ଅମିତ ଶାହଙ୍କ କୋଲକାତା ରାଲି ପାଇଁ ମଞ୍ଚ ତିଆରି କରିବାକୁ ଝାଡ଼ଖଣ୍ଡରୁ କାରିଗର ଆଣିଲା ବିଜେପି

କୋଲକାତା: ଏଥର ବିଜେପି ଚାଲାକ ହୋଇଯାଇଛି। ପଶ୍ଚିମବଙ୍ଗର କାରିଗରଙ୍କୁ ମଞ୍ଚ ତିଆରି ପାଇଁ ଭାରତୀୟ ଜନତା ପାର୍ଟି ଭରସା କରି ନାହିଁ। ସେଥିପାଇଁ ପଡୋଶୀ ଝାଡ଼ଖଣ୍ଡର କାରିଗରଙ୍କୁ ଡାକିଛି। ଏହି କାରିଗରମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶନିବାର ଯେଉଁ ମଞ୍ଚରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବେ, ତାକୁ ନିର୍ମାଣ କରୁଛନ୍ତି। ପଶ୍ଚିମବଙ୍ଗର କଳାକାର ମାନେ ମଞ୍ଚ ତିଆରି ପାଇଁ ସାରା ଭାରତରେ ସୁନାମ ଅର୍ଜନ କରିଥିବା ବେଳେ, ତାଙ୍କୁ ଏହି ଅମିତ ଶାହଙ୍କ ମଞ୍ଚ ତିଆରି କରିବାକୁ ସୁଯୋଗ ମିଳି ନାହିଁ। ଏହାରି ପଛରେ କିଛି କାରଣ ଥିବା ସୁନିଶ୍ଚିତ।

ପଶ୍ଚିମବଙ୍ଗର ମେଦିନାପୁର କଲେଜ ପଡ଼ିଆରେ ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭା ଚାଲିଥିବା ବେଳେ ଟେଣ୍ଟ ଢଳି ପଡ଼ିଥିଲା। ଏହି ଦୁର୍ଘଟଣାରେ ପାଖାପାଖି ୯୦ ଜଣ ଲୋକ ସାମାନ୍ୟ ଆଘାତ ପାଇଥିଲେ। ଏଥର ଅମିତ ଶାହଙ୍କ ରାଲି ଶନିବାର(ଅଗଷ୍ଟ ୧୧)ରେ ଅନୁଷ୍ଠିତ ହେବ। ସେଥିପାଇଁ ବିଜେପି ଏଥର ଝାଡ଼ଖଣ୍ଡର କାରିଗରଙ୍କୁ ମଜବୁତ ଟେଷ୍ଟ ତିଆରି କରିବାକୁ ଦାୟିତ୍ୱ ଦେଇଛି।

ମେଦିନାପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ ଭାଙ୍ଗି ଯାଇଥିବା ଟେଣ୍ଟ

ଏ ସଂପର୍କରେ ପଶ୍ଚିମବଙ୍ଗ ବିଜେପି ସାଧାରଣ ସଚିବ ଶ୍ୟାନ୍ତନ ବସୁ ଗଣମାଧ୍ୟମକୁ କହିଛନ୍ତି, କୋଲକାତା ଠାରୁ ୪୨୫ କିଲୋମିଟର ଦୂରରୁ ରାଞ୍ଚିରୁ ଭରସାଯୋଗ୍ୟ କାରିଗର ଆଣିଛୁ। ଆମକୁ ଡର ଥିଲା ଯେ, ସ୍ଥାନୀୟ କାରିଗର କ୍ଷମତାଶୀଳ ପାର୍ଟିର ପ୍ରଲୋଭନରେ ପଡ଼ି ଜାଣିଶୁଣି କାର୍ଯ୍ୟକ୍ରମକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ ନକରନ୍ତୁ। ବସୁ କହିଛନ୍ତି, ଆମକୁ ଏଥର କୌଣସି ପ୍ରକାରର ଭୟ ନାହିଁ। ରାଞ୍ଚି କାରିଗରମାନଙ୍କୁ ବଡ ରାଲି ଓ ସରକାରୀ କାର୍ଯ୍ୟକ୍ରମ ପାଇଁ ତମ୍ବୁ ନିର୍ମାଣ କରିବାର ପୁରୁଣା ଅଭିଜ୍ଞତା ଅଛି।

ମଞ୍ଚ ନିର୍ମାଣର ଦାୟିତ୍ୱ ରାଞ୍ଚିର ଅଜମାନି ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ପ୍ରୋଜେକ୍ଟକୁ ଦିଆଯାଇଛି। ଏହି କମ୍ପାନି ମଞ୍ଚର ୭୦ ପ୍ରତିଶତ ସାମଗ୍ରୀ ରାଞ୍ଚିରୁ ଆଣିଛି ଓ ବାକି ସାମଗ୍ରୀ ସ୍ଥାନୀୟ ବଜାରରୁ କିଣିବ। କୋଲକାତାର ମାୟୋ ରୋଡରେ ହେଉଥିବା ରାଲି ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆୟୋଜନ ହେବାକୁ ଯାଉଛି। ପୂର୍ବରୁ ଅମିତ ଶାହ ଘୋଷଣା କରିଛନ୍ତି ଯେ, ଏଥର ବିଜେପି ପଶ୍ଚିମବଙ୍ଗରେ ୪୨ରୁ ୨୨ଟି ଲୋକସଭା ଆସନରେ ବିଜୟୀ ହେବ।

ସମ୍ବନ୍ଧିତ ଖବର