ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ଏହି ମନ୍ତବ୍ୟ ପରେ ବିଜେଡିରେ ମିଶିବା ନେଇ ବଢିଲା ଚର୍ଚ୍ଚା

ରାୟଗଡ଼ା : ଲକ୍ଷ୍ମୀପୁର ଓ ରାୟଗଡା ସୀମାନ୍ତରେ ଆଦିତ୍ୟ ବିର୍ଲା ପକ୍ଷରୁ ଏକ ଆଲୁମିନା ପ୍ଲାଣ୍ଟ ନିର୍ମାଣ ହେଉଥିବା କଥା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଏବଂ ଅଞ୍ଚଳବାସୀ ଆଜି ସକାଳୁ  ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଆଉ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବାଧୀନ ବିଧାୟକ ମକରନ୍ଦ ଛିଡା ହୋଇ ଫଟୋ ମଧ୍ୟ ଉଠାଇଥିଲେ । ତେବେ ନବୀନଙ୍କ ପାଖରେ ମକରନ୍ଦଙ୍କ ଉପସ୍ଥିତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି ଲୋକଙ୍କ ସ୍ୱାର୍ଥ ଓ ଅଞ୍ଚଳର ବିକାଶ ପାଇଁ କଂଗ୍ରେସ ଛାଡ଼ିଥିବା ନବ ଦାସଙ୍କ ପରି ମକରନ୍ଦ ବି  ଶଙ୍ଖ ଫୁଙ୍କିବେ କି ? ଏଥିସହ ନବୀନଙ୍କୁ ଭେଟିବା ପରର ବୟାନ ଏହି ଆକଳନକୁ ହାୱା ଦେଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମ ଆଗରେ ଚର୍ଚ୍ଚା ନେଇ ମୁହଁ ଖୋଲିଛନ୍ତି ମକରନ୍ଦ । ସେ କହିଛନ୍ତି, ମୁଁ ସରକାରଙ୍କ ସହ ଅଛି , ନବୀନ ପଟ୍ଟନାୟକଙ୍କ ସହ ଅଛି । ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଆମ ମୁଖ୍ୟମନ୍ତ୍ରୀ । ଦୀର୍ଘ ଦିନ ହେବ ସେ ଲୋକଙ୍କ ବିକାଶ ପାଇଁ କାମ କରି ଆସୁଥିବାରୁ ମୁଁ ତାଙ୍କ ସହ ଅଛି । ସରକାର ଯୁଆଡେ, ମୁଁ ସେଆଡେ।’

ତେବେ ସେ ସରକାରଙ୍କ ସହ ଅଛନ୍ତି ମାତ୍ର ବିଜେଡି ସହ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ମକରନ୍ଦ । ଆଗାମୀ ଦିନରେ କ’ଣ ହେବ ସେ ନେଇ ଆଗକୁ ନିଷ୍ପତ୍ତି ନିଆଯିବ। ମାତ୍ର ଆମେ ସବୁ ସରକାରଙ୍କ ସହ ଅଛୁ ବୋଲି ମକରନ୍ଦ ଜୋର ଦେଇ କହିଛନ୍ତି ।

୨୦୧୯ ନିର୍ବାଚନରେ ବିଜୟୀ ହୋଇ ଚର୍ଚ୍ଚାକୁ ଆସିଥିଲେ ମକରନ୍ଦ । ସବୁଠାରୁ ଗରିବ ବିଧାୟକ ଭାବେ ଅଳ୍ପ ଟଙ୍କା ଖର୍ଚ୍ଚ କରି ବିଜେତା ହୋଇ ସେ ଚର୍ଚ୍ଚିତ ହୋଇଥିଲେ । ଭୋଟ ବେଳେ ନେତା କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିତିଥିବା ବେଳେ ମକରନ୍ଦ ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରି ଲୋକଙ୍କ ପାଖରେ ପହଞ୍ଚିଥିଲେ । ସେବା ଉଦ୍ଦେଶ୍ୟ ରଖି ଛିଡା ହୋଇଥିବା ମକରନ୍ଦଙ୍କ ପ୍ରଚାର ପାଇଁ କିଏ ଲିଫଲେଟ ବାଣ୍ଟିଥିଲା ତ ଆଉ କିଏ ଗାଡିରେ ତେଲ ପକାଇ ତାଙ୍କୁ ବୁଥରୁ ବୁଥ ବୁଲାଇଥିଲା । ଆଉ ଶେଷରେ ସେ ଜିତିଥିଲେ । ତେବେ ବିଜୟ ପରେ ଲୋକଙ୍କ ସେବା ପାଇଁ ଅଞ୍ଚଳର ବିକାଶ ପାଇଁ ଆବଶ୍ୟକ ଅର୍ଥ ଆଉ ସରକାରୀ ସହଯୋଗ । ତେଣୁ ସେ ସରକାରଙ୍କ ସହଯୋଗ ଲୋଡୁଥିବା ସହ ତାଙ୍କ ସହ ଅଛନ୍ତି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର