ରୋଡ୍‌ ସୋ’ରୁ ଆରମ୍ଭ ହେଲା ପ୍ରିୟଙ୍କାଙ୍କ ‘ମିସନ୍‌ ୟୁପି’, ସାଥ୍‌ ଦେଲେ ଭାଇ ରାହୁଲ

ଲକ୍ଷ୍ନୌ: ନିକଟ ଅତୀତରେ କଂଗ୍ରେସ ମହାସଚିବ ଦାୟିତ୍ବ .ନେଇଥିବା ପ୍ରିୟଙ୍କା ଗାନ୍ଧି  ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ଦଳୀୟ ପ୍ରଚାର ଆରମ୍ଭ କରିଛନ୍ତି। ସେ ଲକ୍ଷ୍ନୌଠାରେ ଏକ ରୋଡ୍‌ ସୋ’ରୁ ଏହି ପ୍ରଚାରର ମୂଳଦୁଆ ପକାଇଛନ୍ତି। ଦୀର୍ଘ ୧୨ କିଲୋମିଟର ପର୍ଯ୍ୟନ୍ତ ଚାଲିଥିବା ଏହି ରୋଡ୍‌ସୋ’ରେ ପ୍ରିୟଙ୍କାଙ୍କ ସହ ତାଙ୍କ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ମହାସଚିବ ଜୋତିରାଦିତ୍ୟା ସିନ୍ଧିୟା ଏବଂ ଚଳଚ୍ଚିତ୍ର ଅଭିନେତାରୁ ରାଜନେତା ସାଜିଥିବା ରାଜ ବବର ଆଦି କଂଗ୍ରେସର ଟାଣୁଆ ନେତା ଉପସ୍ଥିତ ଥିଲେ। ଦଳକୁ ସାଂଗଠନିକ ଦାୟିତ୍ବରେ ଆସିବା ପରେ ପ୍ରିୟଙ୍କା ସୋମବାର ପ୍ରଥମ ଥର ପାଇଁ ଲକ୍ଷ୍ନୌ ଯାଇଛନ୍ତି ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୬ ତାରିଖରେ ପ୍ରିୟଙ୍କା ଗାନ୍ଧୀ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ମହାସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୪୧ ବର୍ଷୀୟା ପ୍ରିୟଙ୍କା ଜାନୁଆରି ୨୩ ତାରିଖରେ ସାଧାରଣ ସଚିବ ଭାବେ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି।

ପ୍ରିୟଙ୍କା କଂଗ୍ରେସରେ ଯୋଗ ଦେବା ପରେ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗରେ ଆସିବା ପାଇଁ ନିକଟରେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଯୋଗ ଦେଇଛନ୍ତି। ପ୍ରିୟଙ୍କା ପୂର୍ବରୁ ରାଜନୀତିରେ ନଥିଲେ ବି ମାଆ ସୋନିଆ ଗାନ୍ଧୀ ଓ ଭାଇ ରାହୁଲ ଗାନ୍ଧୀଙ୍କ ପାଇଁ ବହୁବାର ନିର୍ବାଚନ ପ୍ରଚାରରେ ସାମିଲ୍‌ ହୋଇଛନ୍ତି। ତାଙ୍କୁ ମାଆ ଭାଇଙ୍କ ସଂସଦୀୟ କ୍ଷେତ୍ର ଆମେଥି ଏବଂ ରାୟବରେଲିରୁ ନିର୍ବାଚନ ଲଢ଼ିବାକୁ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର