୨୫ ତାରିଖ ଭୁବନେଶ୍ୱରରେ ହେବ ରାହୁଲ ଗାନ୍ଧିଙ୍କ ଜନ ସମାବେଶ; ଫେବ୍ରୁଆରି ୫ ଓ ୨୭ରେ ମଧ୍ୟ ରହିଛି ଓଡ଼ିଶା କାର୍ଯ୍ୟକ୍ରମ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ଭାର ସମ୍ଭାଳିବା ପରେ ରାହୁଲ ଗାନ୍ଧି  ପ୍ରଥମ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୫ ତାରିଖରେ ସେ ଭୁବନେଶ୍ୱରରେ ଜନସାଧାରଣ ଓ କର୍ମୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। । ରାହୁଲଙ୍କ ସମାବେଶ ନିର୍ଦିଷ୍ଟ କେଉଁ ସ୍ଥାନରେ ହେବ ତାହା  ସ୍ଥିର ହୋଇ ନାହିଁ ବୋଲି  ପିସିସି ସଭାପତି ନିରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏଥିଲାଗି  ଭୁବନେଶ୍ୱରରେ ୨ଟି ସ୍ଥାନ ଚିହ୍ନଟ ହୋଇଛି । ତମାଣ୍ଡୋ  ପଡିଆ କି ବରମୁଣ୍ଡା ପଡ଼ିଆରେ ସଭା ହେବ ବୋଲି ପିସିସି ସଭାପତି କହିଛନ୍ତି । ରାହୁଲ ସାଧାରଣସଭା ବ୍ୟତୀତ ସିଭିଲ ସୋସାଇଟି, ଚାଷୀ, ହାଲ ପ୍ରତିନିଧିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହା ସହ ଏକ  ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ ରାହୁଲ । ୨୫ ତାରିଖ ସକାଳ୧୦ଟାରୁ ସଂଧ୍ୟା ୫ଟା ଯାଏଁ ରାହୁଲଙ୍କ କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ରାହୁଲଙ୍କ ଏହି ଗସ୍ତ  ନେଇ କଂଗ୍ରେସ ଶିବିରରେ ଉତ୍ସାହ ରହିଛି । ୩ ରାଜ୍ୟରେ ବିଜେପିକୁ ଚିତ୍ ପଟାଙ୍ଗ କରି ସରକାର ଗଢ଼ିବା ପରେ ଓଡ଼ିଶା ଉପରେ ରାହୁଲଙ୍କ ନଜର ରହିଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମାରାଥନ୍ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ଅଧ୍ୟକ୍ଷ।  ରାହୁଲ ଗାନ୍ଧି ଆସନ୍ତା ୨୫ ତାରିଖ ଓଡିଶା ଗସ୍ତ ସାରିବା ପରେ ପୁଣି ଦୁଇ ଦୁଇ ଥର ଓଡ଼ିଶା  ଆସିବେ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ଆସନ୍ତା ଫେବୃୟାରି ୫ ତାରିଖ ଏବଂ ୨୭ ତାରିଖରେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର