ରାଜନୀତିକୁ ଆସିବେ ଜାନକୀ ବଲ୍ଳଭଙ୍କ ପୁତ୍ର : ଟିକେଟ ମିଳିଲେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଲେ ପୃଥ୍ୱୀବଲ୍ଲଭ

ଭୁବନେଶ୍ବର:  ଚଳିତ ଥର ବିଧାନସଭା ନିର୍ବାଚନ ଲଢିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ପିତା ଜାନକୀ ବଳ୍ଳଭ ଦୁଇ ଥର ପ୍ରତିନିଧିତ୍ବ କରିଥିବା  ବେଗୁନିଆ ନିର୍ବାଚନମଣ୍ଡଳୀରୁ  କଂଗ୍ରେସ ଟିକଟରେ ଲଢ଼ିପାରନ୍ତି ପୃଥ୍ୱୀବଲ୍ଲଭ । ଏ ପ୍ରସଙ୍ଗରେ ସେ କହିଛନ୍ତି, ଦଳ ଟିକେଟ ଦେଲେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛି । ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସୁଦୃଢ ଅଛି । ସାରା ରାଜ୍ୟରେ କଂଗ୍ରେସ ସଙ୍ଗଠନ ସୁଦୃଢ କରିବା ମୋର ଲକ୍ଷ୍ୟ ବୋଲି କହିଛନ୍ତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ ।

ଗଣମାଧ୍ୟମକୁ ସାକ୍ଷାତ ଦେଇ ପୃଥ୍ୱୀବଲ୍ଲଭ କହିଛନ୍ତି, କଂଗ୍ରେସ ଏକାଠି ହେଲେ ଲାଭବାନ ହେବା ସହ ବିଜୟ ହାସଲ କରିବାରେ ଅସୁବିଧା ରହିବ ନାହିଁ । ନିର୍ବାଚନ ଜିତିବା ନେଇ ମୁଁ ସମ୍ପୂର୍ଣ୍ଣ ଆଶାବାଦୀ । ଲୋକେ ବହୁତ ଭଲ ପାଉଛନ୍ତି । ସମସ୍ତ କଂଗ୍ରେସ ନେତାକୁ ଏକାଠି କରିବା  ପାଇଁ ଚେଷ୍ଟା ଜାରି ରହିଛି । କିଏ ଟିକେଟ ପାଇବ ? କିଏ ନେବ ନେତୃତ୍ୱ ? ତାହା ସମ୍ପୂର୍ଣ୍ଣ ଭାବେ ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି । ଚଳିତ ଥର ନିର୍ବାଚନରେ କଂଗ୍ରେସ ନିଶ୍ଚିତ ଭାବେ ଭଲ କରିବ । କେବଳ ରାଜ୍ୟରେ ନୁହେଁ ସାରା ଦେଶରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ।

ସୂଚନାଯୋଗ୍ୟ, ଫେବୃଆରି ଆରମ୍ଭରୁ ନିଜର ସମର୍ଥକମାନଙ୍କ ସହିତ  ନିର୍ବାଚନ ମୈଦାନରେ ପୃଥ୍ୱୀଙ୍କୁ ଦେଖିବାକୁ ମିଳିଥିଲା । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ  ପୁଅ ଭାବେ କଂଗ୍ରେସ ଦଳର ପ୍ରାର୍ଥୀ ହେଲେ କଂଗ୍ରେସ ଲାଭବାନ ହେବ । ସାରା ଓଡ଼ିଶାରେ ଜାନକୀଙ୍କ ଅନୁଗତ ଅଛନ୍ତି । ପୃଥ୍ୱୀବଲ୍ଲଭ କଂଗ୍ରେସରୁ ପ୍ରାର୍ଥୀ ହେଲେ ଜାନକୀଙ୍କ ସମର୍ଥକମାନେ ଏକଜୁଟ ହୋଇ କଂଗ୍ରେସ ପାଇଁ କାର୍ଯ୍ୟ କରିବେ ବୋଲି ଆଶାକରାଯାଉଛି ।

ସମ୍ବନ୍ଧିତ ଖବର