ପୌର ନିର୍ବାଚନ ପ୍ରସ୍ତୁତି

୩ ମହାନଗର ନିଗମ, ୯୦ ପୌରାଞ୍ଚଳରେ ହେବ ନିର୍ବାଚନ
ଏପ୍ରିଲ ୩୦ ସୁଦ୍ଧା ହେବ ସୀମା ପୁନଃନିର୍ଦ୍ଧାରଣ, ଆସନ ସଂରକ୍ଷଣ

ଭୁବନେଶ୍ୱର : ଚଳିତବର୍ଷ ରାଜ୍ୟର ତିନିଟି ମହାନଗର ନିଗମ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ସମେତ ୯୦ଟି ପୌରାଞ୍ଚଳରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବିଭିନ୍ନ ଓ୍ଵାର୍ଡର ସୀମା ପୁନଃ ନିର୍ଦ୍ଧାରଣ, ମେୟର/ଅଧ୍ୟକ୍ଷ ପଦବି ସଂରକ୍ଷଣ, ସିଟ୍‌ ସଂରକ୍ଷଣ ବ୍ୟବସ୍ଥା ତୁରନ୍ତ ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିବା ପରେ ନଗନର ଉନ୍ନୟନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି।

ଓଡ଼ିଶା ମ୍ୟୁନିସପାଲଟି ଆକ୍ଟ-୧୯୫୦ ଏବଂ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ୍‌ ଆକ୍ଟ-୨୦୦୩ ଅନୁଯାୟୀ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବ୍ୟବସ୍ଥା ହେବ। ଏଥିପାଇଁ ତିନି ମାସ ସମୟ ଲାଗିବାକୁ ଥିବାବେଳେ ଏହା ଜାନୁଆରି ୨୫ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୩୦ସୁଦ୍ଧା ଶେଷ ହେବ ବୋଲି ପୌରପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟକୁ ଜଣାଇଛନ୍ତି।

ଜାନୁଆରି ୨୫ସୁଦ୍ଧା ନିର୍ବାଚନ ହେବାକୁ ଥିବା ତିନିଟି ମହାନଗର ନିଗମ ଏବଂ ୯୦ଟି ପୌରାଞ୍ଚଳର ଜିଲ୍ଲାପାଳମାନଙ୍କୁ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବ୍ରୁଆରି ୧୫ରେ ଜିଲ୍ଲାପାଳମାନେ କେଉଁ ଓ୍ଵାର୍ଡରେ କେଉଁ ଅଞ୍ଚଳ ଯାଉଛି, କେଉଁ ଆସନ ସଂରକ୍ଷିତ ରହିବ ତାହାର ଚିଠା ବିଜ୍ଞପ୍ତି ପ୍ରକାଶ କରିବେ। ଏହା ଉପରେ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରାଯିବ। ଫେବ୍ରୁଆରି ୨୪ସୁଦ୍ଧା ଏହି ମତାମତ ଗ୍ରହଣ କରାଯିବ। ମାର୍ଚ୍ଚ ୮ରେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଜିଲ୍ଲାପାଳଙ୍କ ଏହି ବିଜ୍ଞପ୍ତିକୁ କେହି ଚାଲେଞ୍ଜ କରିବାକୁ ଚାହୁଁଥିଲେ ମାର୍ଚ୍ଚ ୯ରୁ ୨୩ ମଧ୍ୟରେ ନଗର ଉନ୍ନୟନ ବିଭାଗରେ ଅଭିଯୋଗ କରିପାରିବେ। ମାର୍ଚ୍ଚ ୨୬ରୁ ଏପ୍ରିଲ୍‌ ୨୫ମଧ୍ୟରେ ଏହାର ଶୁଣାଣି ହେବ। ଏପ୍ରିଲ୍‌ ୨୮ସୁଦ୍ଧା ନଗର ଉନ୍ନୟନ ବିଭାଗର ନିଷ୍ପତ୍ତି ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯିବ। ଏପ୍ରିଲ୍‌ ୩୦ରେ ଜିଲ୍ଲାପାଳମାନେ ସେମାନଙ୍କ ଅଧୀନରେ ଥିବା ପୌରାଞ୍ଚଳ ପାଇଁ ଚୂଡ଼ାନ୍ତ ତାଲିକାର ବିଜ୍ଞପ୍ତି ପ୍ରକାଶ କରିବେ। ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ନେଇ କୋର୍ଟରେ ମାମଲା ବିଚରାଧୀନ ଥିବାରୁ ଏଠାରେ ପୌର ନିର୍ବାଚନ ନେଇ କୌଣସି ପ୍ରସ୍ତୁତି କାର୍ଯ୍ୟ ହେବ ନାହିଁ।

ସମ୍ବନ୍ଧିତ ଖବର