ରାହୁଲଙ୍କ ଅଭିଷେକ ପାଇଁ ପ୍ରକ୍ରିୟା ଆରମ୍ଭ

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଳୀ : ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ପଦରେ ବସାଇବା ଲାଗି ପସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତାମାସ ଅଧ୍ୟକ୍ଷ ପଦ ନିର୍ବାଚନ ଲାଗି ଦଳ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାାଇଛି। ଏହି ପ୍ରକ୍ରିୟା ଡିସେମ୍ବର ୧ ତାରିଖରେ ଆରମ୍ଭ ହେବ।

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରଣୀ ବୈଠକ(ସିଡବ୍ଲୁସି)ରେ ନୂଆ କଂଗ୍ରେସ ଅଧ୍ୟକ୍ଷ ଚୟନ ପ୍ରକ୍ରିୟାକୁ ଆରମ୍ଭ କରିବା ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ଏହାପରେ କେନ୍ଦ୍ରୀୟ ନିର୍ବାଚନ କମିଟି ଅଧ୍ୟକ୍ଷ ଏମ୍‌. ମୁଲ୍ଲାପଲ୍ଲୀ ରାମଚନ୍ଦ୍ରନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। କାର୍ଯ୍ୟସୂଚୀ ଅନୁସାରେ ଡିସେମ୍ବର ୧ ତାରିଖରେ ଅଧିସୂଚନା ଜାରି କରାଯିବ। ଡିସେମ୍ବର ୪ ତାରିଖ ଦିନ ୩ଟା ପର୍ଯ୍ୟନ୍ତ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ। ନାମାଙ୍କନ ପତ୍ର ଯାଞ୍ଚ୍‌ ଓ ବୈଧ ତାଲିକା ପାଇଁ ଡିସେମ୍ବର ୫ ତାରିଖ ଧାର୍ଯ୍ୟ କରାଯାଇଛି। ଡିସେମ୍ବର ୧୧ ଦିନ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହର କରିପାରିବେ। ଆବଶ୍ୟକ ହେଲେ ୧୬ ଡିସେମ୍ବରରେ ଭୋଟ ଗ୍ରହଣ ତଥା ୧୯ ଡିସେମ୍ବରରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

କଂଗ୍ରେସ ସୁତ୍ର ଅନୁସାରେ ପାର୍ଟିର ନୂଆ ତଥା ପୁରୁଣା ନେତା ସମସ୍ତେ ଏକ ସ୍ୱରରେ ରାହୁଲଙ୍କୁ ପଦୋନ୍ନୋତି ସପକ୍ଷରେ ଅଛନ୍ତି। ଏମିତିରେ ରାହୁଲଙ୍କ ବିରୋଧରେ କୌଣସି କଂଗ୍ରେସ ସଦସ୍ୟ ଚ୍ୟାଲେଂଜ କରିବାର ସମ୍ଭାବନା ଆଦୌ ନାହିଁ।

ତେଣୁ ରାହୁଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ବୋଲି ଅନୁମାନ କରାଯାଉଛି। ପାର୍ଟି ସୁତ୍ର ଅନୁସାରେ ଡିସେମ୍ବର ୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ୍‌ ପରେ ରାହୁଲଙ୍କୁ କଂଗ୍ରେସର ଜାତୀୟ ସଭାପତି ରୂପେ ଘୋଷଣା କରାଯିବ। ଫଳରେ ଡିସେମ୍ବର ୯ରେ ଆରମ୍ଭ ହେବାକୁ ଥିବା ଗୁଜରାଟ ନିର୍ବାଚନ ପୂର୍ବରୁ ରାହୁଲ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିପାରନ୍ତି। ଗୁଜରାଟ ନିର୍ବାଚନ ପରିପେକ୍ଷୀରେ କଂଗ୍ରେସର ସ୍ଥିତି ଅପେକ୍ଷାକୃତ ଭଲଥିବା ଅନୁଭବ କରି ଦଳର ବରିଷ୍ଠ ନେତାମାନେ ରାହୁଲଙ୍କୁ ନେତୃତ୍ୱ ଦେବା ସପକ୍ଷରେ ରହିଥିବାର ଜଣାପଡ଼ିଛି।

ଆଜି କଂଗ୍ରେସ ଅଧ୍ୟକ୍ଷ ସୋନିଆଙ୍କ ୧୦, ଜନପଥସ୍ଥିତ ସରକାରୀ ବାସଭବନରେ ଘଣ୍ଟାଏ ଧରି ଚାଲିଥିବା କଂଗ୍ରେସ କାର୍ଯ୍ୟକାରିଣୀରେ କଂଗ୍ରେସ ସଭାପତି ନିର୍ବାଚନର ସମସ୍ତ ଓପଚାରିକତା ପୂରଣ ପାଇଁ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବା ସହିତ କଂଗ୍ରେସ ଉପାଧ୍ୟକ୍ଷ ରାହୁଲଙ୍କୁ ସଭାପତି ଭାବେ ଦାୟିତ୍ୱ ଦେବା ପାଇଁ ସଂକଳ୍ପ ପାରିତ ହୋଇଥିଲା। ଆଜିର ବୈଠକରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ ନେତା ମଲିକାର୍ଜୁନ ଖଡ୍‌ଗେ, ଅହମ୍ମଦ ପଟେଲଙ୍କ ସମେତ ପାଖାପାଖି ୩୦ ଜଣ ସଦସ୍ୟ ଯୋଗ ଦେଇଥିଲେ।

କାର୍ଯ୍ୟକାରିଣୀରେ ଉଦବୋଧନ ଦେଇ ମୋଦି ସରକାର ଉପରେ ଜୋରଦାର ହମଲା କରିଥିଲେ ସୋନିଆ ଗାନ୍ଧୀ। ସେ କହିଥିଲେ ଯେ ମୋଦି ସରକାରଙ୍କର ଅହଂକାର ଯୋଗୁଁ ସଂସଦୀୟ ଗଣତନ୍ତ୍ର ଗୁରୁତର ପ୍ରଭାବିତ ହୋଇଛି। ବିଜେପି ସଂସଦର ସାମନା କରିବାକୁ ଡରୁଛି। ଏହି କାରଣରୁ ସଂସଦର ଶୀତକାଳୀନ ଅଧିବେଶନ ଡାକିବାରେ ବିଳମ୍ବ କରାଯାଉଛି। ବିମୁଦ୍ରାକରଣ ସଂପର୍କରେ ସେ କହିଲେ ଯେ ବର୍ଷେ ବିତି ଯାଇଥିଲେ ମଧ୍ୟ ଦେଶକୁ ଟିକିଏ ହେଲେ ଫାଇଦା ହୋଇନାହିଁ। ଅନ୍ୟପକ୍ଷରେ ଏହା ସାଧାରଣ ଲୋକଙ୍କର ବେଶୀ କ୍ଷତି କରିଛି। ଜିଏସଟି ସଂପର୍କରେ ସେ କହିଲେ ଯେ ରାତିଅଧରେ ସଂସଦ ଅଧିବେଶନ ବସାଇ ମୋଦି କେବଳ ହଟଚମଟ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ଅବଦାନକୁ ଲିଭାଇ ଦେଇ ମୋଦି ସରକାର ଆଧୁନିକ ଭାରତର ଇତିହାସକୁ ଜୋରଜବରଦସ୍ତ ବଦଳାଇବାକୁ ଚକ୍ରାନ୍ତ କରୁଥିବା ସୋନିଆ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର