ଏଡିଆର ରିପୋର୍ଟ: ନବୀନ ପଟ୍ଟନାୟକଙ୍କ ସଂପତ୍ତି ୬୩ କୋଟି ଟଙ୍କା, ସଙ୍ଗୀତା -କେଭି ସିଂହଦେଓଙ୍କ ସଂପତ୍ତି ୩୭ କୋଟି ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପତ୍ତି ୬୩ କୋଟ। ସେହିଭଳି ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓ ୩୭ କୋଟି ଟଙ୍କାର ମାଲିକାଣି ବୋଲି ଜଣାପଡ଼ିଛି। ଇଲେକ୍ସନ ଓ୍ଵାଚ ପକ୍ଷରୁ ପ୍ରକାଶିତ ଏଡିଆର ରିପୋର୍ଟରେ ଏହା ଦର୍ଶାଯାଇଛି। ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ରେ ହେବାକୁ ଥିବା ମତଦାନ ପୂର୍ବରୁ ଏହି ସଂପତ୍ତି ତାଲିକା ପ୍ରକାଶ ପାଇଛି। ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ସମ୍ପତି ଠାରୁ ଆରମ୍ଭ କରି ତାଙ୍କ ନାଁରେ କେତୋଟି କେସ ରହିଛି, ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହାର ପୂରା ତଥ୍ୟ ଏହି ରିପୋର୍ଟରେ ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଟପ୍-୧୦ ଧନୀ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ସାମ୍ନାକୁ ଆସିଛି । ପ୍ରାର୍ଥୀ ମାନଙ୍କ ସତ୍ୟପାଠରେ ଦେଇଥିବା ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଅନେକ ହେଭିୱେଟ ନେତା ମୈଦାନକୁ ଓହ୍ଲାଇଥିବା ବେଳେ ସେମାନଙ୍କର ସମ୍ପତି କେତେ ତାହା ଜାଣିବା ପାଇଁ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି । ଏଡିଆର ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁଠୁ ଧନୀ ପ୍ରାର୍ଥୀ । ଉଭୟ ବିଜେପୁର ଓ ହିଞ୍ଜିଳିରୁ ଲଢୁଥିବା ନବୀନଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୬୩ କୋଟି ୮୭ ଲକ୍ଷ ୪୧ ହଜାର ୮୧୬ ଟଙ୍କା ରହିଛି ।

ସେହିଭଳି ବିଜେପିର ପାଟଣାଗଡା ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମ୍ପତି ୩୭ କୋଟି ୯୫ ଲକ୍ଷ ୯୦ ହଜାର ୮୫୧ ଟଙ୍କା ରହିଛି । କନକ ବର୍ଦ୍ଧନଙ୍କ ତଳକୁ ଝାରସୁଗୁଡାର ବିଜେଡି ବିଧାୟକ ପ୍ରାର୍ଥୀ ନବ ଦାସଙ୍କର ୩୩,୬୨,୭୩,୭୦୭ ସମ୍ପତି ରହିଛି । ନବଙ୍କ ପରେ ଏହି ତାଲିକାରେ ସରୋଜ କୁମାର ମେହେରଙ୍କ ନାଁ ରହିଛି । ସରୋଜ ପାଟଣାଗଡରୁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ।

ଏହି ତାଲିକାର ୫ମ ସ୍ଥାନରେ ସାନଖେମୁଣ୍ଡି ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ବିଜୟ କୁମାର ସ୍ୱାଇଁଙ୍କର ନାଁ ରହିଛି । ବିଜୟଙ୍କର ମୋଟ ୧୫,୭୯,୩୩,୭୦୦ ଟଙ୍କାର ସମ୍ପତି ରହିଛି ।ସେହିଭଳି ୬ଷ୍ଠ ସ୍ଥାନରେ ରହିଛନ୍ତି ବଲାଙ୍ଗୀର ରାଜପରିବାରର ସଦସ୍ୟ ତଥା ବଲାଙ୍ଗୀର ଆସନରୁ ବିଜେଡିର ବିଧାୟକ ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓ । ୭ମ ସ୍ଥାନରେ ଧରାକୋଡ ରାଣୀ ତଥା ସାନଖେମୁଣ୍ଡିରୁ ବିଜେଡିର ବିଧାୟିକା ପ୍ରାର୍ଥୀ ନନ୍ଦିନୀ ଦେବୀଙ୍କ ନାଁ ରହିଛି । ତାଙ୍କର ମୋଟ ସମ୍ପତି ୧୧, ୭୨,୭୫,୦୧୨ ଟଙ୍କା ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି ।

ଟପ୍-୧୦ ଧନୀଙ୍କ ମଧ୍ୟରୁ ଅଷ୍ଟମ ସ୍ଥାନରେ ରହିଛନ୍ତି ଛାରସୁଗୁଡା ବିଜେପି ବିଧାୟକ ପ୍ରାର୍ଥୀ ଦୀନେଶ କୁମାର ଜୈନ । ତାଙ୍କର ମୋଟ ୮,୭୦, ୮୨,୬୧୭ ଟଙ୍କାର ସମ୍ପତି ରହିଛି । ନବମ ସ୍ଥାନରେ ନବୀନଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇଥିବା ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ରହିଛନ୍ତି । ତାଙ୍କର ମୋଟ ସମ୍ପତି ୭,୮୧, ୪୦,୩୩୯ ଟଙ୍କା ରହିଛି । ସେହିଭଳି ଏହି ତାଲିକାର ୧୦ତମ ସ୍ଥାନରେ ରହିଛନ୍ତି ବ୍ରଜରାଜନଗରରୁ ବିଜେଡି ବିଧାୟକ ପ୍ରାର୍ଥୀ କିଶୋର ମହାନ୍ତି । ତାଙ୍କର ମୋଟ ସମ୍ପତି ୭,୧୭,୮୮,୯୧୨ ଟଙ୍କା ରହିଛି । ଟପ-୧୦ ଧନୀ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ବିଜେଡି ପ୍ରାର୍ଥୀ ରହିଥିବା ବେଳେ ୪ ଜଣ ବିଜେପି ପ୍ରାର୍ଥୀ ରହିଛନ୍ତି । କଂଗ୍ରେସର ଜଣେ ମଧ୍ୟ ପ୍ରାର୍ଥୀ ଟପ-୧୦ ଧନୀ ତାଲିକାରେ ସ୍ଥାନ ପାଇନାହାନ୍ତି । ସେହିଭଳି ଏହି ତାଲିକାରେ ୩ ଜଣ ରାଜପରିବାରର ସଦସ୍ୟ ରହିଛନ୍ତି ।

 

ସମ୍ବନ୍ଧିତ ଖବର