ଗୁଜରାଟରେ ଗର୍ଜିଲେ ରାହୁଲ: ନିଜର ନୁହେଁ, ଲୋକଙ୍କ ‘ମନ୍‌ କି ବାତ୍‌’ ଶୁଣିବାକୁ ଚାହୁଁ

ଅହମଦାବାଦ୍‌: ଗୁଜରାଟ ନିର୍ବାଚନ ପାଖେଇ ଆସୁଥିବାବେଳେ ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ରୂପ ନେଇଛି। ଉଭୟ ଦଳ ଭୋଟ୍‌ଙ୍କୁ ମନାଇବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁଜରାଟର ପୋରବନ୍ଦରରୁ ୨ ଦିନିଆ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ପୋରବନ୍ଦରରେ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କୁ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି ତାଙ୍କ ଦଳ ଯଦି କ୍ଷମତାକୁ ଆସେ ତା’ହେଲେ ମତ୍ସ୍ୟଜୀବୀ ସମ୍ପ୍ରଦାୟ ଲାଗି ଗୁଜରାଟରେ ଏକ ଭିନ୍ନ ମନ୍ତ୍ରାଳୟ ପ୍ରତିଷ୍ଠା କରାଯିବ। ମୋଦିଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମକୁ ସମାଲୋଚନା କରି ରାହୁଲ କହିଛନ୍ତି କଂଗ୍ରେସ ଦଳ କିମ୍ବା ମୁଁ ଆପଣ ମାନଙ୍କୁ ଆମ ନିଜର ମନ୍‌ କି ବାତ୍‌ ଶୁଣାଇବାକୁ ଚାହୁନା ବରଂ ଆମେ ଆପଣମାନଙ୍କ ‘ମନ୍‌ କି ବାତ୍‌’ ଶୁଣିବାକୁ ଚାହୁ। ସେ କହିଛନ୍ତି ଗୁଜରାଟରେ କେବଳ ୫ରୁ ୧୦ ଜଣ ଶିଳ୍ପପତି ହିଁ ଉପକୃତ ହେଉଛନ୍ତି। କୃଷକ ଓ ମତ୍ସ୍ୟଜୀବୀମାନେ ବିଜେପି ଶାସନରେ ତଳିତଳାନ୍ତ ହୋଇଯାଇଛନ୍ତି ବୋଲି ରାହୁଲ କହିଛନ୍ତି। ଏନ୍‌ଡିଏ ସରକାରଙ୍କ ବିମୁଦ୍ରାକରଣ ନିଷ୍ପତ୍ତିକୁ ବିରୋଧ କରି ସେ କହିଛନ୍ତି ଏହା କେବଳ କଳା ଧନକୁ ଧଳାରେ ପରିଣତ କରିବାର ଏକ ପ୍ରୟାସ ଥିଲା। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଗୁଜରାଟରେ ନିର୍ବାଚନୀ ପ୍ରଚାରରେ ଯାଇ ୮ଟି ର‍୍ୟାଲିରେ ଯୋଗଦେବେ।

ସମ୍ବନ୍ଧିତ ଖବର