ନିର୍ବାଚନ ପାଇଁ ସଜବାଜ : ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଆଗୁଆ ନିର୍ବାଚନ ନେଇ କଳ୍ପନାଜଳ୍ପନା ଜୋର୍‌ ଧରିଲା

ଭୁବନେଶ୍ୱର : ଦେଶରେ ସାଧାରଣ ନିର୍ବାଚନ ଆଉ ଗୋଟିଏ ବର୍ଷରୁ କମ୍‌ ସମୟ ଅଛି। ପୁଣି ଆଗୁଆ ନିର୍ବାଚନ ନେଇ ଦେଶତମାମ ଆଲୋଚନା ଚାଲିଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ହେବାକୁ ଥିବାରୁ ଏଠାରେ ଚର୍ଚ୍ଚା ଅଧିକ ରହିଛି। ଏହି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଜିଲ୍ଲାପାଳମାନଙ୍କୁ ନିର୍ବାଚନ ପ୍ରସ୍ତୁତି ନେଇ ଏକ ଚିଠି ଲେଖିଛନ୍ତି। ଯଦିଓ ଏହା ଏକ ନିୟମିତ ପ୍ରକ୍ରିୟା ବୋଲି ସିଇଓ କହିଛନ୍ତି, ତେବେ ଆଗୁଆ ସାଧାରଣ ନିର୍ବାଚନ ହେବା ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଏହା ଖୋରାକ୍‌ ଯୋଗାଇଛି। ସବୁ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ଜୋର୍‌ ଦେଉଥିଲା ବେଳେ ସାଧାରଣ ଜନତାଙ୍କ ଭିତରେ ଏହା ଏବେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ସେଥିରେ ସେ ନିର୍ବାଚନ ପାଇଁ ସମ୍ଭାବ୍ୟ ଖର୍ଚ୍ଚର ଆକଳନ ମାଗିବା ସହ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କହିଛନ୍ତି। ଆଜି ଗଣମାଧ୍ୟମକୁ ସିଇଓ କହିଛନ୍ତି, ୨୦୧୯ରେ ସାଧାରଣ ନିର୍ବାଚନ ହେବ। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଠିକ୍‌ ସମୟରେ ଆରମ୍ଭ କରାଯାଉଛି। ଏହା ଏକ ନିୟମିତ ପ୍ରକ୍ରିୟା ଓ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦେଶକ୍ରମେ ଏହି ପ୍ରସ୍ତୁତି ଆରମ୍ଭ କରାଯାଇଛି। ସବୁ ଜିଲ୍ଲାରେ ଷ୍ଟ୍ରଙ୍ଗ୍‌ରୁମ୍‌ ତିଆରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଯାହା ଖର୍ଚ୍ଚ ହେବ, ତାହା ରାଜ୍ୟ ସରକାର ଯୋଗାଇ ଦେବେ। ଷ୍ଟ୍ରଙ୍ଗ୍‌ ରୁମ୍‌ଗୁଡ଼ିକର କାମ ଠିକ୍‌ ସମୟରେ ଶେଷ କରି ଜିଲ୍ଲାପାଳମାନଙ୍କୁ ହସ୍ତାନ୍ତର କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି। ଆସନ୍ତା ସାଧାରଣ ନିର୍ବାଚନରେ ସମସ୍ତ ବୁଥ୍‌ରେ ଇଭିଏମ୍‌ ସହିତ ଭିଭିପିଏଟି ମଧ୍ୟ ବ୍ୟବହାର ହେବ।

ଶ୍ରୀ କୁମାର ଆହୁରି ସୂଚନା ଦେଇଛନ୍ତି, ନିର୍ବାଚନ ପରିଚାଳନା ପାଇଁ ବଜେଟ୍‌ ପ୍ରସ୍ତୁତ କରିବା ଏକ ପ୍ରାଥମିକ ପ୍ରକ୍ରିୟା। ପୋଲିଂ ପାର୍ଟିର ପରିବହନ, କମ୍ପ୍ୟୁଟର, ବୁଥ୍‌ ଓ ଷ୍ଟ୍ରଙ୍ଗ୍‌ରୁମ୍‌ ଆଦି ଭିତ୍ତିଭୂମି ନିର୍ମାଣରେ କେତେ ଖର୍ଚ୍ଚ ହେବ, ଜିଲ୍ଲା ଓ୍ଵାରି ତାହାର ତାଲିକା ମଗାଯାଇଛି। ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମିଳିଲା ପରେ ଆମେ ଗୋଟିଏ ବଜେଟ୍‌ ପ୍ରସ୍ତୁତ କରିବୁ। ଯାହା ଫଳରେ ଆଗକୁ ସଠିକ୍‌ ଓ ସୁଚାରୁ ଭାବେ ନିର୍ବାଚନ ପରିଚାଳନା କରାଯାଇପାରିବ।

ଆଗୁଆ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ସେଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି କି ବୋଲି ପ୍ରଶ୍ନରେ ସିଇଓ କହିଥିଲେ, ସେ ନେଇ କୌଣସି ସୂଚନା ନାହିଁ। ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ପ୍ରସ୍ତୁତି କରାଯାଉଛି। ନିୟମିତ ଭାବେ ନିର୍ବାଚନ ଆୟୋଗ ଯାହା ନିର୍ଦ୍ଦେଶ ଦେଉଛନ୍ତି, ତାହାକୁ କାର୍ଯ୍ୟକାରୀ କରାଯାଉଛି।

ସିଇଓଙ୍କ ଏହି ଚିଠି ରାଜ୍ୟରେ ରାଜନୈତିକ ବାତାବରଣକୁ ସରଗରମ କରିଦେଇଛି। ସିଇଓଙ୍କ ଭାଷାରେ ଏହା ନିୟମିତ ପ୍ରକ୍ରିୟା ହୋଇଥିଲେ ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଏହାକୁ ନିୟମିତ ବୋଲି ବହୁ ନେତା ଗ୍ରହଣ କରିବାକୁ ନାରାଜ। ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି, ଗଣମାଧ୍ୟମରେ ଆଗୁଆ ନିର୍ବାଚନ ନେଇ ଯଥେଷ୍ଟ ଆଗରୁ ଚର୍ଚ୍ଚା ଚାଲିଛି। ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ଆଗୁଆ ତଥା ଏକା ସଙ୍ଗରେ ନିର୍ବାଚନ ପାଇଁ ମତ ଦେଇଛନ୍ତି। ଏପରିକି ନିର୍ବାଚନ କମିସନ୍‌ ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିସାରିଛନ୍ତି। ଗତ ବର୍ଷ ଠାରୁ ଆରମ୍ଭ ହୋଇଥିବା ଭୋଟର୍‌ ତାଲିକା ସଂଶୋଧନ ପ୍ରକ୍ରିୟାର ସମୟସୀମା ୨୦୧୮ ଅକ୍ଟୋବର ୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ତେଣୁ ଆଗୁଆ ନିର୍ବାଚନକୁ ଆଖି ଆଗରେ ରଖି ଏସବୁ କରାଯାଉଛି। ବିଜେଡି ଏଥିପାଇଁ ବିଚଳିତ ନୁହେଁ। ଯେକୌଣସି ସମୟରେ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଅଛି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ନିର୍ବାଚନ କମିସନ୍‌ କ’ଣ ନିର୍ଦ୍ଦେଶ ଜାରି କରିଛନ୍ତି, ସେ ସମ୍ପର୍କରେ ଆମେ ଅବଗତ ନାହୁଁ। କିନ୍ତୁ ନିର୍ବାଚନ ଯେତେବେଳେ ହେଲେ ବି ବିଜେପି ସେଥିପାଇଁ ପ୍ରସ୍ତୁତ ଅଛି।

ସେହିପରି କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, ନିର୍ବାଚନ ପାଇଁ କଂଗ୍ରେସ ସବୁବେଳେ ପ୍ରସ୍ତୁତ ଅଛି। ବିଳମ୍ବରେ ହେଲେ ମଧ୍ୟ ଗତ ଦେଢ଼ ମାସ ମଧ୍ୟରେ କଂଗ୍ରେସ ବୁଥ୍‌ ସ୍ତର ପର୍ଯ୍ୟନ୍ତ ସାଂଗଠନିକ କାର୍ଯ୍ୟକ୍ରମକୁ ସୁଦୃଢ଼ କରିପାରିଛି। ଅଗଷ୍ଟ ଶେଷ ସୁଦ୍ଧା ୫୦ ପ୍ରତିଶତ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଚୂଡ଼ାନ୍ତ ହେବେ। ତେଣୁ ନିର୍ବାଚନ ଆଗୁଆ ହେଉ କି ନିର୍ଦ୍ଧାରିତ ସମୟରେ ହେଉ, କଂଗ୍ରେସ ନିର୍ବାଚନକୁ ସାମ୍ନା କରିବାକୁ ସବୁବେଳେ ପ୍ରସ୍ତୁତ।

ଅଧିକାରୀଙ୍କୁ ଭେଟିବେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପାଇଁ ତତ୍ପରତା ପ୍ରକାଶ କରିଛିି ନିର୍ବାଚନ ଆୟୋଗ। ଏନେଇ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ନିକଟରେ ରାଜସ୍ଥାନ, ପଞ୍ଜାବ, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ ଓ ଚଣ୍ଡିଗଡ଼ ରାଜ୍ୟର ବରିଷ୍ଠ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଏକ ବିଶାଳ କର୍ମଶାଳାର ଆୟୋଜନ କରାଯାଇଥିଲା। କର୍ମଶାଳାରେ ସାଧାରଣ ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିବା ଜଣାପଡ଼ିଛି। ଖୁବ୍‌ଶୀଘ୍ର ଅନ୍ୟ ରାଜ୍ୟର ନିର୍ବାଚନ ଅଧିକାରୀମାନଙ୍କ ସହ ମଧ୍ୟ ଏକ ସ୍ୱତନ୍ତ୍ର କର୍ମଶାଳା ତଥା ସମୀକ୍ଷା ବୈଠକ ଆୟୋଜନ କରି ଭାରତୀୟ ନିର୍ବାଚନ ଆୟୋଗ ରାଜ୍ୟମାନଙ୍କର ନିର୍ବାଚନ ସଂକ୍ରାନ୍ତ ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବେ। ତେବେ କେବଳ ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ସହ ନୁହେଁ. ପଦସ୍ଥ ଅଧିକାରୀ, ସୁରକ୍ଷା ଅଧିକାରୀ ତଥା ବିଭିନ୍ନ ରାଜନୈତିକ ଦଳ ମାନଙ୍କ ସହ ନିର୍ବାଚନ ଆୟୋଗ ଏକାଧିକ ବୈଠକ ଆୟୋଜନ କରିବେ ବୋଲି ଜଣାପଡ଼ିଛି।

ବରିଷ୍ଠ ନିର୍ବାଚନ ଅଧିକାରୀମାନଙ୍କୁ କର୍ମଶାଳା ଜରିଆରେ ନିର୍ବାଚନ ପ୍ରସ୍ତୁତି ତଥା ସାଇବର ସୁରକ୍ଷା ପ୍ରତି ବିଶେଷ ରୂପେ ସଜାଗ ରହିବାପାଇଁ ମନ୍ତ୍ର ଦିଆଯିବ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ତଥା ନିରପେକ୍ଷତା ଦୃଷ୍ଟିରୁ ଅଧିକ ପାରଦର୍ଶିତା ଆଣିବା ନେଇ ଅଧିକାରୀମାନଙ୍କୁ ତାଲିମ ଦିଆଯିବ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିକଟରେ ୭ଟି ରାଜ୍ୟର ବରିଷ୍ଠ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଆୟୋଜନ କରାଯାଇଥିବା କର୍ମଶାଳାରେ ନିର୍ବାଚନ ଆୟୋଗ ଦ୍ୱାରା ଭୋଟର ଲିଷ୍ଟ୍‍ରେ ଅନିୟମିତତା ତଥା ପୋଲିଂ ବୁଥ୍‌ରେ ଅବ୍ୟବସ୍ଥାକୁ କିଭଳି ଦୂର କରାଯାଇପାରିବ ସେନେଇ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ବାଚନରେ ଖର୍ଚ୍ଚ ସୀମାଠାରୁ ଯେମିତି ଅଧିକ ଖର୍ଚ୍ଚ କରାନଯାଏ ତଥା ନିର୍ବାଚନରେ ଅର୍ଥବଳର ବ୍ୟବହାରକୁ କିଭଳି କଡ଼ାକଡ଼ି ଭାବେ ରୋକ୍‌ ଲଗାଯାଇପାରିବ ସେନେଇ ଏବେଠାରୁ କଡ଼ା ନଜର ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ନିକଟରେ ବିଭିନ୍ନ କାରଣରୁ ଭାରତୀୟ ନିର୍ବାଚନ ଆୟୋଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ନିର୍ବାଚନ ଆୟୋଗ ଦ୍ୱାରା ଘୋଷଣା ହେବା ପୂର୍ବରୁ ସୋସିଆଲ୍‌ ମିଡିଆରେ ଜାରି ହେବା, ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଦୀର୍ଘ ବ୍ୟବଧାନରେ କରାଯିବା ନିଷ୍ପତ୍ତି, ଦିଲ୍ଳୀ ଆମ ଆଦ୍‌ମୀ ପାର୍ଟିର ୨୦ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଏବଂ ପରବର୍ତ୍ତୀ ସମୟରେ ହାଇକୋର୍ଟ ଦ୍ୱାରା ସେମାନଙ୍କ ସଭ୍ୟପଦ କାଏମ୍‌ ରହିବାଭଳି ପ୍ରସଙ୍ଗ ଭାରତୀୟ ନିର୍ବାଚନ ଆୟୋଗର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲା। ତେବେ ନିର୍ବାଚନ ଆୟୋଗ ନିରପେକ୍ଷ ନିଷ୍ପତ୍ତି ନେବାରେ ବିଫଳ ବୋଲି ବିରୋଧୀଦଳ ଗୁଡ଼ିକ ଅଭିଯୋଗ ଆଣିଥିଲେ। ତେଣୁ ଆସନ୍ତା ସାଧାରଣ ନିର୍ବାଚନ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବାପାଇଁ ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ତତ୍ପରତା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର