ବିଜେଡିରେ ମିଶିଲେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ

ଭୁବନେଶ୍ୱର: ମହାରାଷ୍ଟ୍ର କ୍ୟାଡ଼ରର  ପୂର୍ବତନ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ ବୁଧବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅରୂପ ଯୋଗଦେବା ଅବସରରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ବିଜେଡିରେ ଯୋଗଦେବା ପରେ ଅରୂପ ପଟ୍ଟନାୟକ ପ୍ରତିକ୍ରିୟାରେ କହିଛନ୍ତି, ପିଲାଦିନ ବୋଡ଼ିଂ ସ୍କୁଲରେ କଟିଛି। ପାଠ ପଢ଼ା ସରିବା ପରେ ଜୀବନର ଅଧିକାଂଶ ସମୟ ଓଡ଼ିଶା ବାହାରେ ଚାଲି ଯାଇଛି। ଓଡ଼ିଶାର ମାଟି, ପାଣି, ପବନ ଓ ଖାଦ୍ୟ ମତେ ଆକର୍ଷଣ କରିଛି। ଓଡ଼ିଶାରେ ଲୋକଙ୍କ ସେବା କରିବା ପାଇଁ ମନ ବଳାଇଛି। ସେଥିପାଇଁ ବିଜେଡିର ଜଣେ କର୍ମୀ ଭାବରେ ଯୋଗ ଦେଇଛି।

ପୁରୀ ଜିଲ୍ଲା ଡେଲାଙ୍ଗ ନିବାସୀ ୬୩ ବର୍ଷିଅ ଅରୂପ ୩୬ ବର୍ଷର ଚାକିରି କ୍ୟାରିୟରରେ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ସୁନାମ ଅର୍ଜନ କରିଛନ୍ତି।  ୨୦୧୫ରେ ଚାକିରିରୁ ଅବସର ନେଇଥିବା ଅରୁପଙ୍କୁ ତାଙ୍କୁ ୨୦୦୩ରେ ରାଷ୍ଟ୍ରପତି ପଦକ ମିଳିଥିଲା। ୧୯୭୯ ବ୍ୟାଚ୍‌ ମହାରାଷ୍ଟ୍ର କ୍ୟାଡ଼ରର ଏହି  ଆଇପିଏସ୍‌ ଅଧିକାରୀଙ୍କର ବିଜୁ ପରିବାର ସହିତ ଘନିଷ୍ଠ ସମ୍ପର୍କ ଥିଲା।

ସମ୍ବନ୍ଧିତ ଖବର