ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ବିଜୟ-ବିଶ୍ୱଭୂଷଣ ମୁହାଁମୁହିଁ

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପିରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଛି। ଦୁଇ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ ବିଜୟ ମହାପାତ୍ର ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ଗତକାଲି ବିଜେପିକୁ କାଠଗଡ଼ାକୁ ଟାଣିଥିଲେ ବିଜୟ। ୯ ବର୍ଷ ଭାଗୁଆଳି ସରକାରରେ ଆଇନ୍‌ ବିଭାଗ ଦାୟିତ୍ୱ ବିଜେପି ହାତରେ ଥିବାରୁ ବିଜୟଙ୍କ ଆକ୍ରମଣ ବିଜେପିକୁ ଅଡ଼ୁଆରେ ପକାଇ ଦେଇଥିଲେ। ସେତେବେଳେ ଆଇନ୍‌ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଗତକାଲି ସ୍ପଷ୍ଟୀକରଣ ଦେଇଥିଲେ ବି ଆଜି ପୁଣି ସାମ୍ବାଦିକ ସମ୍ମିଳନୀ ଡାକି ନିଜ ମତ ରଖିଛନ୍ତି। ବିଶ୍ୱଭୂଷଣଙ୍କୁ ଆଜି ମଧ୍ୟ ଜବାବ ଦେଇଛନ୍ତି ବିଜୟ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଲେ, ଶ୍ରୀମନ୍ଦିରର ପ୍ରଶାସନିକ ସଂସ୍କାର ଓ ଅନ୍ୟାନ୍ୟ ସଂସ୍କାର ଉପରେ କିଛି ନ ଜାଣି ବିଜୟ ବାବୁ ଯେପରି ସମାଲୋଚନା କରୁଛନ୍ତି, ତାହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଛଡ଼ା ଆଉ କିଛି କୁହାଯାଇପାରିବ ନାହିଁ। ବଡ଼ କୌତୂହଳର ବିଷୟ ହେଉଛି ଯେ ସେହି ୯ ବର୍ଷ ଭିତରେ ମନ୍ଦିରର ପ୍ରଶାସନିକ ସଂସ୍କାର ଓ ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ପ୍ରଗତିଶୀଳ ପଦକ୍ଷେପଗୁଡ଼ିକ ଉପରେ କେହି ପ୍ରଶ୍ନ ଉଠାଇ ନ ଥିବା ବେଳେ ବିଜେପିର ଜଣେ ନେତା ଏପରି ଭିତ୍ତିହୀନ କଥା ଉଠାଇବା ଦୁର୍ଭାଗ୍ୟଜନକ।

ଆଇନ୍‌ ମନ୍ତ୍ରୀ ଭାବେ ନିଜ ସଫଳତା ସମ୍ପର୍କରେ ସୂଚନା ଦେଇ ସେ କହିଲେ, ତାଙ୍କ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଏକ କ୍ଷମତାସମ୍ପନ୍ନ ଉଚ୍ଚସ୍ତରୀୟ କମିଟି କରିବାର ନିଷ୍ପତ୍ତି ନିଆଯାଇଥିଲା। ଜଗନ୍ନାଥ ମନ୍ଦିର ଆଇନ୍‌କୁ ଅଧିକ ପ୍ରଗତିଶୀଳ କରାଇବା ପାଇଁ ୨୦୦୪ ମସିହାରେ କେତେକ ସଂଶୋଧନ ଅଣାଯାଇଥିଲା। ସେହି ସମୟରେ କୌଣସି ଗୁରୁତର ନୀତି ବିଭ୍ରାଟ ହୋଇ ନାହିଁ। ସେତେବେଳେ ଯେ କୌଣସି ତ୍ରୁଟିବିଚ୍ୟୁତି ହେଉଥିଲା, ତାହାର ନିରାକରଣ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଥିଲା। ଜଗନ୍ନାଥ ମନ୍ଦିରର ଆୟ ବଢ଼ାଇବା ପାଇଁ ମନ୍ଦିର ବାହାରେ ଶ୍ରୀମନ୍ଦିର ଅଫିସ୍‌ ଓ ଭୁବନେଶ୍ୱର ଜୟଦେବ ଭବନରେ ଦାନକେନ୍ଦ୍ର ପ୍ରତିଷ୍ଠା କରି ଦାନବାକ୍ସ ରଖାଯାଇଥିଲା। ଜଗନ୍ନାଥ ମନ୍ଦିର ଆଇନ୍‌ ଅନୁସାରେ ଶ୍ରୀଜଗନ୍ନାଥଙ୍କ ସମସ୍ତ ସମ୍ପତ୍ତି, ରତ୍ନ ଭଣ୍ଡାର ଓ ଧନରତ୍ନ ପରିଚଳନା କମିଟି ଅଧୀନରେ ଓ ଦଖଲରେ ରହିବ। ସେଠାରେ ୬ ମାସରେ ଥରେ ରତ୍ନଭଣ୍ଡାର ଖୋଲିବା ବା ତଦାରଖ କରିବା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ କମିଟିର ଓ ମୁଖ୍ୟ ପ୍ରଶାସକଙ୍କର। ତେଣୁ ଗୁଡ଼ାଏ ଉପର ଠାଉରିଆ ଭିତ୍ତିହୀନ ଅଭିଯୋଗ ଆଣି ବିଜେପି ଓ ତା’ର ଆଇନ୍‌ ମନ୍ତ୍ରୀଙ୍କୁ ଦାୟୀ କରିବା ଉଦ୍ଦେଶ୍ୟ ପ୍ରଣୋଦିତ। ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲିବାର ବ୍ୟବସ୍ଥା କରି ତାହା ଭିତରେ ଥିବା ସୁନା, ରୂପା ଓ ରତ୍ନର ତଦାରଖ କରିବା ସହ ଲୋକଙ୍କ ସନ୍ଦେହ ଦୂର କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।

ଅପରପକ୍ଷରେ ବିଶ୍ୱଭୂଷଣଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜୟ ମହାପାତ୍ର କହିଛନ୍ତି, ବିଶ୍ୱଭୂଷଣ ବାବୁ ଆଇନ୍‌ ମନ୍ତ୍ରୀ ଥିଲେ ଓ ଅଧିକ କଥା ଜାଣିଥିବେ। ତେବେ ମୁଁ ଗତକାଲି କେବଳ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତ ଉପରେ ନିଜ ପ୍ରତିକ୍ରିୟା ଦେଇଥିଲି। ମୁଁ ବିଶ୍ୱଭୂଷଣ ବାବୁଙ୍କ ନାଁ ନେଇ ନ ଥିଲି କି ମନ୍ତ୍ରୀ ଭାବେ ତାଙ୍କ ପ୍ରଦର୍ଶନ ଉପରେ କୌଣସି ମନ୍ତବ୍ୟ ଦେଇ ନ ଥିଲି। ମୁଁ ତାଙ୍କ ନାଁ ନେଇ ନ ଥିବାରୁ ସେ ଏହି କଥାକୁ ଦେହକୁ ନେବା ଠିକ୍‌ ନୁହେଁ। ମୁଁ ଗତକାଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସମର୍ଥନ କରିଥିଲି ଓ ଆଜି ବି କରୁଛି। ଜଗଦ୍‌ଗୁରୁଙ୍କ ମତକୁ ସମ୍ମାନ ଦେବା ଉଚିତ ଓ ରାଜ୍ୟ ସରକାର ଏ ନେଇ ଆବଶ୍ୟକ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର