ମୋଦିଙ୍କୁ ଗାଳି ନୁହେଁ, ମିଠା କଥା କହି ହଟାନ୍ତୁ: ରାହୁଲ

ଦେଶର ସବୁ ଚୋରଙ୍କ କଳା ଟଙ୍କା ଧଳା ହୋଇଛି

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଳିଗୁଲଜ କରିନୁହେଁ, ମିଠା କଥା କହି କ୍ଷମତାରୁ ହଟାଇବାକୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଗୁଜରାଟର ଡାକୋରଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ କହିଛନ୍ତି। ଜଣେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭଦ୍ରୋଚିତ ଶବ୍ଦ ବ୍ୟବହାର ନକରି ତାଙ୍କୁ ମିଠା କଥା କହି କ୍ଷମତାଚ୍ୟୁତ କରିବା ହିଁ ଗଣତନ୍ତ୍ରରେ ଯୁକ୍ତିସଂଗତ ବୋଲି ରାହୁଲ କହିଛନ୍ତି। ନିକଟରେ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟର ମୋଦିଙ୍କୁ ‘ନୀଚ’ କହି ଦଳରୁ ନିଲମ୍ବିତ ହୋଇଥିବା ବେଳେ ଏହାକୁ ଏବେ ବିଜେପି ନିର୍ବାଚନୀ ପ୍ରସଙ୍ଗ କରିଛି।
ରାହୁଲ ଏହି ର‍୍ୟାଲିରେ କହିଛନ୍ତି ଯେ ବିମୁଦ୍ରାକରଣ ପ୍ରକ୍ରିୟାରେ ଦେଶରେ ସବୁ ଚୋରଙ୍କ କଳାଟଙ୍କା ଧଳା ହୋଇଯାଇଛି। ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିବ ବୋଲି ପ୍ରତିଶ୍ରୁତି ଦେଇ ୨୦୧୪ରେ ମୋଦି କ୍ଷମତାକୁ ଆସିଥିଲେ, କିନ୍ତୁ ଲୋକଙ୍କୁ ୧୫ ପଇସା ମଧ୍ୟ ମିଳିନାହିଁ ବୋଲି ରାହୁଲ କହିଛନ୍ତି। ମୁନାଫାଖୋର କଳାବଜାରୀ ଏବଂ ବଡ଼ ପୁଂଜିପତିମାନେ ସେମାନଙ୍କ କଳାଟଙ୍କାକୁ ସହଜରେ ଧଳା କରିବା ପାଇଁ ବିମୁଦ୍ରାକରଣ ବେଳେ ଅପୂର୍ବ ସୁଯୋଗ ପାଇଥିଲେ ଏବଂ ଏହି ସୁଯୋଗ ସେମାନଙ୍କୁ ମୋଦି ଦେଇଥିଲେ ବୋଲି ରାହୁଲ କହିଛନ୍ତି। ଅନ୍ୟପକ୍ଷରେ ରାହୁଲଙ୍କ ସମାଲୋଚନାର ଜବାବ ଦେଇ ବିଜେପି ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି ଯେ କଂଗ୍ରେସ ଏବେ ଗୁଜରାଟରେ ଜାତିବାଦକୁ ପ୍ରୋତ୍ସାହନ ଦେଉଛି ଏବଂ ଜାତି ଆଧାରରେ ଲୋକଙ୍କୁ ବିଭାଜନ କରି ଭୋଟ୍‌ ମାଗୁଛି। ଏହି ଦଳ ସାଂପ୍ରଦାୟିକତା ଏବଂ ଧ୍ରୁବୀକରଣକୁ ଅସ୍ତ୍ର କରି ଏବେ ପ୍ରଚାର କରୁଥିବାରୁ ଗୁଜରାଟବାସୀ ଏହାର ଉଚିତ ଜବାବ ଦେବେ ବୋଲି ଶାହ କହିଛନ୍ତି। ୨୦୦୨ ଦଙ୍ଗା ନେଇ ମୋଦିଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ମିଥ୍ୟା ସାବ୍ୟସ୍ତ ହୋଇଥିଲେ ମଧ୍ୟ ଚଳିତ ନିର୍ବାଚନରେ କଂଗ୍ରେସ ଗୁଜରାଟ ଦଙ୍ଗା ପ୍ରସଙ୍ଗ ଉଠାଇ ସାଂପ୍ରଦାୟିକ ରାଜନୀତି କରୁଛି ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର