ଆର୍‌କେନଗର ଉପନିର୍ବାଚନରେ ୬୦% ଭୋଟ

ଚେନ୍ନାଇ: ତାମିଲନାଡ଼ୁର ରାଧାକ୍ରିଷ୍ଣନ୍‌ ନଗର (ଆରକେ ନଗର) ବିଧାନସଭା ଆସନ ପାଇଁ ଆଜି ଅନୁଷ୍ଠିତ ଉପନିର୍ବାଚନରେ ୬୦ ପ୍ରତିଶତ ମତଦାନ ହୋଇଛି। ଏଆଇଏଡିଏମ୍‌କେର ଇ ମଧୁସୁଧନନ୍‌, ଡିଏମ୍‌କେର ଏନ ମାରୁଢ଼ୁ ଗଣେଶ ଏବଂ ପ୍ରଥମ ଥର ପାଇଁ ସ୍ୱାଧୀନ ଭାବେ ଲଢ଼ୁଥିବା ଟିଟିଭି ଦିନାକରନଙ୍କ ସମେତ ମୋଟ ୫୯ ଜଣ ପ୍ରାର୍ଥୀ ଭାଗ୍ୟପରୀକ୍ଷା କରିଛନ୍ତି। ତେବେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ପସନ୍ଦ ମଧୁସୁଧନନ୍‌ କିମ୍ବା ଦିନାକରନଙ୍କ ସପକ୍ଷରେ ଯିବ ବୋଲି ଚର୍ଚ୍ଚା ହେଉଛି।ସୂଚନାଯୋଗ୍ୟ, ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ଏହି ଆସନ ଲାଗି ପୂର୍ବରୁ ଏପ୍ରିଲ ମାସରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା। ତେବେ ଅନେକ ସଂଖ୍ୟାରେ ଭୋଟରଙ୍କୁ ଜଣେ ପ୍ରାର୍ଥୀ ଲାଞ୍ଚ ଦେଇଥିବା ଅଭିଯୋଗରେ ସେଠାରେ ନିର୍ବାଚନ ବାତିଲ ହୋଇଯାଇଥିଲା। ବହୁ ପ୍ରତୀକ୍ଷା ପରେ ଆଜି କଡ଼ା ସୁରକ୍ଷା ବଳୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି ଏବଂ କୌଣସି ପ୍ରକାର ଅସନ୍ତୋଷ କିମ୍ବା ଗଣ୍ଡଗୋଳ ମଧ୍ୟ ଦେଖିବାକୁ ମିଳିନାହିଁ।

ସମ୍ବନ୍ଧିତ ଖବର