୍ଧିକ ସ୍ତରର ଚିନ୍ତାଧାରା ବୋଲି କିଛିନାହିଁ। ସେଥିଯୋଗୁଁ ବିଜେପି ରାଜ୍ୟରେ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରୁଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଘରେ ନଥିଲାବେଳେ ତାଙ୍କ ଧର୍ମପତ୍ନୀ ଓ ଦୁଇଟି ଛୋଟ ପିଲାଥିବା ସମୟରେ ବିଜେପି ଗୁଣ୍ଡାମାନଙ୍କ ଆକ୍ରମଣ ସର୍ବାଦୌ ନିନ୍ଦନୀୟ। ପାଣ୍ଡିଆନଙ୍କ ଅନୁପସ୍ଥିତିରେ ପରିବାର ସଦସ୍ୟଙ୍କୁ ଡରାଇବା ଏବଂ ମାନସିକ ଚାପ ପକାଇବା ସଂପୂର୍ଣ୍ଣ ଅଯୌକ୍ତିକ ଓ ଷଡ଼ଯନ୍ତ୍ରମୁଳକ। ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।

ଶ୍ରୀ ପାଣ୍ଡିୟାନ୍‌ଙ୍କ ଧର୍ମପତ୍ନୀ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ ମୋ ଜିଲ୍ଲା କେନ୍ଦ୍ରାପଡ଼ାର ଝିଅ ବୋଲି ସୂଚନା ଦେଇ ଶ୍ରୀ ଦେବ କହିଥିଲେ, ବିଜେପି ତାଙ୍କ ସରକାରୀ ବାସଭବନଠାରେ ସୁରକ୍ଷାକର୍ମୀଙ୍କୁ ଦଳୀୟ ପତାକା ଧରାଇ ଧମକ ଚମକ ଦେଇଛି। ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଲାଗିଲେ ଘରେ ପଶି ବାଡେଇବୁ ବୋଲି ଚେତାବନୀ ଦେଇଛନ୍ତି। ଏହା ଦଳର ଦାଦାଗିରି ନା ଆଉ କ’ଣ? ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡା ଏହାର ସ୍ପଷ୍ଟୀକରଣ ଦେବା ଉଚିତ।

ସମ୍ବନ୍ଧିତ ଖବର