ଜିଲ୍ଲା କଂଗ୍ରେସ ସଭାପତି ପଦରୁ ସାଲେପୁର ବିଧାୟକଙ୍କ ଇସ୍ତଫା

କଟକ : କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସେ ତାଙ୍କ ଇସ୍ତଫାପତ୍ରକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫାପତ୍ରରେ ନିଜ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ଦେବା ଏବଂ ବ୍ୟକ୍ତିଗତ ଅସୁବିଧାକୁ ସେ କାରଣ ଦର୍ଶାଇଛନ୍ତି। କିନ୍ତୁ ହଠାତ୍‌ ଜିଲ୍ଲା ସଭାପତି ପଦରୁ ବିଧାୟକ ଶ୍ରୀ ବେହେରା ଇସ୍ତଫା ଦେଇଥିବାରୁ ତାଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପକୁ ନେଇ କଳ୍ପନାଜଳ୍ପନା ପକାଶ ପାଇଛି। ଗତ କିଛି ଦିନ ହେଲା ବିଧାୟକ ଶ୍ରୀ ବେହେରା କଂଗ୍ରେସ ଛାଡି ବିଜେଡିରେ ଯୋଗଦାନ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଅଚାନକ ଆଜି ତାଙ୍କ ଇସ୍ତଫା ଏ ଚର୍ଚ୍ଚାକୁ ଅଧିକ ଖୋରାକ୍‌ ଯୋଗାଇଛି। ସେପଟେ ନିଜ ଇସ୍ତଫା ସଂପର୍କରେ ବିଧାୟକ କିଛି ସ୍ପଷ୍ଟ କରିନାହାନ୍ତି। ପ୍ରତିକ୍ରିୟାରେ କହିଛନ୍ତି, କଂଗ୍ରେସ ଦଳରୁ ନୁହେଁ, କେବଳ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛି। ମାତ୍ର ସଭାପତି ପଦରୁ ଇସ୍ତଫା ପରେ ତାଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ କଣ ହେବ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏହି ଘଟଣା ଜିଲ୍ଲା ରାଜନୈତିକ ପାଣିପାଗକୁ ସରଗରମ କରିଛି।

ସମ୍ବନ୍ଧିତ ଖବର